ବାଙ୍କୀ; ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବ ଏବେ ଲଟା ଝଟାରେ ପରିପୂର୍ଣ୍ଣ ହୋଇଛି। ପ୍ରତିବର୍ଷ ଜୁଲାଇ ପ୍ରଥମ ସପ୍ତାହ ବେଳକୁ ରାସ୍ତାର ଉଭୟ ପାର୍ଶ୍ବ ସଫା କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଚଳିତ ବର୍ଷ ରାସ୍ତା ପାର୍ଶ୍ବ ସଫେଇ କରାନଯିବାରୁ ପଥଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ରାସ୍ତାର ଉଭୟ ପାର୍ଶ୍ବରେ ୩ଫୁଟରୁ ୪ଫୁଟ ପର୍ଯ୍ୟନ୍ତ ଅନାବନା ଓ ଲଟାଝଟା ପରିପୂର୍ଣ୍ଣ ହେତୁ ସରିସୃପ ଓ ବହୁ ବିଷଧର ସର୍ପ ଯାତାୟତ କରୁଥିବା ଆଶଙ୍କା ବଢ଼ିଛି। ଚଳିତ ଲଗାଣ ବର୍ଷାରେ ରାସ୍ତା ଉପରେ ଗଡ଼ୁଥିବା ବର୍ଷା ଜଳ ରାସ୍ତାର ଉଭୟ ପାର୍ଶ୍ବକୁ ନିଷ୍କାସନରେ ପ୍ରତିବନ୍ଧକ ହେତୁ ୨ଚକିଆ ଓ ୪ଚକିଆ ଯାନ ଯାତାୟତରେ ସମସ୍ୟା ବଢ଼ୁଛି। ସୂଚନା ଥାଉକି ଅଭୟାରଣ୍ୟର ପାଦଦେଶରେ ଏହି ରାସ୍ତା ଯାଇଥିବା ହେତୁ ରାତ୍ରି ସମୟରେ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା ବାରାହା ମାନେ ନିକଟ ଜଙ୍ଗଲ ଏବଂ ମହାନଦୀ ବନ୍ଧ ପାର୍ଶ୍ବରେ ଥିବା ଲଟା ବୁଦାରେ ଛପିରହିଥିଲା ପରି କେତେବେଳେ ମଧ୍ୟ ଏହି ରାସ୍ତା ପାର୍ଶ୍ବରେ ଲୁଚିରହିଥିବାର ଭୟ ପଥଚାରୀଙ୍କୁ ଭୟଭୀତ କରିଛି।
ସୂଚନା ଯୋଗ୍ୟ ଯେ ଏହି ରାସ୍ତାର ଉଭୟ ପାର୍ଶ୍ବରେ ରହିଥିବା ବୃକ୍ଷରାଜି ପରିବେଶର ସୌନ୍ଦର୍ଯ୍ୟକୁ ବଢ଼ାଇଥିଲା ବେଳେ ବର୍ତ୍ତମାନ ଗଛ ମୂଳରେ ୩ଫୁଟର ଆବର୍ଜନା ମୁଖ୍ୟ ରାସ୍ତାର ପରିବର୍ଦ୍ଧିତ ସୌନ୍ଦର୍ଯ୍ୟରେ ବାଧକ ଆସିଛି। ଯଥାଶୀଘ୍ର ବର୍ଷା ଛାଡିଲା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ବାଙ୍କୀ-କଟକ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବକୁ ସଫେଇ କରିବା ପାଇଁ ପଥଚାରୀ ଓ ଜନସାଧାରଣ ଗଣମାଧ୍ୟମ ଜରିଆରେ ଦାବୀ ଜଣାଇଛନ୍ତି।



