www.samajalive.in
Monday, December 15, 2025
14.1 C
Bhubaneswar

ସରକାରଙ୍କୁ ‘ଖୁସି’ ମହଙ୍ଗା

ଭୁବନେଶ୍ୱର : ଓଡ଼ିଶାର ପ୍ରତ୍ୟେକ ବିଦ୍ୟାଳୟର କିଶୋରୀମାନଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରିବାପାଇଁ ରାଜ୍ୟ ସରକାର ଫେବୃଆରୀ ୨୬ରେ ‘ଖୁସି’ଯୋଜନା ପ୍ରଣୟନ କରିଛନ୍ତି। ଆସନ୍ତା ଅକ୍ଟୋବର ୨ତାରିଖ ତଥା ଗାନ୍ଧି ଜୟନ୍ତୀରୁ କିଶୋରୀମାନଙ୍କୁ ଏହି ଯୋଜନାରେ ମାଗଣାରେ ନାପ୍‍କିନ୍‍ ପ୍ୟାଡ୍‍ ବଣ୍ଟାଯିବ। ଆସନ୍ତା ୫ବର୍ଷରେ ଏହି ଯୋଜନାରେ ରାଜ୍ୟ ସରକାର ୧୭ଲକ୍ଷ କିଶୋରୀଙ୍କୁ ନାପ୍‍କିନ୍‍ ପ୍ୟାଡ୍‍ ବାଣ୍ଟିବାକୁ ଲକ୍ଷ୍ୟ ରଖିଥିଲେ। ପ୍ରଥମରେ ଏହି ଯୋଜନା ବାବଦରେ ୨୨୦କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ଏବେ ଏହି ପରିମାଣ ୪୫୦କୋଟି ଟଙ୍କାରେ ପହଞ୍ଚିଛି। ଧାର୍ଯ୍ୟ ସମୟ ଭିତରେ ଖୁସି ଯୋଜନାରେ କିଣା ହେବାକୁ ଥିବା ପ୍ୟାଡ୍‍ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ କରି ନପାରିବା ଓ ପରବର୍ତ୍ତୀ ସମୟରେ ଏହାକୁ ବାତିଲ୍‍ କରାଯାଇ ପୁନଃ ଟେଣ୍ଡର କରାଯିବା ହେତୁ ୨୩୦କୋଟି ଟଙ୍କାଅଧିକ ଖର୍ଚ୍ଚ ହେବ ବୋଲି ଆଶଙ୍କା ଦେଖାଦେଇଛି।
ସୂଚନା ଯୋଗ୍ୟ ଯେ ନିଗମ ପକ୍ଷରୁ ଏପ୍ରିଲ ୨୩ରେ କିଶୋରୀମାନଙ୍କ ଲାଗି ନାପ୍‍କିନ୍‍ ପ୍ୟାଡ ପାଇଁ ପ୍ରାୟ ୧୪କୋଟି ଟଙ୍କାର ଟେଣ୍ଡର କରାଯାଇଥିଲା। ଏଥିପାଇଁ ବହୁ ସଂସ୍ଥା ଟେଣ୍ଡର ଭରି ଥିବାବେଳେ ଏଚ୍‍ଏଲ୍‍ଏଲ୍‍ ଓ ସେଖାନୀ ଇଣ୍ଡଷ୍ଟ୍ରୀ ପ୍ରା. ଲି. ଭଳି ୨ଟି କମ୍ପାନୀ ମନୋନୟନର ଶେଷ ପର୍ଯ୍ୟାୟରେ ରହିଥିଲେ। ସେଥିରେ ଏଚ୍‍ଏଲ୍‍ଏଲ୍‍ କମ୍ପାନୀ ଏଲ୍‍-୧ ହୋଇଥିବାବେଳେ ସେଖାନୀ ଏଲ୍‍-୨ ହୋଇଥିଲା। ସଂପୃକ୍ତ କମ୍ପାନୀ ନାପ୍‍କିନ୍‍ ମୂଲ୍ୟ ୧୦.୪୪ ଟଙ୍କାରେ ଦେବାକୁ ସ୍ଥିର ହୋଇଥିଲା। ଯେଉଁଥିରେ କି ଜିଏସ୍‍ଟି ୧୨.୫ ପ୍ରତିଶତ ଲାଗୁ ହୋଇଥାନ୍ତା। ଯାହାଦ୍ୱାରା ନାପ୍‍କିନ୍‍ ପିଛା ବେଶି ହେଲେ ୧ଟଙ୍କା ବଢ଼ିଥାନ୍ତା। ମାତ୍ର ସଂସ୍ଥାଠାରୁ ଉକ୍ତ ଦରରେ ନାପ୍‍କିନ୍‍ କିଣା ନଯାଇ ପୁନଶ୍ଚ ଟେଣ୍ଡର କାହିଁକି କରାଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନିଗମ ପକ୍ଷରୁ ପୁନଶ୍ଚ ଟେଣ୍ଡର ୬.୨୧କୋଟି ନାପ୍‍କିନ୍‍ ପ୍ୟାକେଟ ପାଇଁ ଟେଣ୍ଡର କରାଯାଇଥିଲା। ପ୍ରତି ପ୍ୟାକେଟରେ ୬ଟି ପିସ୍‍ ରହିବାପାଇଁ ସର୍ତ୍ତ ଥିଲା। ଯାହା ପାଇଁ ସଂପୃକ୍ତ ସଂସ୍ଥାକୁ ପୁନଶ୍ଚ ଏଲ୍‍-ୱାନ ଘୋଷଣା କରାଯାଇଛି। ନାପ୍‍କିନ୍‍ ପିଛା ୧୦.୪୪ ବଦଳରେ ୧୭.୮୨ଟଙ୍କାରେ ଯୋଗାଇବାକୁ ସ୍ଥିର ହୋଇଛି। ନିଗମ ପକ୍ଷରୁ ଇତିମଧ୍ୟରେ ନାପ୍‍କିନ୍‍ ଟେଣ୍ଡରର ଟେକ୍ନିକାଲ୍‍ ବିଡ଼୍‍ ପରେ ଫାଇନାନ୍‍ସିଆଲ ବିଡ଼୍‍ ଖୋଲାଯାଇ ସାରିଛି। ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନାପ୍‍କିନ୍‍ ଉପରେ ଜିଏସ୍‍ଟି ଛାଡ ହୋଇଛି। କିନ୍ତୁ ନାପକିନ୍‍ର ଦର ହ୍ରାସ ପାଇବା ପରିବର୍ତ୍ତେ ନିଗମ ସଂପୃକ୍ତ ସଂସ୍ଥାକୁ ଚଢ଼ା ଦରରେ ଦେବାପାଇଁ ସ୍ଥିର କରିବା ଦ୍ୱାରା ରାଜ୍ୟ ରାଜକୋଷକୁ ପ୍ରାୟ ୨୩୦କୋଟି ଟଙ୍କାର କ୍ଷତି ପହଞ୍ଚାଇବ ବୋଲି ଅଭିଯୋଗ ହୋଇଛି।
ନିଗମର ଜନୈକ ଅଧିକାରୀ କହିଛନ୍ତି ଯେ ଏହି ଟେଣ୍ଡରରେ ଯାହା ବ୍ୟତିକ୍ରମ ହୋଇଛି ସେକଥା ଛାଡ୍‍, ସବୁଠାରୁ ବଡ଼କଥା ହେଲା ଗତ ୩ବର୍ଷ ତଳେ ସରକାର ‘ମୋ ମଶାରି’ଯୋଜନାରେ ଯେଉଁ ୭୦କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସ୍ୱାସ୍ଥ୍ୟ ବିଭାଗକୁ ଦେଇଥିଲେ ଏବେ ସେହି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଗଡ଼ିବା ପରେ ସେହି ଅର୍ଥରେ ନାପ୍‍ କିନ୍‍ କିଣାଯିବ। ଗତ ତିନିବର୍ଷ ହେଲା ଉକ୍ତ ୭୦କୋଟି ଟଙ୍କା ଯେଉଁ ଆକାଉଣ୍ଟରେ ରହିଲା ତା’ର ସୁଧ କୁଆଡେ ଗଲା ସେନେଇ ସରକାରଙ୍କ ପାଖରେ କିଛି ଉତ୍ତର ନାହିଁ ବୋଲି ଅଭିଯୋଗ ହୋଇଛି।
ଏସମ୍ପର୍କରେ ଔଷଧ ନିଗମର ସାଧାରଣ ପରିଚାଳକ ଡ. ବିଜୟ କୁମାର ମହାପାତ୍ର କହିଛନ୍ତି ଯେ ନିଗମ ପକ୍ଷରୁ ଯଦିଓ ଫାଇନାନ୍‍ସ ବିଡ଼୍‍ ଖୋଲାଯାଇଛି ତଥାପି ସଂପୃକ୍ତ ସଂସ୍ଥାକୁ ନିର୍ଦେଶ ଦିଆଯାଇନାହିଁ। ଏନେଇ ଅଭିଯୋଗ ଆସିବା ପରେ ତର୍ଜମା ଚାଲିଛି ବୋଲି କହିଥିଲେ। ତେବେ କେଉଁ ପରିପ୍ରେକ୍ଷୀରେ ପୁନଶ୍ଚ ଟେଣ୍ଡର କରାଗଲା ଏବଂ ଫାଇନାନ୍‍ସ ବିଡ଼୍‍ ଖୋଲାଗଲା ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି। ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories