ବନମାଳିପୁର: ସମୟକ୍ରମେ ସାମାଜିକ ଚାହିଦା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ରୁଚି ବଦଳିଛି। ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ବିଭିନ୍ନ ବଂଶାନୁକ୍ରମିକ ବୃତ୍ତିଧାରୀଙ୍କ ଉପରେ। ଯାହାଫଳରେ ଅନେକ ପରିବାର ସେମାନଙ୍କ କୌଳିକ ବୃତ୍ତି ଛାଡ଼ି ଦେଇଥିବାବେଳେ ଆଉ କେତେକ ଯେନତେନ ପ୍ରକାେର ବଂଶାନୁକ୍ରମିକ ବୃତ୍ତିକୁ ଆଦରି ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ବିଶେଷକରି ବାଉଁଶ ଓ ମାଟି ତିଆରି ସାମଗ୍ରୀ ପୂର୍ବେ ବହୁଳ ବ୍ୟବହାର ହେଉଥିବାବେଳେ ଏବେ ଏହିସବୁ ସାମଗ୍ରୀ କେବଳ ଓଷା, ବାହା, ବ୍ରତ, ପର୍ବପର୍ବାଣୀରେ ସୀମିତ ରହିଛି। ବାଉଁଶ ପାତିଆରେ ପ୍ରସ୍ତୁତ ଟୋକେଇ କୁଲା, ବାଉଁଶିଆ, ଭୋଗେଇ ଡାଲା, ମାଟିରେ ପ୍ରସ୍ତୁତ ହାଣ୍ଡି, ମାଠିଆ, କଳସ, ସରା, ଆଦିର ସ୍ଥାନ ପିତ୍ତଳ, ଷ୍ଟିଲ, ସିଲଭର, ପ୍ଲାଷ୍ଟିକରେ ପ୍ରସ୍ତୁତ ସାମଗ୍ରୀ ମାଡ଼ି ବସିଲାଣି। ବିବାହ, ବ୍ରତ, ମହୋତ୍ସବ, ଯଜ୍ଞ ସମେତ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ଅନନ୍ତ ବାସୁଦେବ ଭଳି କିଛି ପ୍ରାଚୀନ ମନ୍ଦିରରେ ମାଟିରେ ତିଆରି ସାମଗ୍ରୀର ବ୍ୟବହାରକୁ ବାଦ୍ ଦେଲେ ଆଉ କୌଣସି ସ୍ଥାନରେ ମାଟି ସାମଗ୍ରୀର ଚାହିଦା ଆଉ ପ୍ରାୟତଃ ନାହିଁ କହିଲେ ଚଳେ।
ପୂର୍ବେ ମାଟି ଓ ବାଉଁଶ ତିଆରି ସାମଗ୍ରୀର ଚାହିଦା ଏତେ ଥିଲା ଯେ ଏସବୁ ସାମଗ୍ରୀ ପ୍ରସ୍ତୁତିକୁ ବେଉସା କରି ଅନେକ ସେମାନଙ୍କ ପରିବାର ପ୍ରତିେପାଷଣ କରୁଥିଲେ ବୋଲି କହିଛନ୍ତି ବହୁ ପରିବାର। ଏବେ ସମୟ ଓ ଚାହିଦା ବଦଳିବା ପରେ ପୁରୁଷ ପୁରୁଷ କରି ଆଦରିଥିବା ବାଉଁଶ ଓ ମାଟି ତିଆରି ସାମଗ୍ରୀ ପ୍ରସ୍ତୁତି ବୃତ୍ତିକୁ ଅନେକ ପରିବାର ଛାଡ଼ିନାହାନ୍ତି ସତ, ହେଲେ ଏହି ବୃତ୍ତିକୁ ବେଉସା କରି ପରିବାର ପୋଷିବା ଆଉ ସମ୍ଭବ ହେଉନାହିଁ ବୋଲି କହିଛନ୍ତି ମଞ୍ଜୁ ମୁଦୁଲି, ପୁରୁଷୋତ୍ତମ ମୁଦୁଲି, ପାଣୁ ମୁଦୁଲି, ବରୁଜୁ ନାୟକ, ଶାନ୍ତି ନାୟକଙ୍କ ଭଳି ଅନେକ ବ୍ୟକ୍ତି। ଏହାବ୍ୟତୀତ ଏସବୁ ପାରମ୍ପରିକ ସାମଗ୍ରୀ ପ୍ରସ୍ତୁତ ଓ କାରବାର ପାଇଁ ସରକାରୀ ସହାୟତା କିମ୍ବା ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇନଥିବାରୁ ଏହି ପାରମ୍ପରିକ କୁଟୀର ଶିଳ୍ପ ଏବେ ନାମକୁ ମାତ୍ର ବଞ୍ଚିଛି। ଏହି ପାରମ୍ପରିକ ଶିଳ୍ପକୁ ବୃତ୍ତି କରି ବଞ୍ଚିଥିବା ପରିବାରକୁ ଚିହ୍ନଟ କରାଯାଇ ଆର୍ଥିକ ସହାୟତା ସହ ବିକଶିତ ସାମଗ୍ରୀ ପ୍ରସ୍ତୁତ ପାଇଁ ବୈଷୟିକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।



