ଭୁବନେଶ୍ଵର : ରାଜଧାନୀରେ ହିଟ ଆଣ୍ଡ ରନ ମାମଲା । ଜବତ ହେଲା କିଲର ଥର୍। ଗତକାଲି ସନ୍ଧ୍ୟାରେ ଭୁବନେଶ୍ଵରର ପାତ୍ରପଡ଼ା ନିକଟରେ ଦୁର୍ଘଟଣା ଘଟି ଜଣେ ୮ ବର୍ଷୀୟା ନାବାଳିକାର ମୃତ୍ୟୁ ଘଟିଥିଲା । ଏହାର ପ୍ରତିବାଦରେ ଆଜି ଫୁଲେଶ୍ଵରୀ ବସ୍ତିର ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି। ସୂଚନା ଅନୁସାରେ, ପାତ୍ରପଡ଼ା ନିକଟ ଭି-୨ ଶପିଂ ମଲ ପାଖରେ ମା’, ପୁଅ ଏବଂ ଝିଅ ହାତ ଧରାଧରି ହୋଇ ରାସ୍ତା ପାର ହେଉଥିବା ସମୟରେ ଏକ ଥର ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣାରେ ମା’ ଓ ପୁଅ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଝିଅଟି ତା’ ମାମୁଁ ଘରକୁ ରାକ୍ଷୀ ବାନ୍ଧିବାକୁ ମା’ ଓ ଭାଇ ସହିତ ଯାଇଥିଲା। ସେଠାରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଖବରପାଇ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା।
Popular Categories



