ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା

ପିପିଲି: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପିପିଲି ନିକଟବର୍ତ୍ତୀ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ଶନିବାର ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା ସମାରୋହରେ ସଂପନ୍ନ ହୋଇଛି । ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରତ୍ୟୁଷରେ ଠାକୁରଙ୍କ ବିଭିନ୍ନ ସେବାନୀତି କରାଯାଇଥିଲା । ଏହାପରେ ନିକଟବର୍ତ୍ତୀ ଅଞ୍ଚଳର ବହୁ ଜଗନ୍ନାଥପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ସଂକୀର୍ତ୍ତନ, ଘଣ୍ଟ, ଘଣ୍ଟା,କାହାଳି ଓ ଚାମର ସେବାରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡି ଶୋଭାଯାତ୍ରାରେ ନିଆଯାଇ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା । ସେଠାରେ ଠାକୁରଙ୍କର ସମସ୍ତ ରୀତିନୀତି ସମାପନ ପରେ ପୀଠସ୍ଥ ପବିତ୍ର ଗୋଠ ଗାଡିଆ ଓ ମଠର କୂଅରୁ ୧୦୮ ପିତଳ ଗଡୁରେ ପବିତ୍ର ଜଳ ଅଣାଯାଇ ଠାକୁରଙ୍କୁ ସ୍ନାନ କରାଯାଇଥିଲା ।

ଅପରାହ୍ନରେ ଠାକୁରମାନଙ୍କୁ ଗଜାନନ ବେଶ କରାଯାଇଥିବା ବେଳେ ସଂନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ରାତିରେ ଠାକୁର ମାନଙ୍କୁ ଅଣସର ଘରେ ବିଜେ କରାଯାଇଥିଲା । ମଧ୍ୟାହ୍ନରେ ଭକ୍ତ ଦାସିଆଙ୍କ ପ୍ରିୟ ଜାଉ ଓ ଶାଗ ଭୋଗକୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା । ପ୍ରତ୍ୟୁଷରୁ ରାତି ୧୦ଟା ପର୍ଯ୍ୟନ୍ତ ସେଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା । ସେଠାରେ ଥିବା ଭକ୍ତ ଦାସିଆଙ୍କ ସମାଧି ପୀଠ, ଶ୍ରୀଜଗନ୍ନାଥଙ୍କ ମନ୍ଦିର, ରାଧାମୋହନ ମଠ, ତୁଳସୀ ବଣ, ପଦ୍ମ ପୋଖରୀ ଓ ଭକ୍ତ ଦାସିଆ ତାଙ୍କ ପତ୍ନୀଙ୍କୁ ଜଳ ମଧ୍ୟରେ ରଥଯାତ୍ରା ଦେଖାଇଥିବା ଗୋଠଗାଡିଆ ନିକଟରେ ଶ୍ରଦ୍ଧାଳୁଙ୍କର  ଭିଡ ପରିଲକ୍ଷିତ ହୋଇଥିଲା ।

Comments are closed.