
ଆତ୍ମହତ୍ୟା: ଭିନ୍ନ ଏକ ମହାମାରୀ

ଭୁବନେଶ୍ଵର: ଆମ ଦେଶରେ କ୍ରମବର୍ଦ୍ଧିଷ୍ଣୁ ଆତ୍ମହତ୍ୟା ଏକ ମହାମାରୀ ରୂପ ଗ୍ରହଣ କଲାଣି। ଯଦି ପରିସଂଖ୍ୟାନ ତଥ୍ୟ ବିଶ୍ଳେଷଣ କରାଯାଏ ତେବେ ଜଣାଯିବ ଯେ ୨୦୨୨ରେ ଦେଶରେ ମୋଟ ଆତ୍ମହତ୍ୟା ସଂଖ୍ୟା ଥିଲା ୧, ୭୧, ୦୦୦ ଥିଲା ଯେଉଁଥିରୁ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ସଂଖ୍ୟାଠାରୁ ଅଧିକ। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ତୁଳନାତ୍ମକ ଭାବେ ଦେଖିଲେ ମଧ୍ୟ ଏହି ଆତ୍ମହତ୍ୟାରେ ଲିଙ୍ଗଗତ ପାର୍ଥକ୍ୟ ବେଶ୍ ପରିଦୃଷ୍ଟ। ଏ ସବୁ ପଛରେ ପ୍ରଧାନ କାରଣ ରହିଛି ସାମାଜିକ ଚାପ, ଅର୍ଥନୈତିକ ବୋଝ ଏବଂ ସର୍ବୋପରି ସାଂସ୍କୃତିକ ଏବଂ ଜାତିଗତ ବିଭେଦତା।
ଆତ୍ମହତ୍ୟା ଏବେ ଆସନ୍ନ ସର୍ବସାଧାରଣ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାରେ ପରିଣତ ହୋଇଛି, ଯେଉଁଥିରେ ଲିଙ୍ଗଗତ ପାର୍ଥକ୍ୟ ବେଶ୍ ଅଧିକ। ଜାତୀୟ ଅପରାଧ ରେକର୍ଡ ସଂସ୍ଥା(ଏନ.ସି.ଆର.ବି.)ର ୨୦୨୨ ରିପୋର୍ଟ ଅନୁଯାୟୀ ସେହି ବର୍ଷ ୧, ୨୨, ୦୦୦ ପୁରୁଷ ଏବଂ ୪୮, ୦୦୦ ମହିଳା ଆତ୍ମହତ୍ୟା କରିଥିଲେ; ଅର୍ଥାତ ପୁରୁଷ ଏବଂ ମହିଳାଙ୍କ ଅନୁପାତ ୨.୫ : ୧ ଏବଂ ପୁରୁଷଙ୍କ ଆତ୍ମହତ୍ୟା ମୋଟ ଆତ୍ମହତ୍ୟାର ୭୨ ପ୍ରତିଶତ। ୧, ୦୦, ୦୦୦ ଜନସଂଖ୍ୟାରେ ପୁରୁଷ ଏବଂ ମହିଳାଙ୍କ ଆତ୍ମହତ୍ୟା ଯଥାକ୍ରମେ ୧୭.୬ ଏବଂ ୬.୯ ଏବଂ ଜାତୀୟ ହାରାହାରି ଆତ୍ମହତ୍ୟା ୧୨.୪।
ପୁରୁଷଙ୍କ ବର୍ଗରେ ୧୮ ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମହତ୍ୟାପ୍ରବଣତା ଖୁବ ବେଶୀ। ସେହିପରି ମହିଳାଙ୍କ ବର୍ଗରେ ୧୮ରୁ ୨୯ ବର୍ଷ ବୟସ୍କାଙ୍କ ମଧ୍ୟରେ ସେହି ଆତ୍ମହତ୍ୟା ପ୍ରବଣତା ଅଧିକ; କିନ୍ତୁ ସାମାଜିକ ପରମ୍ପରା ଏବଂ ଲୋକଲଜ୍ଜା ସକାଶେ ପ୍ରାୟ ୨୫ ପ୍ରତିଶତ ମହିଳାଙ୍କ ଆତ୍ମହତ୍ୟା ଲୋକଲୋଚନକୁ ଆସିପାରେ ନାହିଁ। ସେ ଯାହା ହେଉ ପୁରୁଷଙ୍କର ଆତ୍ମହତ୍ୟା ପ୍ରବଣତା ଅଧିକ ଥିବା ସତ୍ତ୍ବେ ସେମାନଙ୍କ ଅପେକ୍ଷା ସେମାନେ ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ବାରୋପ କରିବା ପାଇଁ ସବୁବେଳେ ଆଲୋଚନା କରନ୍ତି। ଏହାର ପ୍ରଧାନ କାରଣ ହେଉଛି ଆମ ଦେଶ ଏକ ପୁରୁଷ ପ୍ରଧାନ ଦେଶ।
ବିଶେଷ କରି ଭାରତରେ ସହରାଞ୍ଚଳର ସଂଖ୍ୟାବୃଦ୍ଧି ସହ ଦ୍ରୁତ ବିକାଶ ଘଟୁଥିବାରୁ ଏଠାରେ ମାନବ ଜୀବନ ଏକ ପ୍ରକାର ଆଧୁନିକ ଜୀବନଶୈଳୀ ଓ ପ୍ରତିଯୋଗିତାମୟ ପରିବେଶରେ ଗତି କରୁଛି। ଅଧିକନ୍ତୁ ଭାଇଚାରା ଏବଂ ସହୃଦୟମୟ ପରିବେଶ ଅଭାବ ଯୋଗୁଁଁ ସହରଗୁଡିକରେ ଅଧିକ ଆତ୍ମହତ୍ୟା ଘଟଣା ଘଟୁଛି। ବିଶ୍ଳେଷଣରୁ ଜଣାଯାଏ ଯେ ଦିଲ୍ଲୀରେ ୨୦୨୨ରେ ମୋଟ ଆତ୍ମହତ୍ୟା ସଂଖ୍ୟା ଥିଲା ୩,୩୬୭ ଯାହା କି ପୂର୍ବ ବର୍ଷ ତୁଳନାରେ ୨୨ ପ୍ରତିଶତ ଅଧିକ। ସେହିପରି ସେହି ବର୍ଷ ବେଙ୍ଗାଲୁରୁରେ ୨,୩୧୩, ଚେନ୍ନଇରେ ୧୫୮୧ ଏବଂ ମୁମ୍ବଇରେ ୧୫୦୧ଟି ଆତ୍ମହତ୍ୟା ଘଟିଥିଲା। କହିବା ବାହୁଲ୍ୟ ଯେ ଭାରତର ମୋଟ ୫୩ଟି ସହରର ଆତ୍ମହତ୍ୟା ସଂଖ୍ୟାରୁ ଉପରୋକ୍ତ ତିନିଟି ସହରର ଆତ୍ମହତ୍ୟା ପ୍ରାୟ ଏକ ତୃତୀୟାଂଶ। ଆହୁରି ମଧ୍ୟ ଏମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୭୦ରୁ ୭୫ ପ୍ରତିଶତ। ଯଦି ଚଣ୍ଡିଗଡ଼ ସହରର ଉଦାହରଣ ନିଆଯାଏ ତେବେ ଜଣାଯାଏ ଯେ ଏହି ସହରରେ ୨୦୨୧ରୁ ୨୦୨୪ ମସିହା ମଧ୍ୟରେ ମୋଟ ୪୩୫ଟି ଆତ୍ମହତ୍ୟା ଘଟିଥିବାବେଳେ ଏଥି ମଧ୍ୟରୁ ପୁରୁଷ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ୩୧୪।
ସହରୀ ଜୀବନ ଏବେ ଆତ୍ମହତ୍ୟାର ଜୀବନ ପାଲଟିଛି। ଏଠାରେ ସମସ୍ତେ ପେଟ ପାଇଁ ଅଣନିଃଶ୍ବାସୀ ହୋଇ ଜୀବନ ବିକଳରେ ଦୌଡୁଛନ୍ତି। ଅସ୍ଥାୟୀ ନିଯୁକ୍ତି, ପଦୋନ୍ନତିବିହୀନ ବୃତ୍ତି, ଯୌଥ ପରିବାର ବିହୀନ ସଂପୂର୍ଣ୍ଣ ଏକାକୀ ଜୀବନ ଏବଂ ନିଯୁକ୍ତି ସଂସ୍ଥାରୁ ପ୍ରତିଦିନ ଛଟେଇର ଭୟ ଯୋଗୁଁଁ ଅଧିକାଂଶ ମାନସିକ ଚାପରେ ରହି ଜୀବନ ହାରିବାକୁ ଆତ୍ମହତ୍ୟାର ଶେଷ ପନ୍ଥା ଭାବେ ବାଛି ନିଅନ୍ତି।
ମୁଣ୍ଡପିଛା ଆତ୍ମହତ୍ୟା ହାର ଯଦି ବିଶ୍ଳେଷଣ କରାଯାଏ ତେବେ ଜଣାଯାଏ ଯେ ଗ୍ରାମାଞ୍ଚଳରେ ଏହା ସାମାଜିକ ଏବଂ ଅର୍ଥନୈତିକ ଚାପ ଯୋଗୁଁଁ ଅଧିକ। ତାମିଲନାଡୁରେ କରାଯାଇଥିବା ଏକ ସର୍ବେକ୍ଷଣ ମୁତାବକ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆତ୍ମହତ୍ୟା ହାର ଥିଲା ୧,୦୦,୦୦୦ରେ ୯୨.୧ ଯାହାକି ଜାତୀୟ ହାରଠାରୁ ଢେର ଅଧିକ। ଏହି ସର୍ବେକ୍ଷଣ ଅନୁସାରେ ୨୦୨୨ରେ ଦୈନିକ ମଜୁରିଆଙ୍କ ମଧ୍ୟରୁ ପୁରୁଷ ଏବଂ ମହିଳା ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଥିଲା ଯଥାକ୍ରମେ ୪୧, ୪୩୩ ଏବଂ ୩, ୭୫୨। ସେହିପରି କୃଷି ପ୍ରତିଷ୍ଠାନରେ ନିୟୋଜିତ ଲୋକଙ୍କ ମଧ୍ୟରୁ ପୁରୁଷ ଏବଂ ମହିଳା ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଥିଲା ଯଥାକ୍ରମେ ୫, ୫୬୩ ଏବଂ ୩୯୪। ବିଶେଷ କରି ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ଅନୁପଯୋଗୀ ମୌସୁମୀ ଯୋଗୁଁଁ ଶସ୍ୟ କ୍ଷତି, କୃଷି ଋଣ ପରିଶୋଧ କରିବାରେ ଅସମର୍ଥ ଯୋଗୁଁଁ କୃଷକମାନେ ଅଧିକ ମାତ୍ରାରେ ଆତ୍ମହତ୍ୟା କରନ୍ତି। ସେହିପରି ଗ୍ରାମାଞ୍ଚଳରେ ବାଲ୍ୟ ବିବାହ, ଯୌତୁକ ନିର୍ଯାତନା ଓ ପାରମ୍ପରିକ ପରିବାର ରୀତିନୀତିକୁ ସହ୍ୟ କରି ନପାରି ମହିଳାମାନେ ଆତ୍ମହତ୍ୟା କରନ୍ତି।
ତେବେ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ତାରତମ୍ୟର ମୁଖ୍ୟ କାରଣ ହେଉଛି ଆମ ସାମାଜିକ ଚଳଣି ଏବଂ ପରମ୍ପରା। ପୁରୁଷ ପ୍ରାଧାନ୍ୟ ଦେଶରେ ପୁରୁଷମାନେ ତୀବ୍ର ଅର୍ଥନୈତିକ ଚାପର ସମ୍ମୁଖୀନ ହେବା ସହ ସହରାଞ୍ଚଳରେ ବେକାରି ଏବଂ ଗ୍ରାମାଞ୍ଚଳରେ ଫସଲହାନି ଯୋଗୁଁଁ ଆତ୍ମହତ୍ୟା କରନ୍ତି। ଅନ୍ୟ ପକ୍ଷରେ ମହିଳାମାନେ ଗ୍ରାମାଞ୍ଚଳରେ େଯୗତୁକ ନିର୍ଯାତନା, ପାରିବାରିକ ହିଂସା ଏବଂ ନୂତନ ପରିବାରରେ ହୀନମନ୍ୟତାର ଶିକାର ହୋଇ ଆତ୍ମହତ୍ୟା କରନ୍ତି।
ପୁରୁଷ ଏବଂ ମହିଳାଙ୍କ ଆତ୍ମହତ୍ୟା ମଧ୍ୟରେ ମଧ୍ୟ ବିେଭଦ ରହିଛି। ସହରାଞ୍ଚଳରେ ପୁରୁଷମାନେ ପ୍ରାୟତଃ ଝୁଲନ୍ତା ଅବସ୍ଥାରେ ଆତ୍ମହତ୍ୟା କରୁଥିବାବେଳେ ଗ୍ରାମାଞ୍ଚଳରେ ବିଷ ପିଇ ଆତ୍ମହତ୍ୟା କରନ୍ତି; କିନ୍ତୁ ମହିଳାମାନେ ଯେ କୌଣସି ପ୍ରକାରେ ଆତ୍ମହତ୍ୟା କରିବାକୁ ଇଚ୍ଛୁକ ହୁଅନ୍ତି। ଯଦି ବୟସ କଥା ବିଚାର କରାଯାଏ ତେବେ ପରିବାର ପ୍ରତିପୋଷଣ କରୁଥିବା ୧୮ ରୁ ୪୫ ବର୍ଷ ବୟସ୍କ ପୁରୁଷ ଏବଂ ୧୮-୨୯ ବୟସ୍କା ମହିଳା ସାଧାରଣତଃ ଆତ୍ମହତ୍ୟା କରିବାର ଦେଖାଯାଏ। ବିଶ୍ଳେଷଣରୁ ଜଣାଯାଏ ଯେ ୨୦୨୧ରୁ ୨୦୨୨ ମଧ୍ୟରେ ମୋଟ ୫୩ ପ୍ରତିଶତ ଆତ୍ମହତ୍ୟାକାରୀଙ୍କ ମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୬ ପ୍ରତିଶତ ହୋଇଥିବାବେଳେ ମହିଳା ଛାତ୍ରୀଙ୍କ ସଂଖ୍ୟା ପାଠପଢା ଚାପ ଯୋଗୁଁଁ ୭ ପ୍ରତିଶତକୁ ବୃଦ୍ଧି ପାଇଥିଲା।
ତେବେ ସ୍କୁଲ ଏବଂ କଲେଜରେ ମାନସିକ ଶିକ୍ଷା ପ୍ରଦାନ କରାଯିବା ଏବଂ ଆଦ୍ୟ ଜୀବନରେ ବଞ୍ଚିବା ଶୈଳୀ ଉପରେ ଶିକ୍ଷା ପ୍ରଦାନ କରାଯିବା ଉଚିତ। ପରୀକ୍ଷା ଚାପ ତଥା ଶିକ୍ଷା ପରେ ବେକାର ହେବା ଦ୍ବାରା ଛାତ୍ରଛାତ୍ରୀ ଏହି ପନ୍ଥା ଆପଣାଇ ଥାଆନ୍ତି। ଏହା ଜାତୀୟ ସଂବେଦନଶୀଳ ପ୍ରସଙ୍ଗ; କାରଣ ଆମ ଦେଶରେ ଆତ୍ମହତ୍ୟା ବୃଦ୍ଧି ପାଇଚାଲିଛି। ଏହାକୁ ଜାତୀୟ ନିରାକରଣ ପଦ୍ଧତି ଦ୍ବାରା ହ୍ରାସ କରାଯାଇ ପାରିବ। ଜାତିସଂଘ ମଧ୍ୟ ଏହା ଉପରେ ଗୁରୁତ୍ବାରୋପ କରି ୨୦୩୦ ସୁଦ୍ଧା ବିଶ୍ବରେ ଆତ୍ମହତ୍ୟା ୩ ପ୍ରତିଶତ ହ୍ରାସ କରିବାକୁ ଆହ୍ବାନ ଦେଇଛି।
ଏହି ସମସ୍ୟାର ଆଶୁ ସମାଧାନ କେବଳ ସମୟୋପଯୋଗୀ ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ ଦ୍ବାରା ସମାଧାନ କରାଯାଇପାରିବ। ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସ୍କୁଲ ଏବଂ କଲେଜରେ ମାନସିକ ଉପଦେଷ୍ଟା ଶିକ୍ଷକ ନିଯୁକ୍ତ କରାଯିବାର ଆବଶ୍ୟକତା ରହିଛି। ଆହୁରି ମଧ୍ୟ ଦରିଦ୍ର ଏବଂ ନାମମାତ୍ର କୃଷକଙ୍କ ଋଣ ଛାଡ, ସହରରେ ନିଯୁକ୍ତି ସୁଯୋଗ ସହ ଗୋଷ୍ଠୀ ଭିତ୍ତିରେ ମାନସିକ ଶିକ୍ଷା ପ୍ରଦାନ ଦ୍ବାରା ଏହି ମହାମାରୀରେ ରୋକ ଲଗାଯାଇ ପାରିବ। ମହିଳାଙ୍କ ନିମନ୍ତେ ପାରିବାରିକ ହିଂସା ଏବଂ େଯୗତୁକ ନିର୍ଯାତନାକୁ ଆଖି ଆଗରେ ରଖି ସେମାନଙ୍କୁ ସାମାଜିକ ଶିକ୍ଷା ପ୍ରଦାନ ଦ୍ବାରା ମଧ୍ୟ ଏଥିରେ ଆତ୍ମହତ୍ୟା ହାର ହ୍ରାସ ହେବ। ମହିଳା ଏବଂ ପୁରୁଷଙ୍କୁ ଏଥିରୁ ନିବର୍ତ୍ତାଇବା ନିମନ୍ତେ ଉପଦେଶ ପ୍ରଦାନକାରୀ ନିଶ୍ଚିତ ଆବଶ୍ୟକ। ଏହା ହୋଇପାରିଲେ ହୁଏତ ଆମ ଦେଶ ଆତ୍ମହତ୍ୟା ମହାମାରୀରୁ ବଞ୍ଚିଯାଇ ପାରିବ।
Comments are closed.