www.samajalive.in
Friday, December 5, 2025
27.1 C
Bhubaneswar

ସାମୁଦ୍ରିକ ପରିସଂସ୍ଥାରେ ପରିବର୍ତ୍ତନ

ଭୁବନେଶ୍ଵର: ବିଶ୍ୱର ଏକସ୍ତରି ପ୍ରତିଶତ ସମୁଦ୍ର ଓ ଏହାର କ୍ଷେତ୍ରଫଳ ପ୍ରାୟ ୩୬୧ ନିୟୁତ ବର୍ଗ କିଲୋମିଟର। ପୃଥିବୀର ଜଳଚକ୍ର, ଅଙ୍ଗାରକ ଚକ୍ର ଓ ଯବକ୍ଷାରଜାନ ଚକ୍ରକୁ ଭାରସାମ୍ୟ କରିବାରେ ଏହାର ଭୂମିକା ରହିଛି। ବିଭିନ୍ନ ଜଳଜୀବ ଓ ମୁକ୍ତାର ଉତ୍ସ ହୋଇଥିବାରୁ ଏହାକୁ ରତ୍ନାକର କହନ୍ତି। କାହିଁ କେଉଁ ଆଦିମ କାଳରୁ ସମୁଦ୍ର ଆମକୁ ଖାଦ୍ୟ ଓ ମନୋରଞ୍ଜନ ଯୋଗାଇବା ସହ ପୃଥିବୀର ସମସ୍ତ ବର୍ଜ୍ୟବସ୍ତୁ ନିଷ୍କାସନ ସ୍ଥଳ ହୋଇଛି। ସାତ ସମୁଦ୍ର ଦେଇ ବିଭିନ୍ନ ଦେଶ ମଧ୍ୟରେ ପରିବହନ ଶସ୍ତାରେ ହୋଇପାରୁଛି। ଆଟଲାଣ୍ଟିକ ଓ ପ୍ରଶାନ୍ତ ମହାସାଗରକୁ ପାନାମା କେନାଲ ସଂଯୋଗ କରିବା ଫଳରେ ବିଶ୍ବ ବାଣିଜ୍ୟ ସୁବିଧାରେ ହେଉଛି। ଏହି ସମୁଦ୍ର କେବେ ଭୀମ ଓ କେବେ ଶାନ୍ତ। ଏକଦା ବରୁଣ ଦେବଙ୍କ ପାଖରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ହାତଯୋଡି ସହାୟତା ମାଗିଥିଲେ ଲଙ୍କା ଗମନ କରିବାକୁ। ଆଜି କିନ୍ତୁ ସାମୁଦ୍ରିକ ପରିବେଶ ଆମର ଅପରିଣାମଦର୍ଶୀ କ୍ରିୟାନୁଷ୍ଠାନ ଯୋଗୁଁ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଏକଦା ଭୀମକାନ୍ତ ସମୁଦ୍ର ଆଜି କ୍ଳାନ୍ତ ମନେହୁଏ। ଅଧିକ ପରିମାଣରେ ମତ୍ସ୍ୟ ଅମଳ, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ଅବସାଦନ ଏହାର ମୁଖ୍ୟ କାରଣ। ଏପରି ପରିବର୍ତ୍ତନ ଯୋଗୁଁଁ ସମୁଦ୍ର ଉପକୂଳରେ ବାସ କରୁଥିବା ଧୀବର ଓ ଅନ୍ୟାନ୍ୟ ସମ୍ପ୍ରଦାୟର ଜୀବିକା ଏହାଦ୍ବାରା ପ୍ରଭାବିତ ହେବାର ପରିଲକ୍ଷିତ ହେଉଛି ।
ସାମୁଦ୍ରିକ ପରିସଂସ୍ଥାରେ ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀ ଖାଦ୍ୟ ଶୃଙ୍ଖଳ ମାଧ୍ୟମରେ ସ୍ବତଃ ନିୟନ୍ତ୍ରିତ। ଉଦ୍ଭିଜ୍ଜ ପ୍ଲବକ ଭାଷ୍ଳେଷଣ ପ୍ରକିୟାରେ ଖାଦ୍ୟ ପ୍ରସ୍ତୁତ କରନ୍ତି ଓ ଏହା ଉପରେ ନିର୍ଭର କରନ୍ତି ପ୍ରାଣୀଜ ପ୍ଲବକ। ଛୋଟ ମାଛ ପ୍ରାଣୀଜ ପ୍ଳବକ ଖାଇ ବଢନ୍ତି ଓ ବଡ ମାଛ ଛୋଟ ମାଛ ଖାଇ ବଢନ୍ତି। ହ୍ବେଲ ଓ ତିମି ବଡ ମାଛକୁ ଖାଇବା ସ୍ଥଳେ ଏମାନଙ୍କର ମୃତ୍ୟୁ ପରେ ବ୍ୟାକ୍ଟେରିଆ ଓ କେତେକ କବକ ଏଗୁଡ଼ିକୁ ଅପଘଟନ କରି ପରିସଂସ୍ଥାର ପରିଚାଳନା କରନ୍ତି। ସମୁଦ୍ର ମଧ୍ୟରୁ ଶାମୁକା, ଶଙ୍ଖ ଓ ମୁକ୍ତା ଇତ୍ୟାଦି ମୂଲ୍ୟବାନ ବସ୍ତୁ ମିଳିଥାଏ; କିନ୍ତୁ ଜଳବାୟୁ ପରିବର୍ତ୍ତନ ଓ ବିଭିନ୍ନ ପ୍ରଦୂଷଣ ଯୋଗୁଁ ସାମୁଦ୍ରିକ ପରିସଂସ୍ଥା ଆଜି ବିପଦଗ୍ରସ୍ତ; ଯାହାର ପ୍ରଭାବ ସମୁଦ୍ର ଉପରେ ନିର୍ଭରଶୀଳ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପଡୁଛି। ଏପରି ପରିସ୍ଥିତିର କାରଣ ଓ ନିରାକରଣ ଏହି ଆଲେଖ୍ୟର ଉଦ୍ଦେଶ୍ୟ ।
ଆଜି ବିଶ୍ବର ସବୁ ସମୁଦ୍ର ପ୍ରଦୂଷିତ। ସାମୁଦ୍ରିକ ପ୍ରଦୂଷଣଗୁଡିକ ହେଉଛି ପ୍ଲାଷ୍ଟିକ ପ୍ରଦୂଷଣ, ବର୍ଜ୍ୟବସ୍ତୁ ପ୍ରଦୂଷଣ, ସାମୁଦ୍ରିକ ଅମ୍ଳୀକାରଣ, ପୋଷକ ପ୍ରଦୂଷଣ, ବିଷାକ୍ତ ଦ୍ରବ୍ୟ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ। ସମୁଦ୍ର ଗର୍ଭକୁ ଅଧିକ ପୋଷଣ ପ୍ରବାହିତ ହେବା ମଧ୍ୟ କ୍ଷତିକାରକ। କୃଷି କ୍ଷେତ୍ରରୁ ଅଧିକ ରାସାୟନିକ ସାରରୁ ନାଇଟ୍ରେଟ୍ ଇତ୍ୟାଦି ପୋଷକ ପରିଶେଷରେ ସମୁଦ୍ର ମଧ୍ୟକୁ ଆସିବା ଯୋଗୁଁ ବହୁ କ୍ଷତି ହୋଇଥାଏ। କାରଣ ସୁପୋଷଣ ଯୋଗୁଁ ଅଧିକ ପାଦପ ପ୍ଲବକ ବା ଫାଇଟୋପ୍ଳାଂକଟନ ଦ୍ରୁତ ଗତିରେ ବଢି ସବୁ ପୋଷକ ଶେଷ କରିଦିଅନ୍ତି। ଏହା ପରେ ସେମାନେ ଖାଦ୍ୟ ଅଭାବରୁ ମରି ବ୍ୟାକ୍ଟେରିଆ ଦ୍ବାରା ଅପଘଟିତ ହୁଅନ୍ତି। ଏହାଯୋଗୁଁ ଅମ୍ଳଜାନ ଅଭାବରେ ମାଛ ଇତ୍ୟାଦି ପ୍ରାଣୀ ମରିଯାଆନ୍ତି। ବର୍ଷା, ନଦୀ ଓ ନାଳ ଦ୍ବାରା ଭୂପୃଷ୍ଠରୁ ପଟୁ, ମାଟି ଇତ୍ୟାଦି ପଦାର୍ଥ ସମୁଦ୍ର ଜଳରେ ମିଶେ। ଏଥିରେ କେତେକ ବିଷାକ୍ତ ପଦାର୍ଥ ମଧ୍ୟ ଥାଏ। ଏପରି ଅବସାଦନ ଯୋଗୁଁ ସମୁଦ୍ର ଶଯ୍ୟାରେ କାଦୁଅ ଜମି କେତେକ ପ୍ରାଣୀକୁ ମାରିଦିଏ। ହାଲୁକା ଅବସାଦନ ପଦାର୍ଥ ସମୁଦ୍ର ଉପରି ଭାଗରେ ଝୁଲି ରହିବା ଯୋଗୁଁ ସମୁଦ୍ର ମଧ୍ୟରେ ଥିବା ଉଦ୍ଭିଦ ସୂର୍ଯ୍ୟାଲୋକ ନପାଇ ଭାଶ୍ଳେଷଣ କରି ନପାରି ମୃତ୍ୟୁ ହେବା ଫଳରେ କେତେକ ମାଛ ମଧ୍ୟ ମରିବା ଦେଖାଯାଏ। ବେଳେବେଳେ କେତେକ ଆକ୍ରାମକ ପ୍ରଜାତି ସମୁଦ୍ର ମଧ୍ୟକୁ ପ୍ରବେଶ କରି ନିଜର ବଂଶବୃଦ୍ଧି କରି ସମୁଦ୍ର ମଧ୍ୟରେ ଥିବା ପ୍ରାଣୀମାନଙ୍କୁ ମାରି ଦିଅନ୍ତି। ସବୁଠାରୁ ଅଧିକ କ୍ଷତିକାରକ ହେଉଛି ପ୍ଲାଷ୍ଟିକ ପ୍ରଦୂଷଣ। ପ୍ଲାଷ୍ଟିକ ବୋତଲ ଠାରୁ ଆରମ୍ଭ କରି ମାଇକ୍ରୋ ପ୍ଲାଷ୍ଟିକ ପ୍ରଦୂଷଣ ସର୍ବତ୍ର ଦୃଷ୍ଟିଗୋଚର ହୁଏ। ଏକ ଅଟକଳ ଅନୁଯାୟୀ ବର୍ଷକୁ ୧.୧ ରୁ ୮ ନିୟୁତ ଟନ ପର୍ଯ୍ୟନ୍ତ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ସମୁଦ୍ର ମଧ୍ୟରେ ପ୍ରବେଶ କରେ। ୨୦୧୩ ସୁଦ୍ଧା ବିଶ୍ୱର ସମୁଦ୍ରଗୁଡିକରେ ପ୍ରାୟ ୮୬ ନିୟୁତ ଟନ ପ୍ଲାଷ୍ଟିକ ମହଜୁଦ ହୋଇ ରହିଛି ଯାହାକି ବିଶ୍ୱରେ ୧୯୫୦ଠାରୁ ୨୦୧୩ ମସିହା ମଧ୍ୟରେ ଉତ୍ପାଦିତ ହୋଇଥିବା ମୋଟ ପ୍ଲାଷ୍ଟିକର ୧.୪%। ୨୦୫୦ ଆଡ଼କୁ ପୃଥିବୀର ସମୁଦ୍ରଗୁଡିକରେ ମାଛଙ୍କ ଅପେକ୍ଷା ଅଧିକ ପ୍ଲାଷ୍ଟିକ ଗଚ୍ଛିତ ହେବାର ଅଟକଳ କରାଯାଇଛି। ସାମୁଦ୍ରିକ ପ୍ରାଣୀଙ୍କ ଖାଦ୍ୟ ଶୃଙ୍ଖଳ ମଧ୍ୟରେ ପ୍ଲାଷ୍ଟିକ ପ୍ରବେଶ କଲେ ସେମାନଙ୍କ ଶରୀରରେ ବହୁ ରାସାୟନିକ ପ୍ରତିକ୍ରିୟା ଯୋଗୁଁ ସେମାନେ ମୃତ୍ୟୁବରଣ କରନ୍ତି।
ଜଳବାୟୁ ପରିବର୍ତ୍ତନ ଆମର ସାମୁଦ୍ରିକ ପରିସଂସ୍ଥାର ବ୍ୟାପକ ପରିବର୍ତ୍ତନ କଲାଣି। ସମୁଦ୍ର ଉତ୍ତାପ ବୃଦ୍ଧି ଯୋଗୁଁ ପ୍ରବାଳ ବିରଞ୍ଜନ ବା କୋରାଲ ବ୍ଲିଚିଙ୍ଗ ଓ ସାମୁଦ୍ରିକ ଜୀବଙ୍କ ବାସସ୍ଥଳୀ ହାନି ଦେଖା ଗଲାଣି। ସମୁଦ୍ର ମଧ୍ୟ ଅଧିକ ଅଙ୍ଗାରକାମ୍ଳ ବାଷ୍ପ ଶୋଷଣ କରିବା ଯୋଗୁଁ ଏହାର ଅମ୍ଳୀୟତା କ୍ରମଶଃ ବୃଦ୍ଧି ପାଉଛି। କୋରାଲ ରିଫ୍ (ପ୍ରବାଳ ଭିତ୍ତି), ସେଲ ମାଛ ଓ ପ୍ଲାଙ୍କ୍‌ଟନଗୁଡିକ ଶରୀରର ଖୋଳ ଓ ମେରୁଦଣ୍ଡ ଗଠନରେ ସମସ୍ୟା ସୃଷ୍ଟି କରୁଛି। ହିମବାହ ଓ ବରଫ ତରଳି ସମୁଦ୍ର ଜଳପତ୍ତନ ବୃଦ୍ଧି କରୁଛି। ଏହାର ପ୍ରଭାବରେ ସମୁଦ୍ର ତଟବର୍ତ୍ତୀ ଜମି ଓ ଗ୍ରାମ ବୁଡି ଯାଉଛି। ସମୁଦ୍ର ତରଙ୍ଗ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇ ସାମୁଦ୍ରିକ ପରିସଂସ୍ଥା ଓ ସ୍ଥାନୀୟ ଜଳବାୟୁକୁ ପ୍ରଭାବିତ କରେ। ଉତ୍ପତ୍ତ ଜଳ କମ୍ ପରିମାଣର ଅମ୍ଳଜାନ ଧାରଣ କରେ। ସୁତରାଂ ବିଭିନ୍ନ ଜଳ ସ୍ତରରେ ଅମ୍ଳଜାନ ଅଭାବ ହେଲେ ଜଳଚର ପ୍ରାଣୀ ବଞ୍ଚିବା କଷ୍ଟକର ହୁଏ। ତାପ ପରିବର୍ତ୍ତନ ହେଲେ ସାମୁଦ୍ରିକ ପ୍ରାଣୀଙ୍କ ସ୍ଥାନାନ୍ତରଣ ମଧ୍ୟ ବାଧାପ୍ରାପ୍ତ ହୁଏ ଓ ପ୍ରଜନନ ହ୍ରାସ ପାଏ। ତାପ ପରିବର୍ତ୍ତନ ଓ ଅମ୍ଳୀୟତା ସାମୁଦ୍ରିକ ଜୈବ ବିଭିନ୍ନତାକୁ ପ୍ରଭାବିତ କରିବା ସହିତ ପରିସଂସ୍ଥାରେ ଘଟୁଥିବା ଖାଦ୍ୟ ଶୃଙ୍ଖଳ ଓ ଖାଦ୍ୟ ଜାଲକକୁ କମାଇଦିଏ। ଫଳରେ ବହୁ ସାମୁଦ୍ରିକ ଜୀବଙ୍କ ବଂଶହାନି ଘଟେ। ଏକ ଅଟକଳରୁ ଜଣାଯାଏ ବର୍ଷରେ ଯେତେ ପ୍ଲାଷ୍ଟିକ ସମୁଦ୍ର ପୃଷ୍ଠରେ ଭାସେ ସେଥିରୁ ୭୬ ନିୟୁତ ଟନ ମିଥେନ ବାଷ୍ପ ବାୟୁମଣ୍ଡଳକୁ ନିର୍ଗତ ହୁଏ ଓ ଜଳବାୟୁ ପରିବର୍ତ୍ତନର କାରଣ ସାଜେ। ସମୁଦ୍ର ନିମ୍ନ ଭାଗରେ ଅଧିକ ଅଙ୍ଗାରକାମ୍ଳ ବାଷ୍ପ ଯୋଗୁଁ ଅମ୍ଳତା ମଧ୍ୟ ଏକ ବିପଦର କାରଣ। ଏହାଦ୍ୱାରା ସମୁଦ୍ର ଜୈବ ବିବିଧତାରେ ପରିବର୍ତ୍ତନ ଦେଖାଗଲାଣି। ବାୟୁମଣ୍ଡଳକୁ ଯେତିକି ଅଙ୍ଗାରକାମ୍ଳ ବାଷ୍ପ ତ୍ୟାଗ କରାଯାଏ ତାହାର ୩୦ ପ୍ରତିଶତ ସମୁଦ୍ର ମଧ୍ୟକୁ ଆସେ। ଏହି ଅଙ୍ଗାରକାମ୍ଳ ବାଷ୍ପ ସମୁଦ୍ର ମଧ୍ୟରେ କାର୍ବୋନିକ ଅମ୍ଳ ସୃଷ୍ଟିକରେ। ଏହା ଫଳରେ ଉଦ୍‌ଜାନ ଆୟନ ବାହାରି ଜଳର କ୍ଷାରାମ୍ଳ ହ୍ରାସକରିବା ଯୋଗୁଁ ସମୁଦ୍ର ପାଣିର ଅମ୍ଳତା ବଢିଯାଏ ଓ କାର୍ବୋନିକ ଆୟନ କମିଯାଏ। ଏଣୁ ସାମୁଦ୍ରିକ ଜୀବ ନିଜର ଖୋଳ ଓ ମେରୁଦଣ୍ଡ ଗଠନ ପାଇଁ ଆବଶ୍ୟକ କ୍ୟାଲସିୟମ କାର୍ବୋନେଟରୁ ବଞ୍ଚିତ ହୁଅନ୍ତି। ଜଳର କ୍ଷାରାମ୍ଳ ବା ପି.ଏଚ୍ କମିବା ଯୋଗୁଁ ସାମୁଦ୍ରିକ ପ୍ରାଣୀ ନିଜର ଶାରୀରିକ ଗଠନ ଭଲ ଭାବରେ କରିପାରନ୍ତି ନାହିଁ ଓ ସାମୁଦ୍ରିକ ଖାଦ୍ୟ ଶୃଙ୍ଖଳର ମୁଳଦୂଆ ଦୁର୍ବଳ ହୋଇଯାଏ। ସାମୁଦ୍ରିକ ଅମ୍ଳତା ଯୋଗୁଁ ସମୁଦ୍ରରେ ରହୁଥିବା କୋରାଲ (ପ୍ରବାଳ ଭିତ୍ତି), ମୁସେଲ ଇତ୍ୟାଦି ବହୁ ସମୁଦ୍ର ଉପକୂଳରେ ଦୃଶ୍ୟମାନ ହେଉଛନ୍ତି। ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି କୋରାଲ ରିଫଗୁଡିକ। ଏହା ଆଗାମୀ ଦିନରେ ସାମୁଦ୍ରିକ ପରିସଂସ୍ଥା ପ୍ରତି ବିପଦ ସୃଷ୍ଟି କରିପାରେ। ଅନୁଧ୍ୟାନରୁ ଜଣାଯାଇଛି ଯେ ସାମୁଦ୍ରିକ ଅମ୍ଳତା ସମୁଦ୍ର ମତ୍ସ୍ୟ ସମ୍ପଦ ପାଇଁ ବିପଦ ଆଣିପାରେ। ଭାରତରେ ୭୫୦୦ କିଲୋମିଟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଏପରି ସମସ୍ୟା ଲାକ୍ଷାଦ୍ବୀପ ଓ ସୁନ୍ଦରବନ ଅଞ୍ଚଳରେ ଦେଖା ଗଲାଣି। ଗବେଷକମାନେ ଲାକ୍ଷାଦ୍ବୀପ ଅଞ୍ଚଳରେ ସମୁଦ୍ରରେ ଅଧିକ ଉତ୍ତାପ ଓ ଅମ୍ଳତା ପ୍ରଭାବରେ କୋରାଲ ରିଫ (ପ୍ରବାଳ ଭିତ୍ତି) ବିରଞ୍ଜନ ସହିତ ସେମାନେ ଶାରୀରିକ ଗଠନ ପାଇଁ ସଂଘର୍ଷ କରୁଛନ୍ତି। କେରଳ, ତାମିଲନାଡୁ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ବହୁ ମତ୍ସ୍ୟଜୀବୀ ନିଜର ଜୀବିକା ପାଇଁ ସମୁଦ୍ରରୁ ମାଛ ଧରନ୍ତି। ଶାମୁକା ଜାତୀୟ ଜୀବ କାର୍ବୋନେଟ୍ ଅଭାବରୁ ନିଜର ସଂଖ୍ୟା ହ୍ରାସ କରନ୍ତି। ସାମୁଦ୍ରିକ ଅମ୍ଳୀକରଣ ଗତ ୩୦୦ ନିୟୁତ ବର୍ଷ ଧରି ଏପରି ହୋଇ ନ ଥିଲା ଓ ସାମୁଦ୍ରିକ ଜଗତ ଏପରି ଦ୍ରୁତ ରାସାୟନିକ ପରିବର୍ତ୍ତନ ଅନୁଭବ କରି ନଥିଲା। ଆସନ୍ତା ଦୁଇ ଦଶନ୍ଧିରେ ଆମର କାର୍ଯ୍ୟକଳାପ ଏହି ସମସ୍ୟାକୁ କିପରି ସମାଧାନ କରୁଛି ତାହା ଦେଖିବାକୁ ବାକି ରହିଲା।
ସାମୁଦ୍ରିକ ପରିସଂସ୍ଥାଗୁଡିକରେ ଜଳବାୟୁ ପରିବର୍ତ୍ତନ ଜନିତ ଅମ୍ଳୀୟତା ଓ କ୍ରମାଗତ ପ୍ରଦୂଷଣ ଜନିତ ସମସ୍ୟା ସମାଧାନ ପାଇଁ ବିଭିନ୍ନ ଦେଶରେ ଉଦ୍ୟମ କରାଯାଇଛି। ସତତ ବିକାଶ ଲକ୍ଷ୍ୟ ୨୦୩୦ର ଚତୁର୍ଦ୍ଦଶ ଲକ୍ଷ୍ୟରେ ଜଳ ତଳ ଜୀବନ ସମ୍ବନ୍ଧରେ ରଣନୀତି ପାଇଁ ନୀତି ସ୍ଥିର କରାଯାଇଛି। ସାମୁଦ୍ରିକ ସମସ୍ୟାଗୁଡ଼ିକର ପ୍ରତିକାର ପାଇଁ ରାଷ୍ଟ୍ରୀୟ ଓସନଗ୍ରାଫି ଅନୁଷ୍ଠାନ ଓ ରାଷ୍ଟ୍ରୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର ବିଭିନ୍ନ ଗବେଷଣା କରୁଛନ୍ତି। ଶେଲ ମାଛ ପ୍ରଜନନ ସମୟରେ ଚୂନ ପ୍ରୟୋଗ କରି ଜଳର ଅମ୍ଳ ଶୋଧନ ପାଇଁ ପରୀକ୍ଷା କରୁଛନ୍ତି। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବନ ଓ ସମୁଦ୍ର ଘାସ ଗାଲିଚା ସୃଷ୍ଟି ପାଇଁ ଗୋଷ୍ଠୀଗତ ଉଦ୍ୟମ କରାଯାଇଛି। ଏହି ‘ନୀଳ କାର୍ବନ’ ପରିସଂସ୍ଥା ଅଙ୍ଗାରକାମ୍ଳ ବାଷ୍ପ ଶୋଷଣ କରିବା ଫଳରେ ସାମୁଦ୍ରିକ ଅମ୍ଳତା ହ୍ରାସ ପାଇବ। ଏପରି ଏକ ସମସ୍ୟାର ସମାଧାନ ପାଇଁ ଚାରାରୋପଣ ସହିତ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାର ବୃଦ୍ଧି କରିବାକୁ ହେବ। ସମୁଦ୍ର ମଧ୍ୟକୁ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ପ୍ରଦୂୂଷକ ଯେପରି ପ୍ରବେଶ ନକରେ ସେଥିପ୍ରତି ପ୍ରୟାସ କରିବାକୁ ହେବ। ମଣ୍ଡଳକୁ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ଯଦି ଏପରି ଲାଗି ରହେ ତେବେ ୨୧୦୦ ମସିହା ବେଳକୁ ସମୁଦ୍ର ଜଳର କ୍ଷାରାମ୍ଳ ୮.୨ରୁ ୭.୭କୁ ଖସି ଆସିବ। ଏପରି ୦.୫ ହ୍ରାସ ପାଇଲେ ଅମ୍ଳତ୍ବ ୧୫୦% ବୃଦ୍ଧି ପାଇପାରେ। ଏହା ଯୋଗୁଁ ଆମେ ସାମୁଦ୍ରିକ ଖାଦ୍ୟ ପ୍ରାପ୍ତିରେ ଅସୁବିଧା ଭୋଗ କରିବା ନିଶ୍ଚିତ। ସୁତରାଂ ଆମେ ସମସ୍ତେ ମିଳିମିଶି ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ, ମିଥେନ ଇତ୍ୟାଦି ସବୁଜ ଗୃହ ବାଷ୍ପ ଉତ୍ସର୍ଜନ ହ୍ରାସ କରିପାରିଲେ ବୈଶ୍ବିକ ତାପମାନ ନିୟନ୍ତ୍ରିତ ହେବ ଓ ଏହା ମଧ୍ୟ ସମୁଦ୍ର ଜଳର ଅମ୍ଳୀୟତା ନିୟନ୍ତ୍ରଣ କରିବ।
କଳିଙ୍ଗନଗର, ଭୁବନେଶ୍ବର

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories