www.samajalive.in
Monday, December 15, 2025
15.1 C
Bhubaneswar

୫୦ଲକ୍ଷ ବ୍ୟୟରେ ଭକ୍ତ ଦାସିଆଙ୍କ ପବିତ୍ର ଗୋଠଗାଡିଆର ହେବ ପୁନର୍ଦ୍ଧାର ଓ ସୌନ୍ଦର୍ଯ୍ୟକରଣ

ପିପିଲି:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଶିରୋମଣି ଦାସିଆଙ୍କ ବାଲିଗାଁ ସ୍ଥିତ ଜନ୍ମ ଓ ସାଧନା ପୀଠ ପରିସରରେ ଥିବା ଐତିହ୍ୟ ପୁଷ୍କରିଣୀ ଗୋଠଗାଡିଆର ପୁନର୍ଦ୍ଧାର ଓ ଉନ୍ନତିକରଣ ହେବ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପୁରୀର ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଟେଣ୍ଡର ପ୍ରକ୍ରୀୟା ମଧ୍ୟ ସରିଛି। ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଏହି ପବିତ୍ର ଗୋଠଗାଡିଆର ଚତୁଃପାଶ୍ୱର୍ରେ ପ୍ରାଚୀର ନିର୍ମାଣ, ଗାଧୁଆ ଘାଟ ନିର୍ମାଣ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁଦୃଢ ପରିକ୍ରମାମାର୍ଗ ନିର୍ମାଣ ସହ ଗୋଠଗାଡିଆ ମଧ୍ୟରେ ଦିପିଦାଣ୍ଡି ନିର୍ମାଣ କରାଯିବ। ଗୋଠଗାଡିଆର ସୌନ୍ଦର୍ଯ୍ୟକରଣ ସହ ଆଲୋକୀକରଣ ବ୍ୟବସ୍ଥା କରାଯାଇ ଏହାକୁ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ କରାଯିବ। ଆସନ୍ତା ଜୁଲାଇ ୧୭ ତାରିଖ ମଧ୍ୟରେ ଏହି ପବିତ୍ର ଐତିହ୍ୟ ପୁଷ୍କରିଣୀର ପୂର୍ଣ୍ଣାଙ୍ଗ ପୁନଃର୍ଦ୍ଧାର ଓ ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଗୁରୁବାର ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଅବସରରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହା ପ୍ରକାଶ କରିଛନ୍ତି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଓ ସିଦ୍ଧସାଧକ ଭକ୍ତ ଦାସିଆ ନିଜର ପତ୍ନୀଙ୍କୁ ଏହି ଗୋଠଗାଡିଆର ସ୍ଥିରଜଳରେ ଦେଖାଇ ପାରିଥିଲେ ଶ୍ରୀକ୍ଷେତ୍ରର ରଥଯାତ୍ରା। ଆଜି ମଧ୍ୟ ସେହି ଗୋଠଗାଡିଆକୁ ଲୋକେ ଭକ୍ତିର ସହ ଅତ୍ୟନ୍ତ ପବିତ୍ର ମନେକରନ୍ତି। ଏହି ଗୋଠଗାଡିଆରେ ଦାସିଆ ତତ୍କାଳୀନ ଶ୍ରେଷ୍ଠ ସାଧକ ପଞ୍ଚସଖାଙ୍କୁ ଦେଖାଇଥିଲେ ଭଗବାନଙ୍କ ଦଶବତାର ରୂପ। ଏହି ଗୋଠଗାଡିଆ କୂଳରେ ପଞ୍ଚସଖା ଦାସିଆଙ୍କୁ ଜଗନ୍ନାଥଙ୍କର ଜଣେ ଶ୍ରେଷ୍ଠ ସାଧକ ଭାବେ ସ୍ୱୀକୃତି ଦେଇଥିଲେ। ତେବେ ଦୀର୍ଘବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଏହି ପବିତ୍ର ଗୋଠଗାଡିଆର ପୁନଃର୍ଦ୍ଧାର ପାଇଁ ଭକ୍ତ ଦାସିଆ ସ୍ମୃତି କମିଟି ସମେତ ସ୍ଥାନୀୟ ଅଞ୍ଚଳବାସୀ ଦାବି କରି ଆସୁଥିଲେ। ଏହାର ପୁନଃର୍ଦ୍ଧାର ଓ ଉନ୍ନତିକରଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

ଗୁରୁବାର ପୂର୍ବାହ୍ନରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତେଇସିପୁର ପଞ୍ଚାୟତ ଅର୍ନ୍ତଗତ ବାଲିଗାଁ ସ୍ଥିତ ଭକ୍ତ ଦାସିଆଙ୍କ ପୀଠରେ ପହଞ୍ôଚଥିଲେ। ପୀଠ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ପବିତ୍ର ଗୋଠଗାଡିଆର ପୁନଃର୍ଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପବିତ୍ର ପୀଠକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିବା ବେଳେ ଭବିଷ୍ୟତରେ ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଓ ଭକ୍ତ ଦାସିଆ ସ୍ୱୃତି କମିଟିର ସଂପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ ପ୍ରମୁଖ ମନ୍ତ୍ରୀ ଶ୍ରୀପାଣିଗ୍ରାହୀଙ୍କୁ ସମଗ୍ର ପୀଠ ଅଞ୍ଚଳ ବୁଲି ଦେଖାଇଥିଲେ। ପୀଠ ପରିସରରେ ଥିବା ଭକ୍ତ ଦାସିଆଙ୍କ ସମାଧିପୀଠ, ରାଧାମୋହନ ମଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ଦାସିଆଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି, ତୁଳସୀ ବଗିଚା, ପଦ୍ମ ପୋଖରୀ ଆଦିକୁ ମନ୍ତ୍ରୀ ବୁଲି ଦେଖିଥିଲେ। ଏହି ଅବସରରେ ମନ୍ତ୍ରୀ ଓ ବିଧାୟକଙ୍କୁ ଭକ୍ତ ଦାସିଆ ସ୍ୱୃତି କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରୀର ଅତିରିକ୍ତ ଜିଲାପାଳ ସୁବାଷ ଚନ୍ଦ୍ର ନାଥଶର୍ମା, ପିପିଲି ବିଡିଓ ରଶ୍ମିତା ନାଥ, ପିପିଲି ତହସିଲଦାର ପୁନମ ମହାପାତ୍ର, ପୁରୀ ଜିଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ପୂର୍ତ୍ତ ବିଭାଗ ପୁରୀର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଅଜିତ ପ୍ରସାଦ ମହାପାତ୍ର, ସହକାରୀ ଯନ୍ତ୍ରୀ ଶଶୀଭୂଷଣ ମହାନ୍ତି, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନାୟକ, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ପିପିଲି ବ୍ଳକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଗଦାଧର ଦାଶ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ସ୍ଥାନୀୟ ସରପଞ୍ଚ ରଶ୍ମିତା ସେନାପତି, ବରିଷ୍ଠନେତା ଇଶ୍ୱର ପ୍ରାସାଦ ଦାଶ, ଫଗୁଭୂଷଣ ପରିଡା, ଯୁବ ସଂଗଠକ ବିଜୟ କୁମାର ମହାପାତ୍ର, ଜିତେନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories