ଆନ୍ତର୍ଜାତିକ ଯୁବ ଶିବିର ପାଇଁ ପ୍ରସ୍ତୁତି ବୈଠକ

0

ଭୁବନେଶ୍ବର : ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ଶତବାର୍ଷିକୀ ଓ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଆସନ୍ତା ଡିସେମ୍ବର ୩ ତାରିଖରୁ ଡିସେମ୍ବର ୧୦ ତାରିଖ ପର୍ୟ୍ୟନ୍ତ ପଞ୍ଜାବର ସୁଲତାନପୁର ଲୋଦିଠାରେ ଆନ୍ତର୍ଜାତିକ ଯୁବ ଏକତା ଶିବିର, ଜାତୀୟ ଯୁବ ପ୍ରକଳ୍ପ ଓ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ମିଳିତ ସହଯୋଗରେ ଆୟୋଜିତ ହେବାକୁ ଯାଉଛି। ଏଥିରେ ଭାରତ ତଥା ବିଶ୍ୱର ବିଭିନ୍ନ ରାଷ୍ଟ୍ରର ୫୦୦୦ରୁ ଅଧିକ ଯୁବ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଆନନ୍ଦର ବିଷୟ ଓଡ଼ିଶାରୁ ୪୦୦ରୁ ଅଧିକ ସ୍ବେଚ୍ଛାସେବୀ ଯୁବକ ଯୁବତୀ ବିଭିନ୍ନ ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, ଏନଏସ୍‌ଏସ୍‌, ଯୁବ ରେଡ଼କ୍ରସ, ଭାରତ ସ୍କାଉଟ ଗାଇଡ଼ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ପ୍ରଭୁତିଙ୍କୁ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଛି। ଏହି ଶିବିରକୁ ସଫଳ କରିବା ଲାଗି ରବିବାର ଭୁବନେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ୨୦ ଜିଲାର ୮୦ରୁ ଅଧିକ ପ୍ରତିନିଧି ଭାଗ ନେଇ ଶିବିର ସମ୍ପର୍କରେ ବ୍ୟାପକ ବିଚାରବିମର୍ଷ କରି ଶିବିରାର୍ଥୀ ମନୋନୟନ, ଶିବିର ଶୃଙ୍ଖଳା, ଶିବିର କାର୍ଯ୍ୟକ୍ରମ, ଯାତାୟତ ନିୟମ ସମ୍ପର୍କରେ ଅବଗତ ହୋଇଥିଲେ। ପ୍ରସ୍ତୁତି ବୈଠକର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାକ୍ତନ ପ୍ରଶାସକ ଡଃ ଅରବିନ୍ଦ ବେହେରା, ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡଃ ଅରୁନ୍ଧତୀ ଦେବୀ, ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ସଂଗଠକଙ୍କୁ ପ୍ରସ୍ତୁତି ସମ୍ପର୍କରେ ଉତ୍ସାହପୂର୍ଣ ବ୍ୟକ୍ତବ୍ୟ ରଖିଥିଲେ। ପିପୁଲସ ଫୋରମର ପ୍ରତିଷ୍ଠାତା ଗୋବିନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ପ୍ରବୀର ପ୍ରଧାନ, ଯୁବ ରେଡ଼କ୍ରସର ସୁଶୀଲ ପଟ୍ଟନାୟକ, ଭାରତ ସ୍କାଉଟ ଗାଇଡ଼ର ମିହିର ରଞ୍ଜନ ପଟ୍ଟନାୟକ, ସେଣ୍ଟ ଜନ ଆମ୍ବୁଲାନ୍ସର ସଂଜୀବ କର, ଏନ୍‌ଏସ୍‌ଏସ୍‌ର ରଘୁନାଥ ମଣ୍ଡଳ, ଏମ୍‌ଜିଏମ୍‌ର ଏନଏସଏସ ପିଓ ସୋମନାଥ ମିଶ୍ର, ବାହାଇ ଧର୍ମର ସୂର୍ୟ୍ୟ ବାବୁ ପ୍ରମୁଖ ଭାଗ ନେଇ ନିଜ ନିଜ ସଂଗଠନ ପକ୍ଷରୁ ସ୍ୱେଚ୍ଛାସେବୀ ମନୋନୟନ କରି ଶିବିରକୁ ପଠାଇବାର ପ୍ରତିଶ୍ରୁତି ଦେଇଥିଲେ।
ପ୍ରାରମ୍ଭରେ ମହମ୍ମଦ ଇମ୍ରାନ ଅଲ୍ଲୀ ଜୟ ଜଗତ ସଙ୍ଗୀତ ସାମୂହିକ ଗାନ କରିବା ପରେ ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ ଆନ୍ତର୍ଜାତିକ ଯୁବ ଶିବିରର ଲକ୍ଷ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ବରିଷ୍ଠ ସଦସ୍ୟ ଶ୍ରୀ ସୋମ ଶିବିରର ଦୈନନ୍ଦିନ କାର୍ଯ୍ୟକ୍ରମ, ସାମୂହିକ ଚାରାରୋପଣ, ବୌଦ୍ଧିକ ଚର୍ଚ୍ଚା, ସାଂସ୍କୃତିକ କାର୍ଯ୍ୟକ୍ରମ, ଭାଷା ଜ୍ଞାନ, ପ୍ରତିଭା ଅନ୍ୱେଷଣ, ଶାନ୍ତି ସଦ୍‌ଭାବନା ଶୋଭାଯାତ୍ରା, ସର୍ବଧର୍ମ ପ୍ରାର୍ଥନା ପ୍ରଭୃତି ସମ୍ପର୍କରେ ବିଷଦ ଭାବରେ ଅବଗତ କରାଇଥିଲେ। ବିଭିନ୍ନ ଜିଲାରୁ ଜାତୀୟ ପ୍ରକଳ୍ପରୁ ଆସିଥିବା ଯୁବ ପ୍ରତିନିଧିମାନେ ନିଜ ନିଜ ମତାମତ ଦେଇଥିଲେ। ଶେଷରେ ବରିଷ୍ଠ ସାଥୀ ପ୍ରଚଣ୍ଡ ଜୈସୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply