କଟକ : ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନ ପାଇଁ ଐତିହାସିକ ବାରବାଟୀ ଷ୍ଟାଡ଼ିୟମକୁ ନେଇ ଦିନେ ଓଡ଼ିଶା ଗର୍ବ କରୁଥିବାବେଳେ ଏବେ ପରିଚାଳନାଗତ ତ୍ରୁଟି ଯୋଗୁ ବଦନାମ ହେବାକୁ ପଡ଼ିଛି। ଅନ୍ତର୍ଜାତୀୟ ମ୍ୟାଚ ସମୟରେ କେତେବେଳେ ପାଣି ବୋତଲ ଫିଙ୍ଗା ପାଇଁ ତ ଆଉ କେତେବେଳେ ମ୍ୟାଚ ଅଧାରୁ ଲାଇଟ୍ ଲିଭିଯିବା ଘଟଣା ବାରବାଟୀକୁ ଅନ୍ତର୍ଜାତୀୟ ଦୃଶ୍ୟପଟରେ ନିନ୍ଦିତ କରିଛି। ଏଭଳି ଏକ ଅଘଟଣ ରବିବାର ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆୟୋଜିତ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ ସୃଷ୍ଟି ହୋଇଥିଲା। ଭାରତୀୟ ଇନିଂସରେ ଗୋଟିଏ ଟାୱାର ଫ୍ଲଡ ଲାଇଟ୍ ଲିଭିଯିବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ଉକ୍ତ ଘଟଣା ଶୃଙ୍ଖଳିତ କ୍ରୀଡ଼ା ପରିଚାଳନାରେ ଓଡ଼ିଶା କ୍ରିକେଟ ଆସୋସିଏସନର ଅପାଗତାକୁ ପଦାରେ ପକାଇଛି। ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡ଼ିୟମକୁ ୫ ବର୍ଷ ପରେ ଏକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ମିଳିଥିବାବେଳେ ଏଭଳି ଘଟଣା କ୍ରିକେଟ ପ୍ରେମୀଙ୍କ ଠାରୁ ଆୟୋଜକ ବିସିସିଆଇ କର୍ତ୍ତୃପକ୍ଷଙ୍କୁ ଅସନ୍ତୁଷ୍ଟ କରିଛି। ଭାରତୀୟ ଇନିଂସର ସପ୍ତମ ଓଭରରେ ଫ୍ଲଡ ଲାଇଟ ସମସ୍ୟା ସୃଷ୍ଟି ହୋଇଥିଲା। ଓସିଏ ପୁରୁଣା ପ୍ୟାଭିଲିୟନ ନିକଟରେ ଥିବା ଫ୍ଲଡ ଲାଇଟ୍ ଅଚଳ ହୋଇଯିବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ସପ୍ତମ ଓଭର ଆରମ୍ଭରୁ ଫ୍ଳଡ ଲାଇଟ୍ ଲିଭିଯିବାରୁ ଖେଳ ଅଟକିଥିଲା। ଏହା ପରେ ଲାଇଟ୍ ଜଳିବାରୁ ଖେଳ ଆରମ୍ଭ ହୋଇଥିଲା। ଗୋଟିଏ ବଲ ପଡ଼ିବା ପରେ ପୁନର୍ବାର ଲାଇଟ୍ ଲିଭିଯାଇଥିଲା। ଉକ୍ତ ସମୟରେ ଭାରତର ସ୍କୋର ବିନା ୱିକେଟରେ ୪୮ରନ ରହିଥିଲା। ଫ୍ଲଡ ଲାଇଟ୍ ସମସ୍ୟା ଲାଗି ମ୍ୟାଚକୁ ଦୁଇ ଅମ୍ପାୟାର ରୋକି ଦେଇଥିବାବେଳେ ଦୁଇ ଦଳର ଖେଳାଳି ପ୍ୟାଭିଲିୟନକୁ ଫେରି ଆସିଥିଲେ। ଏଥିପାଇଁ ପ୍ରାୟ ୨୬ ମିନିଟ୍ ଖେଳ ବାଧାପ୍ରାପ୍ତ ହୋଇଥିଳା। ସନ୍ଧ୍ୟା ୬ଟା୧୭ରୁ ୬ଟା ୪୩ ପର୍ଯ୍ୟନ୍ତ ଲାଇଟ୍ ଜଳିନଥିଲା। ଜେନେରେଟରରୁ ପାୱାର ଆସିବା ବନ୍ଦ ହୋଇଯିବାରୁ ଲାଇଟ୍ ଲିଭି ଯାଇଥିଲା। ନୂତନ ଜେନେରେଟର ଲାଗିବା ପରେ ଖେଳ ପୁନର୍ବାର ୬ଟା ୪୭ରୁ ଆରମ୍ଭ ହୋଇଥିଲା।
ତେବେ ଏହି ଘଟଣାକୁ ନେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିକ୍ରିୟା ରଖିଛନ୍ତି। ଫ୍ଲଡ୍ଲାଇଟ୍ ବନ୍ଦ ହେବା ଘଟଣାର ଅନୁସନ୍ଧାନ କରାଯିବ। ଏନେଇ ଓସିଏ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟୀକରଣ ମଗାଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପକ୍ଷରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସଫେଇ ଦେଇଛନ୍ତି। ସେ କହିଛନ୍ତି ବ୍ୟାକ୍ଅପ୍ ଜେନେରେଟର ପାଖରେ ବସ୍ ରହିଥିଲା। ଖେଳାଳିଙ୍କୁ ଛାଡ଼ି ବସ୍ ଡ୍ରାଇଭର ଖେଳ ଦେଖୁଥିଲେ। ତାଙ୍କୁ ଫୋନ୍ କରି ଡାକିବା ପରେ ସେ ଆସି ଜେନେରେଟର ସାମନାରୁ ବସ୍ ହଟାଇଥିଲେ। ଜେନେରେଟର ଫ୍ଲଡ୍ ଲାଇଟ ନିକଟରେ ପହଞ୍ଚି ବିଜୁଳି ସଂଯୋଗ ଦେଇଥିଲା। ଏଥିପାଇଁ ବିଳମ୍ବ ଘଟିଥିଲା ବୋଲି ସମ୍ପାଦକ ପ୍ରତିକ୍ରିୟା ରଖିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଅନ୍ତର୍ଜାତୀୟ ମ୍ୟାଚ୍ ସମୟରେ ଫ୍ଲଡ୍ ଲାଇଟ୍ ଲିଭିବା ଓ ବ୍ୟାକ୍ଅପ୍ ଜେନେରେଟର ଆଗରେ ବସ୍ କିଭଳି ରହିଥିଲା ? ଫ୍ଲଡ୍ ଲାଇଟ୍ ନିକଟରେ ସାଧାରଣତଃ ବ୍ୟାକ୍ଅପ୍ ଜେନେରେଟର ରହିବା କଥା, ପୂର୍ବରୁ ଏହାକୁ କେହି ତଦାରଖ କରିନଥିଲେ କିଭଳି ? ଏତେବଡ଼ ମ୍ୟାଚ୍ରେ ଦୀର୍ଘ ୨୬ମିନିଟ୍ ଖେଳ ବିଳମ୍ବ ହେବା ଓ ଦୁଇ ଭାରତୀୟ ଖେଳାଳି ବିରକ୍ତି ପ୍ରକାଶ କରି ପାଭିଲିୟନକୁ ଫେରିବା ଓସିଏର ବଡ଼ଧରଣର କ୍ରୀଡ଼ା ପରିଚାଳନା ତ୍ରୁଟିକୁ ଦର୍ଶାଇଛି। ଏହା କେବଳ ବାରବାଟୀ ନୁହେଁ, ଓଡ଼ିଶା ତଥା ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ କରିଛି।
ପୂର୍ବରୁ ବାରବାଟୀ ପାଣି ବୋତଲ ଫିଙ୍ଗାକୁ ନେଇ ବଦନାମ ହୋଇଥିଲା। ଏବେ ଫ୍ଳଡ୍ ଲାଇଟ୍ ପାଇଁ ବଦନାମ ହେବାକୁ ପଡ଼ିଛି। ୨୦୧୫ ଅକ୍ଟୋବର ୫ରେ ବାରବାଟୀ ଷ୍ଟାଡ଼ିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି୨୦ ମ୍ୟାଚରେ ଭାରତର ପରାଜୟ ମୁହାଁ ହେଉଥିବାବେଳେ ଦର୍ଶକ ଗ୍ୟାଲେରୀରୁ ଖେଳାଳିଙ୍କ ଉପରକୁ ପାଣି ବୋତଲ ମାଡ଼ କରିଥିଲେ। ପାଣି ବୋତଲ ମାଡ଼ ପାଇଁ ଖେଳ ଦୁଇଥର ବାଧାପ୍ରାପ୍ତ ହୋଇଥିଲା। ମ୍ୟାଚରେ ଭାରତ ୬ ୱିକେଟରେ ପରାଜିତ ହୋଇଥିବାବେଳେ ବାରବାଟୀ ବଦ୍ନାମ ହୋଇଥିଲା। ଉକ୍ତ ଘଟଣା ପାଇଁ ଭାରତକୁ ବିସିସିଆଇ ଓ ଆଇସିସି ନିକଟରେ ଜବାବ ଦେବାକୁ ପଡ଼ିଥିଲା। ଅନ୍ତର୍ଜାତୀୟ ମାନ୍ୟତାରୁ ବାରବାଟୀ ବାଦ୍ ପଡ଼ିବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲା। ଏବେ ଫ୍ଲଡ ଲାଇଟ୍ ଲାଗି ଖେଳ ବାଧାପ୍ରାପ୍ତ ହେବାକୁ ନେଇ ପୁଣି ଥରେ ବଦ୍ନାମ ହେବାକୁ ପଡ଼ିଛି। ଏହା ଏକ ଅନ୍ତର୍ଜାତୀୟ ମ୍ୟାଚ ହୋଇଥିବାବେଳେ ଓସିଏ ପକ୍ଷରୁ ଦୁଇ ମାସରୁ ଅଧିକ ସମୟ ନେଇ ପ୍ରସ୍ତୁତି କରାଯାଇଥିଲା। ଷ୍ଟାଡ଼ିୟମରେ ୮ଟି ଫ୍ଲଡ ଲାଇଟ୍ ରହିଛି। ପ୍ରତି ଫ୍ଲଡଲାଇଟ୍ ଜଳିବା ଲାଗି ଗୋଟିଏ ଲେଖାଏଁ ଜେନେରେଟର ରହିଛି। ମ୍ୟାଚ ଲାଗି ଜେନେରେଟର ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇ ରଖାଯିବା କଥା। ଓସିଏ ପକ୍ଷରୁ ମ୍ୟାଚର କିଛି ଦିନ ପୂର୍ବରୁ ପରୀକ୍ଷାମୂଳକ ଭାବେ ଫ୍ଲଡ ଲାଇଟ୍ ଜଳାଯାଇଥିଲା। ସବୁ ପ୍ରସ୍ତୁତି ମଧ୍ୟରେ ବିଫଳତା ଦେଖିବାକୁ ମିଳିଛି। ଏଠାରେ ପ୍ରଶ୍ନ ଉଠିବା ସ୍ୱଭାବିତ ଯେ, ଦୁଇମାସ ପୂର୍ବରୁ ପ୍ରସ୍ତୁତି କିଭଳି ଚାଲିଥିଲା ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।
ଫ୍ଲଡ ଲାଇଟ୍ ଅଚଳ ଘଟଣା: ଓସିଏ କର୍ତ୍ତୃପକ୍ଷଙ୍କୁ ମଗାଯିବ ସ୍ପଷ୍ଟୀକରଣ
Popular Categories



