ଜଳ ପ୍ରଦୂଷଣର ସୂଚନା ଦେବ ଉଦ୍ଭିଦ

-ମାନବଜଗତକୁ ମିଳିବ ନୂଆ ରାହା
-୪ ବିରଳ ପ୍ରଜାତିର ଔଷଧୀୟ ଉଦ୍ଭିଦର ସନ୍ଧାନ
-ଉପଶମ ହେବ ମଧୁମେହ, କର୍କଟ ଓ ଚର୍ମରୋଗ
-ଜନ୍ମ ନିୟନ୍ତ୍ରଣ ହେବ ସୁବ୍ୟବସ୍ଥିତ

ଭୁବନେଶ୍ବର  (ପ୍ରୀତିଶ୍ରୀ ସ୍ବଦେଶ) : ପ୍ରାକୃତିକ ପ୍ରକ୍ରିୟାର ସନ୍ତୁଳନରେ ବ୍ୟତିକ୍ରମ ବିଶ୍ବତାପାୟନ ଭଳି ସାଙ୍ଘାତିକ ସମସ୍ୟା ସୃଷ୍ଟି କରିଛି। ଏଭଳି ପ୍ରାକୃତିକ ସମସ୍ୟାଗୁଡିକର ସମାଧାନ ମଧ୍ୟ ପ୍ରକୃତି ନିଜ କୋଳରେ ସାଇତି ରଖିଛି। ପ୍ରତ୍ୟେକ ଉଦ୍ଭିଦରେ କିଛି ନା କିଛି ଔଷଧୀୟ ଗୁଣ ପୂରି ରହିଥିବା ବେଳେ ପ୍ରକୃତିର ସମସ୍ୟାକୁ ଚିହ୍ନିବାର ଦକ୍ଷତା ମଧ୍ୟ ଏଗୁଡିକରେ ରହିଛି। ଏହି ଉଦ୍ଭିଦଗୁଡିକୁ ଚିହ୍ନଟ କରି ମାନବ ସମାଜର କଲ୍ୟାଣ ଦିଗରେ ଉପଯୋଗ କରିବା ଲାଗି ନିରନ୍ତର ଗବେଷଣା ଜାରି ରଖିଛନ୍ତି ଓଡ଼ିଶାର କିଛି ଉଦ୍ଭିଦ ବିଜ୍ଞାନୀ। ଏହି ଗବେଷଣାକ୍ରମେ ପ୍ରାକୃତିକ ସମ୍ପଦରେ ଭରପୂର ଓଡ଼ିଶାର ବଣଜଙ୍ଗଲରୁ ୪ଟି ନୂତନ ପ୍ରଜାତିର ବିରଳ ଔଷଧିୟ ଉଦ୍ଭିଦ ଠାବ କରାଯାଇଛି। ଯାହାକି ମାନବ ସମାଜକୁ ନୂତନ ରାହା ପ୍ରଦାନ କରିବ। ଆୟୁର୍ବେଦୀୟ ଚିକିତ୍ସା କ୍ଷେତ୍ରରେ ଏଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିଶେଷକରି କର୍କଟ ରୋଗ, ମଧୁମେହ ଓ ଚର୍ମରୋଗ ଚିକିତ୍ସାରେ ଏହା ସହାୟକ ହୋଇପାରିବ। ଏହାଦ୍ବାରା ଜନ୍ମନିୟନ୍ତ୍ରଣ ସୁବ୍ୟବସ୍ଥିତ ହେବ। ଏପରିକି ଏହି ଉଦ୍ଭିଦ ଦ୍ବାରା ଜଳ ପ୍ରଦୂଷଣ ଭଳି ପ୍ରାକୃତିକ ସମସ୍ୟା ସମ୍ବନ୍ଧରେ ପ୍ରାକ୍‌ ସୂଚନା ମିଳିପାରିବ।

prayash

ଅମ୍ବିକା ପ୍ରସାଦ ରିସର୍ଚ୍ଚ ଫାଉଣ୍ଡେସନ (ଏପିଆରଏଫ)ପକ୍ଷରୁ ଚିହ୍ନଟ କରାଯାଇଥିବା ଏହି ଉଦ୍ଭିଦଗୁଡିକ ହେଲା; ଟୁଙ୍ଗ, ବଡ଼ ଆଳୁର ଗୋଟିଏ ନୂଆ ପ୍ରଜାତି, ଦୁଇ ପ୍ରକାରର ଚୁଇଁ ଗଛ। ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜିତ କୁମାରଙ୍କ ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠସ୍ଥ ଉତ୍ତରା ଅଞ୍ଚଳରୁ ‘ୟୁଟ୍ରିକୁଲାରିଆ ଓଡ଼ିଶାନେନ୍‌ସିସ’ ବା ଚୁଇଁ ନାମକ ଉଦ୍ଭିଦ ଆବିଷ୍କାର କରାଯାଇଛି। ସେହିଭଳି କଟକର ଅଠଗଡ଼ ଅନ୍ତର୍ଗତ ଅଂଶୁପା ନିକଟସ୍ଥ ଜଙ୍ଗଲରୁ ଚୁଇଁର ଆଉ ଏକ ପ୍ରଜାତି ‘ୟୁଟ୍ରିକୁଲାରିଆ ଅରୁଆଭର ଓଡ଼ିଶାନେନ୍‌ସିସ’ ନାମକ ବୃକ୍ଷ ଆବିଷ୍କାର ହୋଇଛି। ଏହି ଦୁଇ ଉଦ୍ଭିଦରେ ମଧୁମେହ ନିରାକରଣ କ୍ଷମତା ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ନିଜର ଜନ୍ମସ୍ଥାନର ଜଳ ପ୍ରଦୂଷଣ ସମ୍ବନ୍ଧରେ ଏହି ଉଦ୍ଭିଦ ଦ୍ବୟ ସଙ୍କେତ ବା ସୂଚନା ପ୍ରଦାନ କରିପାରି​‌େ​‌ବ। କୁମାର ସୂଚନା ଅନୁସାରେ ଏହି ଉଦ୍ଭିଦଗୁଡିକ ପ୍ରଦୁଷିତ ଜଳ ଥିବା ସ୍ଥାନରେ ହିଁ ଜନ୍ମିଥାଏ। କାରଣ ପ୍ରଦୁଷିତ ଜଳରେ ନାଇଟ୍ରୋଜେନ ବା ପିଏଚ ଭାଲ୍ୟୁ ୪ରୁ ୬ ପର୍ଯ୍ୟନ୍ତ କମିଯାଏ। ଏହି ଜଳରେ ଲାର୍ଭା ସଂଖ୍ୟା ବଢିଯାଏ। ଏହି ଉଦ୍ଭିଦଗୁଡିକ ମାଂସାଶୀ ଉଦ୍ଭିଦ ହୋଇଥିବାରୁ ଅଧିକ ଲର୍ଭା ଥିବା ଜଳରେ ବିକଶିତ ହୁଅନ୍ତି।

ଏଣୁ ଯେଉଁ ସନ୍ତସନ୍ତିଆ ଅଞ୍ଚଳରେ ଏହି ଉଦ୍ଭିଦ ସଂଖ୍ୟା ଅଧିକା ଥାଏ ସେଠାକାର ଜଳ ପ୍ରଦୂଷିତ ବୋଲି ଜଣାଯାଏ।
ସେହିଭଳି ଟୁଙ୍ଗ ନାମକ ଉଦ୍ଭିଦକୁ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସସ୍ଥିତ ପର୍ବତାଞ୍ଚଳର ଜଙ୍ଗଲରେ ଠାବ କରାଯାଇଥିବାରୁ ଏହାର ବୈଜ୍ଞାନିକ ନାମ ‘ୟୁଟ୍ରିକୁଲାରିଆ କପିଳାସନେନସିସ’ ରଖାଯାଇଛି। ଏହି ଉଦ୍ଭିଦରେ ପ୍ରଚୁର ପରିମାଣର ଏଞ୍ଜାଇମ ଉପଲବ୍ଧ ଥିବାରୁ ଏହା ମଧୁମେହ ଭଳି ରୋଗର ନିରାକରଣ କରିବାର କ୍ଷମତା ବହନ କରେ। କଟକସ୍ଥିତ ମହାନଦୀ ଅବବାହିକାରୁ ଠାବ କରାଯାଇଥିବା ଖମ୍ବ ଆଳୁ (ଡାଇସସ୍କୋରିଆ ଆଲାଟା) ବା ବଡ଼ ଆଳୁର ଏକ ନୂତନ ପ୍ରଜାତିକୁ ‘ଡାଇସସ୍କୋରିଆ ମହାନଦୀନେନସିସ’ ଭାବେ ନାମିତ କରାଯାଇଛି। ଏହା ମହିଳାଙ୍କ ପ୍ରାକୃତିକ ବନ୍ଧ୍ୟାକରଣ ପାଇଁ ପ୍ରଯୁଜ୍ୟ। ଏପରିକି ଜୀବନନାଶକାରୀ କର୍କଟରୋଗର ନିରାକରଣ ଦିଗରେ ଏହା ଉପଯୋଗୀ ହେବ। ଏଥିସହ ଏହାର ମୂଳକୁ କବକ ସଂକ୍ରମଣ ଜନିତ ଚର୍ମରୋଗର ଉପଚାରରେ ବ୍ୟବହାର କରାଯାଇପାରିବ। ଖମ୍ବ ଆଳୁ କନ୍ଦରେ ଏକପ୍ରକାରର କବକ ନିରୋଧୀ ପ୍ରକ୍ରିୟା ସମ୍ପାଦିତ ହୋଇଥାଏ। ଯାହାକି ବୟସାଧିକ୍ୟ ସମସ୍ୟା ଦୂର କରିଥାଏ। ଏଥିସହ ଏହା ଗ୍ରୀଷ୍ମ ଋତୁରେ ଶରୀରକୁ ଶୀତଳତା ପ୍ରଦାନ କରେ। ତେବେ ଖମ୍ବ ଆଳୁର ଆଧ୍ୟତ୍ମିକ ପ୍ରୟୋଗ ମଧ୍ୟ ରହିଛି। ଏହାକୁ ସାଧାରଣତଃ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଖମ୍ବ ଆଳୁର ଔଷଧୀୟ ଗୁଣ କାରଣରୁ ମହାପ୍ରସାଦ ଶୀଘ୍ର ଖରାପ ହୁଏ ନାହିଁ ଏବଂ ସ୍ବାସ୍ଥ୍ୟପ୍ରଦାୟକ ହୋଇଥାଏ। ଦଶମୂଳାରିଷ୍ଟ ଅନୁରୂପ ଔଷଧୀୟ ଗୁଣ ମଧ୍ୟ ଏଥିରେ ରହିଥିବା କୁମାର ସୂଚନା ଦେଇଛନ୍ତି।
ଏହି ଉଦ୍ଭିଦଗୁଡିକୁ ସେଗୁଡିକର ଜନ୍ମସ୍ଥାନର ନାମ ଅନୁସାରେ ନାମିତ କରାଯାଇଛି। ଏହି ବୈଜ୍ଞାନିକ ନାମଗୁଡିକୁ ମଞ୍ଜୁରୀ ନିମନ୍ତେ ‘ବୈଜ୍ଞାନିକ ଗବେଷଣା ଜର୍ଣ୍ଣାନ’ ନିକଟକୁ ପଠାଯାଇଛି। ନୂତନ ଭାବେ ଏହି ଆବିଷ୍କୃତ ଏହି କ୍ଷୁଦ୍ର ଗଛଗୁଡିକ ଉଦ୍ଭିଦ ବିଜ୍ଞାନକୁ ଓଡ଼ିଶା ଗବେଷକଙ୍କ ଅବଦାନ ବୋଲି କୁମାର ଦର୍ଶାଇଛନ୍ତି। ତାଙ୍କ ସଂସ୍ଥା ଓଡ଼ିଶା ବାହାରେ ମଧ୍ୟ ଗବେଷଣା ଜାରି ରଖିଛି। ରାଜ୍ୟର ପ୍ରଥମ ଗବେଷକ ଦଳ ଭାବେ ସଂସ୍ଥାର ଗବେଷକମାନେ ରାଜ୍ୟ ବାହାରେ ଦୁଇଟି ନୂତନ ପ୍ରଜାତିର ଉଦ୍ଭିଦ ଆବିଷ୍କାର କରିଛନ୍ତି। ଏଗୁଡିକ ହେଲା ମଣିପୁର ଅନ୍ତର୍ଗତ ଚୀନ ସୀମାନ୍ତବର୍ତ୍ତୀ ଜଙ୍ଗଲରୁ ‘ଷ୍ଟ୍ରୋବିଲାନ୍ଥେସ ଆଫିନିସ’ ଏବଂ କେରଳର ପେରିୟାର ବ୍ୟାଘ୍ର ଅଭୟାରଣ୍ୟରୁ ‘ଲାଥେରିଆ ଭଲପିନା’। ଏଗୁଡିକ ଭାରତୀୟ ଉଦ୍ଭିଦ ବିଜ୍ଞାନ ପାଇଁ ନୂତନ। ଏଥିସହ ସଂସ୍ଥାର ଗବେଷକଙ୍କ ଦ୍ବାରା ମଣିପୁରରେ ଠାବ କରାଇଥିବା ‘ସେଲୋଜାଇନ ଫାମ୍ବ୍ରିଆଟା ଭର ବର୍ମାନେନ୍‌ସିସ କୁମାର’ ଓ ‘ଆଇସମେନ ମଣିପୁରରେନସିସ’ ସମ୍ପୂର୍ଣ୍ଣ ଭାବେ ଉଦ୍ଭିଦ ବିଜ୍ଞାନ ପାଇଁ ନୂଆ ବୋଲି ସେ ଦର୍ଶାଇଛନ୍ତି। ଆଉ ୧୧ଟି ପ୍ରଜାତିର ଛତୁ ଚିହ୍ନଟ କରାଯାଇ ସେଗୁଡିକର ଔଷଧୀୟ ଗୁଣ ସମ୍ବନ୍ଧ​ରେ ଅଧିକ ଗବେଷଣା ଜାରି ରହିଛି ବୋଲି କୁମାର କହିଛନ୍ତି। ସମ୍ପ୍ରତି ମଧୁମେହ ଓ କର୍କଟ ରୋଗ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଥିବା ବେଳେ ଏହାର ନିରାକରଣ ଦିଗରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନିରନ୍ତର ଗବେଷଣା ଜାରି ରହିଛି। ଉଭୟ ଏଲୋପାଥି ଓ ହୋମିଓପାଥି ଔଷଧ ପ୍ରସ୍ତୁତ ହୋଇଥିବା ବେଳେ ଆୟୁର୍ବେଦ ଉପଚାର ଦିଗରେ ବୈଜ୍ଞାନିକ ପ୍ରୟାସ ମଧ୍ୟ ଜାରି ରହିଛି। ଏ ଦିଗରେ ଏପିଆରଏଫର ଭୂମିକା ମଧ୍ୟ ଗୁରୁତ୍ବ ବହନ କରେ।

Comments are closed.