ପିଲାଙ୍କୁ ଶୁଣିବା

ଭୁବନେଶ୍ଵର: ଶୁଣିବା ଏକ ଦକ୍ଷତା। ଏହି ଦକ୍ଷତା ସମସ୍ତଙ୍କର ସମାନ ନଥାଏ। କାହାର ଶୁଣିବା ଦକ୍ଷତା ଅଧିକ ଥାଏ ତ କାହାର କମ୍ ଥାଏ। ଏଥିପାଇଁ ଧୈର୍ଯ୍ୟ ଆବଶ୍ୟକ। ଧୈର୍ଯ୍ୟର ସହ ଜଣକର କଥାକୁ ଶୁଣିବା ହେଉଛି ବଡ କଥା। ସମସ୍ତେ ସବୁ କଥାକୁ ସମାନ ଭାବରେ ଶୁଣି ନଥାନ୍ତି। କାରଣ ସବୁ କଥାର ଗୁରୁତ୍ୱ ସମସ୍ତଙ୍କ ପାଇଁ ସମାନ ନଥାଏ। ଯାହା ପାଇଁ ଯେଉଁ କଥାର ଗୁରୁତ୍ୱ ଅଧିକ ସେ ସେହି କଥାକୁ ମନଦେଇ ଶୁଣି ଥାଏ। ଯେମିତି କି ଶିକ୍ଷକଙ୍କ କଥା ପିଲାମାନେ ଶୁଣିବା କିମ୍ବା ପିଲାଙ୍କ କଥା ଶିକ୍ଷକ ଶୁଣିବା। ଶିକ୍ଷକଙ୍କ କଥା ପିଲା ନଶୁଣିଲେ କିମ୍ବା ପିଲାଙ୍କ କଥା ଶିକ୍ଷକ ନଶୁଣିଲେ ଶିକ୍ଷାଦାନ ଶିକ୍ଷଣ ସଫଳ ହୁଏ ନାହିଁ। ତାହେଲେ ଏଠାରେ ପ୍ରଶ୍ନ ଉଠୁଛି କେଉଁ ପ୍ରକାର ଶୁଣିବା; କାରଣ ଶୁଣିବାକୁ ଦୁଇ ଭାଗରେ ବିଭକ୍ତ କରାଯାଏ। ଗୋଟିଏ ହେଲା ମନଦେଇ ଶୁଣିବା, ଆଉ ଗୋଟିଏ ହେଲା ଅମନଯୋଗୀ ହୋଇ ବାଧ୍ୟ ବାଧକତାରେ ଶୁଣିବା। ଯେତେବେଳେ ଶିକ୍ଷକଙ୍କ କଥାଗୁଡିକ ପିଲାମାନଙ୍କୁ ଆନନ୍ଦ ଦେଇଥାଏ ସେତେବେଳେ ପିଲାମାନେ ସେହି କଥାଗୁଡିକୁ ମନଦେଇ ଶୁଣନ୍ତି; କିନ୍ତୁ ଶିକ୍ଷକଙ୍କ କଥାଗୁଡିକ ଯଦି ପିଲାଙ୍କ ମନଛୁଆଁ ହେଉନାହିଁ ସେତେବେଳେ ପିଲାମାନେ ଶିକ୍ଷକଙ୍କୁ ଡରି କିମ୍ବା ଶ୍ରେଣୀର ଶୃଙ୍ଖଳା ରକ୍ଷାକରି ବାଧ୍ୟ ବାଧକତାରେ ଶୁଣୁ ଥାଆନ୍ତି। ବାସ୍ତବରେ ତାଙ୍କର ମନ ଥାଏ ଅଲଗା। ଏହା ଏକ ସ୍ୱାଭାବିକ କଥା। ଏହା ସବୁ ଯାଗାରେ ଦେଖାଯାଏ। ବକ୍ତାର କଥା କହିବା ଢଙ୍ଗ ଉପରେ ଶ୍ରୋତା ମାନେ ନିର୍ଭର କରନ୍ତି। ସେଥିପାଇଁ କୁହାଯାଏ କହି ଜାଣିଲେ କଥା ସୁନ୍ଦର। ପ୍ରବଚକ ମାନେ ପ୍ରବଚନ ଦେଲା ବେଳେ ମଝିରେ ମଝିରେ ଗୀତ ବୋଲନ୍ତି। ଏହି ଗୀତ ମାଧ୍ୟମରେ ଶ୍ରୋତା ମାନଙ୍କୁ ବାନ୍ଧି ରଖନ୍ତି। କାରଣ ଗୀତ ସମସ୍ତଙ୍କୁ ଭଲ ଲାଗେ।
ଛୋଟ ପିଲାମାନେ କଥା କହିବା ଆରମ୍ଭ କରିବା ପୂର୍ବରୁ ପରିବାରରୁ ଅନେକ କଥା ଶୁଣି ଥାଆନ୍ତି। ଯେତେ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସନ୍ତି ସେତେ ଅଧିକ କଥା ଶୁଣିବାର ସୁଯୋଗ ପାଇଥାଆନ୍ତି। ଅନେକ ଅନୁଭୂତି ସଂଗ୍ରହ କଲା ପରେ ଧୀରେ ଧୀରେ କଥା କହିବା ଆରମ୍ଭ କରନ୍ତି। ସେହି ଆରମ୍ଭ ସମୟରେ ପିଲାଙ୍କ କଥା ଶୁଣିବାକୁ ବହୁତ ଭଲ ଲାଗେ। ସେମାନେ କହିଲା ବେଳେ ଯେଉଁ ଯାଗାରେ ଭୁଲ କରନ୍ତି ତାକୁ ସଂଶୋଧନ କରନ୍ତି ବଡମାନେ। ଏହିପରି ଭୁଲ ଠିକ ମଧ୍ୟଦେଇ ଧୀରେ ଧୀରେ ଠିକ ଭାବରେ କଥା କହିବା ଶିଖିଯାଆନ୍ତି; କିନ୍ତୁ ସବୁ ପିଲା ସମାନ ପରିମାଣରେ କଥା କହି ପାରନ୍ତି ନାହିଁ। କେତେକ ପିଲା ଅଧିକ କଥା କହିପାରନ୍ତି ତ ଆଉ କେତେକ ପିଲା କମ୍ କଥା କହିଥାଆନ୍ତି; କାରଣ କଥା କହିବା ଏକ ଦକ୍ଷତା, ଯାହାକି ସମସ୍ତଙ୍କର ସମାନ ଭାବରେ ନଥାଏ। ପରିବାରରେ ଥିଲା ବେଳେ ପିଲାଙ୍କୁ ଯାହା ପଚରାଯାଏ ତା’ର ଉତ୍ତର ଦିଅନ୍ତି ଏବଂ ସେମାନେ ମଧ୍ୟ ଅନେକ କଥା ପଚାରନ୍ତି। ପିଲାମାନେ ବଡ଼ମାନଙ୍କୁ ଯାହା ପଚାରନ୍ତି, ତା’ର ଠିକ୍ ଉତ୍ତର ନପାଇଲେ ସେମାନେ ବାରମ୍ବାର ପଚାରନ୍ତି। ତାହାହେଲେ ଏହି ସମୟରେ ବଡମାନେ ବିରକ୍ତି ପ୍ରକାଶ କରନ୍ତି। ପିଲାର କଥାକୁ ଆଉ ଶୁଣନ୍ତି ନାହିଁ। ଏହାଫଳରେ ତା’ ମନ ଭିତରେ ଏକ ଅବେସାସ ରହିଯାଏ। ତେଣୁ ତାଙ୍କ କଥାକୁ ଶୁଣିବା ଓ ତାର’ ଉତ୍ତର ଦେବାକୁ ଚେଷ୍ଟା କରିବା ଆବଶ୍ୟକ।
ପିଲାମାନେ ଯେତେବେଳେ ବିଦ୍ୟାଳୟରେ ପ୍ରବେଶ କରନ୍ତି ସେତେବେଳେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂସ୍ପର୍ଶରେ ଆସନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ଯାହା ପଚାରନ୍ତି, ପିଲାମାନେ ତା’ର ଉତ୍ତର ଦିଅନ୍ତି। ବେଳେ ବେଳେ କିଛି ପିଲା କୌଣସି ଉତ୍ତର ଦେଇ ପାରନ୍ତି ନାହିଁ। ଅନେକ ସମୟରେ ପିଲାମାନେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବହୁତ କଥା ପଚାରନ୍ତି। ସେତେବେଳେ ସେମାନେ ପିଲାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଆଉ କିଛି ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ କଥାକୁ ଶୁଣନ୍ତି। ଯେଉଁମାନେ ପିଲାଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣନ୍ତି ସେମାନେ ପିଲାଙ୍କ ଠାରୁ ଅନେକ ଜିନିଷ ଜାଣି ପାରନ୍ତି। କାରଣ ପିଲାମାନଙ୍କ ମଧ୍ୟରେ ଅନେକ ପ୍ରତିଭା ରହିଛି। ସେଗୁଡିକୁ ଉପେକ୍ଷା କରାଯାଇ ନପାରେ। ଆଜିକାଲି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟର ପାଠ ପଢ଼ା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟରେ ବେଶୀ ସମୟ ବିନିଯୋଗ କରନ୍ତି। ସେଥିପାଇଁ ସେମାନଙ୍କୁ ଆଉ ପିଲାଙ୍କୁ ଶୁଣିବାରେ ସମୟ ନଥାଏ। ସାଧରଣତଃ ପିଲାମାନେ କହିଲାବେଳେ ଖୁବ୍ ଧୀରେ ଧୀରେ କହନ୍ତି, କାରଣ କଥା କହିବାର ଦକ୍ଷତା ତାଙ୍କର କ୍ଷିପ୍ର ହୋଇ ନଥାଏ। କିଛି ପିଲା ଥଙ୍ଗେଇ ଥଙ୍ଗେଇ କହନ୍ତି। ସେ କଥା ଗୁଡିକ ଶୁଣିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିକଟରେ ସମୟ ନଥାଏ। ଆଉ ଏକ କାରଣ ହେଲା କମ୍ ଦିନ ମଧ୍ୟରେ କୋର୍ସ ସାରିବାର ଚେଷ୍ଟା ଫଳରେ ଶିକ୍ଷକ ଶିକ୍ଷୟିତ୍ରୀ ଆଉ ପିଲାଙ୍କୁ ଅପେକ୍ଷା ନକରି ଏକ ତରଫା ଭାବରେ ନିଜେ ନିଜେ ପାଠସବୁ ପଢ଼ାଇ ଚାଲିଥାନ୍ତି। ଏପରିକି ପିଲାଙ୍କର କୌଣସି ପ୍ରଶ୍ନର ଉତ୍ତର ମଧ୍ୟ ସନ୍ତୋଷଜନକ ଭାବରେ ଦିଅନ୍ତି ନାହିଁ। ଏଥିପାଇଁ ପିଲାମାନେ ମଧ୍ୟ ଆଉ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କୌଣସି ପ୍ରଶ୍ନ ପଚାରନ୍ତି ନାହିଁ।
ସାଧାରଣତଃ ଶିକ୍ଷଣ ଏକ ଦ୍ୱିପାକ୍ଷିକ ପ୍ରକ୍ରିୟା। ଉଭୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀଙ୍କର ପରସ୍ପର ଭାବର ଆଦାନ ପ୍ରଦାନ ଦ୍ୱାରା ଶିକ୍ଷଣ ସଫଳ ହୋଇଥାଏ। ଯଦି ପିଲାମାନେ କିଛି କହୁ ନାହାନ୍ତି, କେବଳ ଶିକ୍ଷକ ଶିକ୍ଷୟିତ୍ରୀ କହୁଛନ୍ତି ତାହେଲେ ଶିକ୍ଷଣ ଫଳଶୂନ୍ୟ ହୋଇଥାଏ। ତେଣୁ ପିଲାମାନଙ୍କର ସକ୍ରିୟ ଅଂଶ ଗ୍ରହଣକୁ ଉତ୍ସାହିତ କରିବା ଆବଶ୍ୟକ। ପିଲାମାନଙ୍କୁ ଅନେକ ପ୍ରଶ୍ନ କରି ତା’ର ଉତ୍ତର ପିଲାଙ୍କ ଠାରୁ ଶୁଣିବା ନିହାତି ଜରୁରୀ। ପିଲାମାନେ ବେଳେ ବେଳେ ମଞ୍ଜ କଥା ଗୁଡିକ କହନ୍ତି। ସେମାନେ ଛୋଟ ହେଲେ ମଧ୍ୟ ଅନେକ ସୃଜନାତ୍ମକ ଶକ୍ତି ତାଙ୍କର ରହିଛି। ତାଙ୍କଠାରୁ ମଧ୍ୟ କେତେ କଥା ଶିକ୍ଷା ମିଳେ। ପିଲାମାନେ ନିଜ ମାତୃ ଭାଷାରେ ତାଙ୍କର କଥା ଗୁଡିକ କହନ୍ତି। ସେତେବେଳେ ହୁଏତ କେତେ ଶିକ୍ଷକଙ୍କ ପାଇଁ ସମସ୍ୟା ହୋଇପାରେ। ବିଳମ୍ବ ହେଲେ ମଧ୍ୟ ପିଲାଙ୍କ କଥା ଶୁଣିବା ପାଇଁ ସମୟ ଦେବା ଦରକାର। ଯେଉଁମାନେ ପିଲାଙ୍କ କଥା ଶୁଣି ସେ ଅନୁସାରେ କାମ କରନ୍ତି ସେମାନଙ୍କୁ ପିଲାମାନେ ବହୁତ ଭକ୍ତି କରନ୍ତି, ମାନନ୍ତି।
କେବଳ ବିଦ୍ୟାଳୟ ନୁହେଁ, ସବୁ ଯାଗାରେ ପିଲାମାନଙ୍କ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପରିବାରରେ ହେଉ କିମ୍ବା ସାହି ପଡ଼ିଶାରେ ହେଉ ସବୁ ଯାଗାରେ ପିଲାଙ୍କ ଠାରୁ ଶୁଣିବା ଉଚିତ୍। ଏହାଫଳରେ ସେମାନେ ଆହୁରି ଆଗକୁ ଯିବାର ସାହସ କରନ୍ତି। ଅଧିକ କଥା ଶିଖିବା ସହିତ ସେମାନଙ୍କର କଥା କହିବା ଦକ୍ଷତା ବୃଦ୍ଧି ହୋଇଥାଏ। ସେମାନେ ଯେତେ ଅଧିକ ଜିଜ୍ଞାସୁ ହେବେ ତାହା ତାଙ୍କ ଭବିଷ୍ୟତ ଜୀବନ ପାଇଁ ଫଳପ୍ରଦ ହେବ। ବଡମାନଙ୍କୁ ଅଧିକ ପ୍ରଶ୍ନ ପଚାରିବେ ଏବଂ ତା’ର ଉତ୍ତର ଜାଣିବେ। ତେଣୁ ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରାଇବାରେ ଏହା ସହାୟକ ହେବ। ତେଣୁ ପିଲାଙ୍କ କଥାକୁ ଅଣଦେଖା ନକରି ଗୁରୁତ୍ୱର ସହ ଶୁଣିବା ଆବଶ୍ୟକ। କାରଣ ସେମାନେ ଆମର ଭବିଷ୍ୟତ। ଆମ ଭବିଷ୍ୟତ ନାଗରିକଙ୍କୁ ମଣିଷ କରିବା ଆମର ଦାୟିତ୍ୱ।
Comments are closed.