ବେଗୁନିଆ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେଗୁନିଆ ବ୍ଲକରେ ୪୦ଏମ ଏମବର୍ଷା ହୋଇଥିବାର ଜଣାପଡିଛି । ଚାଷ ଜମିରେ ଲହଡି ଭାଙ୍ଗୁଛି ବର୍ଷା ଜଳ । ବିଲରେ କଟା ହୋଇ ପଡ଼ିଥିବା ପାଚିଲା ଧାନ ଉପରେ ଚାଲିଛି ବର୍ଷା ପାଣି । ପ୍ରାୟ ୫୦ ହେକ୍ଟର ବିଲରେ କଟା ହୋଇ ପଡ଼ିଥିବା ପାଚିଲା ଧାନ ଉପରେ ପାଣି ଜମି ରହିଛି । ଏଥି ସହିତ ୫୦ ହେକ୍ଟର ତଳୁଆ ଜମିରେ ମଥା ନଇଁଥିବା ଧାନ ଗଛ ଗୁଡିକ ପାଣିରେ ପଡିଛି । ପନିପରିବା ଫସଲର ମଧ୍ୟ ସମାନ ଅବସ୍ଥା । ଏଭଳି ସ୍ଥିତିରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏବେ ବର୍ଷା ଲାଗି ରହିଥିବାରୁ ବିଲରେ ପଡିଥିବା ପାଚିଲା ଧାନ ଗୁଡିକ ଗଜା ହୋଇଯିବ ବୋଲି ଚାଷୀ ମାନେ କହୁଛନ୍ତି । ଚଳିତ ବର୍ଷ ପ୍ରତିକୂଳ ପାଗରେ ଚାଷୀ ଧାନଚାଷ ଆରମ୍ଭ କରିଥିଲା । ପ୍ରଥମତଃ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଧାନ ତଳି ଖରାରେ ଜଳି ପୋଡି ଯାଇଥିଲା ।ପୁଣି ଥରେ ଚାଷୀ ଧାନ ତଳି ପକାଇ ତାକୁ ବିଳମ୍ବିତ ସମୟରେ ଧାନ ରୁଆ କାମ ସାରିଥିଲା ।ଏବେ ଅମଳ ବେଳକୁ ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ସେହିପରି ପନି ପରିବା ଫସଲରେ ମଧ୍ୟ ବର୍ଷାଜଳ ଦାଉ ସାଧୁଛି । ଧାର ଉଦ୍ଧାର କରି ବ୍ୟାଙ୍କରୁ ଋଣ ଆଣି ପ୍ରତିକୂଳ ପରିସ୍ଥିତିରେ ଚାଷୀ ଚାଷ କାମ କରିଥିବାବେଳେ ଏବେ ବର୍ଷକର ଖାଦ୍ୟ କିପରି ଆସିବ ଓ ଋଣ କିପରି ସୁଝିବ ସେହି ଚିନ୍ତା ଏବେ ଚାଷୀଙ୍କୁ ଘାରିଛି । ବ୍ଲକର ୨୧ ଟି ପଞ୍ଚାୟତରେ ହୋଇଥିବା କ୍ଷୟକ୍ଷତିର ସମ୍ପୂର୍ଣ ରିପୋର୍ଟ କୃଷି କାର୍ୟ୍ୟାଳୟରେ ପଂହଁଚି ନଥିବାରୁ କ୍ଷୟକ୍ଷତିର ପରିମାଣ ବଢ଼ିପାରେ ବୋଲି ଆଶା କରାଯାଉଛି ।
Popular Categories



