ଗଞ୍ଜାମକୁ ଦୈବୀ କୋପ ; କରୋନା ଗ୍ରାସ ବେଳେ ମରୁଡ଼ିର ପଦଧ୍ବନି
ବ୍ରହ୍ମପୁର : ମହାମାରୀ କରୋନା କବଳରେ ଛଟପଟ ଗଞ୍ଜାମବାସୀଙ୍କ ପାଇଁ ପୁଣି ଏକ ସଂକଟ ଘନେଇଛି। କୃଷିବହୁଳ ଏହି ଜିଲାରେ ଧାରା ଶ୍ରାବଣରେ ବର୍ଷା ଉଭାନ ହୋଇଛି। ହଜାର ହଜାର ହେକ୍ଟର ଚାଷଜମିରେ ରୁଆ ହୋଇପାରିନି। ଜିଲାର ଅଧିକାଂଶ ବ୍ଲକରେ ମରୁଡିର ପଦଧ୍ବନି ଶୁଭିଲାଣି। ଲକଡାଉନ ଓ ସଟଡାଉନରେ ରୋଜଗାର ହରାଇଥିବା ପ୍ରବାସୀ ଏବଂ ଚାଷୀ ଚାଷ କାମରେ ମନୋନିବେଶ କରି ଫସଲ ଉପୁଜାଇବାକୁ କରିଥିବା ଯୋଜନା ବର୍ଷାଭାବରୁ ଫସର ଫାଟିଛି। ସଦାସର୍ବଦା ପ୍ରାକୃତିକ ବିପତ୍ତିର ସମ୍ମୁଖୀନ ହେଉଥିବା ଗଞ୍ଜାମକୁ ଚଳିତ ବର୍ଷ ଦୈବୀ କୋପ ପଡିଛି। ଇନ୍ଦ୍ରଦେବଙ୍କ କୋପଦୃଷ୍ଟିରୁ ବର୍ଷାଭାବଜନିତ ସମସ୍ୟାରେ ଚାଷୀ ଆଖିରୁ ନିଦ ହଜି ଯାଇଛି। ଗଞ୍ଜାମ ଜିଲାର ଚିକିଟି, ପାତ୍ରପୁର, ଦିଗପହଣ୍ଡି, ଭଞ୍ଜନଗର, ଗଞ୍ଜାମ, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଏବଂ ଖଲ୍ଲିକୋଟ ବ୍ଲକରେ ଗଜା ମରୁଡିର ପଦଧ୍ବନି ଶୁଭିଲାଣି। ହଜାର ହଜାର ହେକ୍ଟର ଜମିର ତଳିଘେରା ଜଳିଗଲାଣି। ହେକ୍ଟର ହେକ୍ଟର ଜମିର ତଳିଘେରା ଶୁଖି ହଳଦିଆ ପଡିଗଲାଣି। ଏଭଳି ସ୍ଥିତିରେ କେତେକ ସ୍ଥାନରେ ଚାଷୀ ନିଜ ବ୍ୟବସ୍ଥାରେ ଜଳାଭାବ ସମସ୍ୟା ଦୂର କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। କେତେକ ସ୍ଥାନରେ ଚାଷଜମିରେ ଗୋରୁପଲ ଚରୁଥିବା ବେଳେ ଆଉ କେତେକ ସ୍ଥାନରେ ଜମି ଫାଟି ଆଁ କଲାଣି। ଏଭଳି ନଗ୍ନ ଚିତ୍ର ଜିଲାର ଅଧିକାଂଶ ବ୍ଲକରେ ଦେଖିବାକୁ ମିଳିଛି। ଆଉ କିଛିଦିନ ଭିତରେ ବର୍ଷା ନହେଲେ ଚଳିତ ବର୍ଷ ମରୁଡି ସୁନିଶ୍ଚିତ ଭାବି ଚାଷୀ ଆଜିଠାରୁ ପ୍ରମାଦ ଗଣିଲେଣି। ତେବେ ଦୀର୍ଘଦିନର ବ୍ୟବଧାନ ପରେ ଆଜି ସନ୍ଧ୍ୟାରେ ଅସରାଏ ବର୍ଷା ହୋଇଛି। ମରି ଯାଉଥିବା ତଳିଘେରାକୁ ଏହା ସଞ୍ଜିବନୀ ସଦୃଶ ହେବ ବୋଲି ମନେ କରାଯାଉଛି।
ଚଳିତ ବର୍ଷ ଖରିଫ ଋତୁରେ ଗଞ୍ଜାମ ଜିଲାରେ ୨ ଲକ୍ଷ ୧୫ ହଜାର ହେକ୍ଟର ଜମିରେ ଧାନ ଚାଷ ଲକ୍ଷ୍ୟ ରଖାଯାଇଛି। ଜିଲାରେ ତଳି ପକା କାର୍ଯ୍ୟ ଶେଷ ହୋଇଛି। ଭଲ ବର୍ଷା ହୋଇଥିବା ଜିଲାର କିଛି ବ୍ଳକରେ ଧାନ ରୁଆ କାର୍ଯ୍ୟ ଆରମ୍ଭ ହୋଇସାରିଥିବା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ଗଞ୍ଜାମର ଯେଉଁ ଅଞ୍ଚଳରେ ଟିକେ ଭଲ ବର୍ଷା ହୋଇଛି ସେଠାରେ ରୁଆ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲାର ଖାଲୁଆ ଜମିରେ ରୁଆ କାର୍ଯ୍ୟ ସରିବାକୁ ବସିଥିବା ବେଳେ ବର୍ଷା ନଥିବାରୁ ଢେପ ଜମିରେ ରୁଆ କାର୍ଯ୍ୟ ଆଦୌ ହୋଇପାରିିନି। ଗତବର୍ଷ ମେ ମାସରେ ଗଞ୍ଜାମରେ ହାରାହାରି ୧୩୭ ମିମି ବର୍ଷା ହୋଇଥିବା ବେଳେ ଚଳିତ ମେ’ ରେ ୫୧ ମିମି ବର୍ଷା ହୋଇଥିଲା; କିନ୍ତୁ ଜୁନ ମାସରେ ଚିତ୍ର ଅଲଗା ରହିଥିଲା। ଗତବର୍ଷ ଜୁନ ମାସରେ ହାରାହାରି ୧୧୨ ମିମି ବର୍ଷା ହୋଇଥିବା ବେଳେ ଚଳିତ ଜୁନରେ ୨୨୯.୫ ମିମି ବର୍ଷା ହୋଇଛି। ସେହିପରି ଗତବର୍ଷ ଜୁଲାଇରେ ହାରାହାରି ୨୨୫ ମିମି ବର୍ଷା ହୋଇଥିବା ବେଳେ ଚଳିତ ଜୁଲାଇ ମାସ ୧୫ ଦିନ ଭିତରେ ହାରାହାରି ୮୯.୯୯ ମିମି ବର୍ଷା ରେକର୍ଡ କରାଯାଇଛି। ହାତରେ ଆହୁରି ୨୦ ଦିନରୁ ଅଧିକ ସମୟ ବାକି ଥିବାରୁ ଚଳିତବର୍ଷ ଗଞ୍ଜାମରେ ରୁଆ କାର୍ଯ୍ୟ ସୁରୁଖୁରୁରେ ଶେଷ ହେବ ବୋଲି ବିଭାଗ ଆଶା କରିଛି। ପାତ୍ରପୁର ବ୍ଲକର ୨୩ଟି ପଞ୍ଚାୟତରେ ସରକାରୀ ଭାବେ ଦଶ ହଜାର ହେକ୍ଟର ଜମିରେ ଖରିଫ ଋତୁରେ ଧାନ ଫସଲ ହୋଇ ଥାଏ। କେତେକ ଗ୍ରାମରେ ତଳି ପକାକୁ ଏକମାସ ବିତିଲାଣି। ଚାଷୀମାନେ ସେବା ସମବାୟ ସମିତିରୁ ବିହନ କିଣି ଜମିରେ ବୁଣିଥିଲେ। ଏହି ସବୁ ଧାନ ତଳି ୨୧ଦିନରୁ ଏକ ମାସ ମଧ୍ୟରେ ରୋଇବା ବିଧି ରହିଛି। ହେଲେ ବର୍ଷାଭାବ ସେଥିରେ ପ୍ରତିବନ୍ଧକ ସାଜିଛି। ଆଜି ସୁଦ୍ଧା ପାଞ୍ଚଶହ ହେକ୍ଟର ଜମିରେ ଧାନତଳି ରୁଆ କାମ ସରିଛି। ଅଞ୍ଚଳରେ ଥିବା ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ସମେତ ପୋଇ ଚାନ୍ଦିଆ, ବଗି, ମହେନ୍ଦ୍ର ତନୟାପ୍ରକଳ୍ପ, ନାରାୟଣ ସାଗର, ମୁକୁନ୍ଦଦେବ ସାଗର ପ୍ରଭୁତି ଛୋଟବଡ ଜଳ ଉତ୍ସରୁ ଜମିକୁ ପାଣି ମିଳିଥାଏ। କିଛି ଚାଷୀ ନିଜ ଜମିରେ ଗଭୀର ନଳକୂପ ଖନନ କରି ମୋଟର ମାଧ୍ୟମରେ ଜଳସେଚନ କରୁଛନ୍ତି। ସେହିପରି ଚିକିଟି ବ୍ଲକର ସବୁ ଜମି ଶୁଖିଲା ପଡିଛି। ବର୍ଷାଭାବରୁ ଧାନ ତଳି ସବୁ ଶୁଖିଯାଇ ପାଳ ହୋଇ ଗଲାଣି। କେତେକ ଚାଷୀ ପାଣି ବୋହି ତଳି ଘରାରେ ପାଣି ସିଞ୍ଚନ କରୁଛନ୍ତି। ଚିକିଟି ବ୍ଲକରେ ୯୫୦୦ ହେକ୍ଟର ଜମିରେ ଧାନ ରୁଆ ହୋଇଥାଏ। ସେଥି ମଧ୍ୟରୁ ପ୍ରାୟ ୭ହଜାର ହେକ୍ଟର ଜମି ଜଳ ସେଚିତ ହୋଇଥିବା ବେଳେ ଅଢେଇ ହଜାର ହେକ୍ଟର ଜମି ଅଣ ଜଳସେଚିତ । ବର୍ଷାଭାବରୁ ଚାରିଆଡେ ଜମି ଶୁଖିଲା ପଡିଛି। ଆସନ୍ନ ମରୁଡି ଆଶଙ୍କାରେ ଚାଷୀ ମହଲରେ ହା ହା କାର ଶବ୍ଦ ଶୁଭିଲାଣି। ପୁରୁଷୋତ୍ତମପୁର ବ୍ଲକର ୨୬ ପଂଚାୟତ ଓ ଏନଏସିର ଚାଷୀ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଧାରା ଶ୍ରାବଣରେ ବର୍ଷା ପାଣିରେ ଜମିରେ ଫସଲ ହସିବା କଥା; କିନ୍ତୁ ବେଗୁନିଆପଡା ବ୍ଲକ ଅଞ୍ଚଳରେ ଜମି ଫାଟି ଆଁ କରିଛି। ଚାଷୀ ଆକାଶକୁ ଚାହିଁ ବସିଛନ୍ତି।
Comments are closed.