ସୁଆଣ୍ଡୋ : ପୁରୀ ଜିଲା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବୁଧବାର ଟିକାକରଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସାସ୍ଥ୍ୟକେନ୍ଦ୍ର ସଭା ଗୃହରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ବ୍ଲକର ସମସ୍ତ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ଯୋଗ ଦେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡା. ବିଶ୍ୱଜିତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାମାରୀ କରୋନା ସମୟରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ନିରଳସ ସେବାର ଭୂୟସୀ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ ଜଣେ ସ୍ୱାସ୍ଥ୍ୟ କର୍ମୀ ଓ ଦୁଇଜଣ ଆଶାକର୍ମୀଙ୍କୁ ସେ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିପିଏମ ଜ୍ୟୋତି ରଞ୍ଜନ ଶତପଥୀ, ଫାର୍ମାସିଷ୍ଟ ସୁରେଶ ଚନ୍ଦ୍ର ନନ୍ଦ, ଜନ ସଂପ୍ରସାରଣ ଅଧିକାରୀ କ୍ଷେତ୍ରମଣୀ ସେଠି, ଜିଏଏମ ସୁଶାନ୍ତ କୁମାର ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ପୋଲିଓ, ମେଲେରିଆ, କରୋନା ଆଦି ଯାବତୀୟ ଟିକାକରଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇବା ପାଇଁ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ। ତେବେ ସମାନ କାମ କରିଆସୁଥିବା ଅଙ୍ଗନୱାଡି କର୍ମୀମାନଙ୍କୁ ସବୁବେଳେ ଅଣଦେଖା କରାଯାଉଛି ବୋଲି କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
Popular Categories



