ବଢୁଛି ନଦୀ, ବନ୍ୟା ଡର

0

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇଛି। ମହାନଦୀର ମୁଣ୍ଡଳିଠାରେ ସୋମବାର ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୮ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଆଦି ୬ ଜିଲାପାଳଙ୍କୁ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ବୈତରଣୀରେ ମଧ୍ୟ ବନ୍ୟାର ସମ୍ଭାବନା ରହିଛି। କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲା ପ୍ରଶାସନ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସୋମବାର ଅପରାହ୍ଣ ସୁଦ୍ଧା ମୁଣ୍ଡୁଳିଠାରେ ୮ଲକ୍ଷ କ୍ୟୁସେକ୍‍ ଜଳ ପ୍ରବାହିତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ବର୍ଷାଜଳ ପ୍ରବାହିତ ହୋଇଯିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତାକାଲି ବର୍ଷା ହେବାର ସୂଚନା ଆସିନାହିଁ। ତେଣୁ ଏହାକୁ ନେଇ ମଙ୍ଗଳବାର ୧୧ଟାବେଳେ ହୀରାକୁଦରୁ ୩୦୦କ୍ୟୁସେକ୍‍ ଜଳ ତଳମୁଣ୍ଡକୁ ଛଡାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ ଏବେ ହୀରାକୁଦରେ ଜଳସ୍ତର ୬୧୬ଫୁଟ୍‍ ରହିଛି। ମଙ୍ଗଳବାର ପୂର୍ବାହ୍ନ ସୁଦ୍ଧା ୬୧୮ଫୁଟ୍‍ରେ ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି ୩୦୦କ୍ୟୁସେକ୍‍ ଜଳ ନିଷ୍କାସନ କରାଯିବ ଏବଂ ହୀରାକୁଦରେ ୬୦୦ଫୁଟ୍‍ ତଳକୁ ଜଳସ୍ତର ରଖିବାପାଇଁ ଉଦ୍ୟମ କରାଯିବ। ଏଥିପାଇଁ ୧୨ରୁ ୧୫ଟି ଗେଟ୍‍ ଖୋଲାଯିବ। କଟକ ତଥା ତଳମୁଣ୍ଡରେ ହୀରାକୁଦ ପାଣି ପହଞ୍ଚିବାକୁ ପ୍ରାୟ ୩୬ଘଣ୍ଟା ସମୟ ଲାଗିବ। ସେତେବେଳେକୁ ବର୍ଷାଜଳ ମହାନଦୀରୁ ପ୍ରବାହିତ ହୋଇ ସାରିଥିବ। ବନ୍ୟା ପରିସ୍ଥିତି ମୁକାବିଲା କରିବା ଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏବେ ବୈତରଣୀର ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ଆଖୁଆପଦାଠାରେ ୧୭.୮୩ ମିଟର ବିପଦ ସଙ୍କେତ ରହିଥିବାବେଳେ ଏବେ ୧୭.୮୫ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଆସନ୍ତାକାଲି ପାଣିପାଗ ଦେଖି ମହାନଦୀର ଗେଟ୍‍ ଖୋଲାଯିବ ବୋଲି ଶ୍ରୀ ଜେନା କହିଛନ୍ତି। ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‍ କମିଶନର(ଏସ୍‍ଆର୍‍ସି)ବିଷ୍ଣୁପଦ ସେଠୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଯୋଗୁଁ ଚଳିତବର୍ଷ ଅଧିକ ପକ୍କାଘର ନିର୍ମାଣ ହୋଇଥିବାରୁ ବର୍ଷାଜଳ ବିଶେଷ ଭାବେ ପ୍ରଭାବ ପକାଇନାହିଁ। ଇତିମଧ୍ୟରେ ସମ୍ବଲପୁରରେ ୮୦୦ଟି ଓ ଅନ୍ୟ କେତେକ ଜିଲାର ହିସାବକୁ ନେଇ ୧୦୦୦ଟି ବାସଗୃହ ଭାଙ୍ଗିଛି। ସମ୍ବଲପୁରରେ ପ୍ରାୟ ୨ଲକ୍ଷ ଲୋକେ ବନ୍ୟା ପ୍ରଭାବିତ ହୋଇଥିବାବେଳେ ୧୮ଟି ଯାକ ଜିଲାରେ ପ୍ରାୟ ୩ଲକ୍ଷ ଲୋକପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ସ୍କୁଲ, କଲେଜ ଓ ବାତ୍ୟା ଆଶ୍ରୟସ୍ଥଳରେ ରଖି ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି। ବଂଶଧାରା ଓ ବୈତରଣୀ ଏବେ ବିପଦ ସଙ୍କେତ ପାଖାପାଖି ରହିଛି। ଯଦି ବର୍ଷାପାଣି ଏହାସହିତ ମିଶେ ତେବେ ପରିସ୍ଥିତି ଜଟିଳ ହୋଇପାରେ। ଏହାକୁ ନିୟନ୍ତ୍ରଣ କରିବାପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦିଆଯିବା ସହିତ ସରକାରଙ୍କ ପକ୍ଷରୁ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସମ୍ବଲପୁର ସମେତ ବିଭିନ୍ନ ଜିଲାରେ ଜଳବନ୍ଦୀ ବିପନ୍ନଙ୍କୁ ଉଦ୍ଧାର କରିବାପାଇଁ ୨୦ଟି ଓଡ୍ରାଫ୍‍ ଟିମ୍‍ ସହିତ ୫ଟି ବୋଟ୍‍ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି। ଚଳିତବର୍ଷ ବର୍ଷା ବିତ୍ପାତ ଅଧିକ ହୋଇଥିଲେ ହେଁ ମାତ୍ର ୫ଜଣଙ୍କ ମୃତ୍ୟୁ ହୋଇଛି, ଯାହାକି ୧୯୯୯ର ମହାବାତ୍ୟା ଏବଂ ୨୦୧୩ର ହୁଦ୍‍ହୁଦ୍‍ଠାରୁ ବହୁଗୁଣରେ କମ୍‍ ହୋଇଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଶ୍ରୀ ସେଠୀ କହିଛନ୍ତି। ରାଜ୍ୟରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସମୀକ୍ଷା କରିଥିଲେ। ମହାନଦୀ ଅବବାହିକା ଅଞ୍ଚଳରେ ବର୍ଷା ଯୋଗୁଁ ମଧ୍ୟମଧରଣର ବନ୍ୟା ଆସିବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ବିଭାଗ ଓ ଜିଲା ପ୍ରଶାସନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବା ସହିତ ଲୋକଙ୍କୁ ତୁରନ୍ତ ରିଲିଫ ଯୋଗାଇଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଜିଲା ପ୍ରଶାସନକୁ ଉଦ୍ଧାର କାର୍ୟ୍ୟ ଓ ରିଲିଫ ଯୋଗାଣ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ସହାୟତା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେଉଁସବୁ ସ୍ଥାନରେ ପରିସ୍ଥିତି ସ୍ୱାଭାବିକ ହୋଇପାରିଛି ସେଠାରେ ଜିଲା କର୍ତ୍ତୃପକ୍ଷ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହାଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇପାରିବ ବୋଲି ସେ କହିଥିଲେ। ଇତିମଧ୍ୟରେ ମାଲକାନଗିରିରେ ବିଚ୍ଛିନ୍ନ୍ନ ହୋଇଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃସ୍ଥାପିତ କରାଯାଇଛି। କଳାହାଣ୍ଡି ଜିଲା ଏବଂ ଏବଂ କଟକ-ଭୁବନେଶ୍ୱର ଓ ପୁରୀରେ ପରିସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି। ସମ୍ବଲପୁରରେ ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ବିଭିନ୍ନ ବିଭାଗର ସଚିବ, ପାଣିପାଗ ବିଭାଗ ଆଞ୍ଚଳିକ ନିର୍ଦେଶକ ଉପସ୍ଥିତ ଥିଲେ।

 

Leave A Reply