ବେଗୁନିଆ: ବେଗୁନିଆ ବ୍ଲକର ରାଉତପଡ଼ା ଗ୍ରାମରେ ଭାରତ ସରକାରଙ୍କର ଟେକ୍ସଟାଇଲସ କମିଟି ସଂସ୍ଥା ଦ୍ୱାରା ହସ୍ତତନ୍ତ ବସ୍ତ୍ର ଉପରେ ହ୍ୟାଣ୍ଡଲୁମ ମାର୍କ ଓ ତତସମ୍ବନ୍ଧୀୟ ମୋବାଇଲ ଆପ ର ବ୍ୟବହାର ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବୟନ ମଣ୍ଡଳ ଅନ୍ତର୍ଗତ ରାଉତପଡା ହସ୍ତତନ୍ତ ପୁଞ୍ଜର ପ୍ରାୟ ୧୫୦ ଜଣ ବୁଣାକାର ଯୋଗ ଦେଇଥିଲେ। ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଉକ୍ତ ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଟେକ୍ସଟାଇଲସର ମୁଖ୍ୟ ପ୍ରଦୀପ ଦାସ ପ୍ରାରମ୍ଭିକ ଭାଷଣ ରଖିବା ସହିତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ।
ହସ୍ତତନ୍ତ ବୟନ କ୍ଷେତ୍ରରେ ଗ୍ରାହକ ମାନଙ୍କୁ ଅସଲି ହାତବୁଣା କପଡା କ୍ରୟ କରିବାର ଏକ ସଫଳ ପଦକ୍ଷେପ ଭାବରେ ହ୍ୟାଣ୍ଡଲୁମ ମାର୍କର ବ୍ୟବହାର ଓ ତାର ଉପଯୋଗୀତା ଉପରେ ଶ୍ରୀ ଦାସ ପାୱାର ପଏଣ୍ଟ ମାଧ୍ୟମରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଏଥି ସହିତ ହ୍ୟାଣ୍ଡଲୁମ ମାର୍କର ବ୍ୟବହାର, ରେଜିଷ୍ଟ୍ରେସନ ତଥା କ୍ରୟ ନିମନ୍ତେ ନୂତନ ଭାବରେ ପ୍ରଚଳିତ ମୋବାଇଲ ଆପର ବ୍ୟବହାର ସମ୍ବନ୍ଧରେ ବୁଣାକାରମାନଙ୍କୁ ସଚେତନ କରାଇଥିଲେ। ଏହି ସଚେତନତା ଶିବିରରେ ନିଫ୍ଟର ପ୍ରଫେସର ବିନୟ ଭୂଷଣ ଜେନା, ଜାତୀୟ ହସ୍ତତନ୍ତ ଉନ୍ନୟନ ନିଗମ, ଭାରତ ସରକାରଙ୍କର ପରିଚାଳକ ଏ କେ ସାହା, ଖୋର୍ଦ୍ଧା ବୟନ ମଣ୍ଡଳ ସହକାରୀ ନିର୍ଦେଶକ ପ୍ରସନ୍ନ କୁମାର ତୋଷ, ଉପ ସହକାରୀ ନିବନ୍ଧକ ଗୋବିନ୍ଦଚନ୍ଦ୍ର ଜେନା, ସ୍ଥାନୀୟ ସରପଞ୍ଚ ଶାନ୍ତିଲତା ଦାସ ଶିବିରରେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ରାଉତପଡା ତନ୍ତୁବାୟ ସହଯୋଗ ସମିତିର ସମ୍ପାଦକ, ପ୍ରଶାସକ ଓ ବୁଣାକାରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।



