ଖରା ପାଇଁ ହନ୍ତସନ୍ତ ଖାଉଟି; ବଜାରରେ ମିଳୁନି ପରିବା
ବାଙ୍କୀ: ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ । ମହାନଦୀର ଉତ୍ତର ପାର୍ଶ୍ୱରେ ବାଉଁଶପୁଟ, ବନ୍ଦାଳ, ରତାଗଡ, ସୁବର୍ଣ୍ଣପୁର, କନ୍ତପହଁରା, ଓସ୍ତିଆ ଓ କଦଳୀବାଡି ପଞ୍ଚାୟତ ରହିଛି । ଏହି ପଞ୍ଚାୟତ ଗୁଡିକର କୃଷିଜାତ ପନିପରିବା ବାଙ୍କୀ ହାଟର ଚାହିଦା ମେଣ୍ଟାଇବା ସହିତ ଖାଉଟୀଙ୍କୁ ସୁଲଭ ଓ ସଜ ପରିବା ଯୋଗାଣରେ ବହୁ ପୁରୁଣା । ସେହିପରି ଦକ୍ଷିଣ ପାର୍ଶ୍ୱର ବାଙ୍କୀ ଓ ଡମପଡା ବ୍ଲକର ଅନୁରୂପ ୩୦ଟି ପଞ୍ଚାୟତର କୃଷକ ମାନେ ସପ୍ତାହକୁ ୨ଥର (ମଙ୍ଗଳ ଓ ଶନିବାର) ବଜାରକୁ ଉତ୍ପାଦିତ ପନିପରିବା ବିକ୍ରି ପାଇଁ ଆଣିଥାନ୍ତି । ଏହା ବାଙ୍କୀ ମୁଖ୍ୟ ବଜାର ସହିତ ରୁଚିକା ହାଟରେ ପନିପରିବା ଖାଉଟୀଙ୍କୁ ଉପଲବ୍ଧ କରାଇଥାଏ । ମାତ୍ର ବିଡମ୍ବନାର ବିଷୟ ପ୍ରଚଣ୍ଡ ଖରାରେ ବ୍ୟାପକ ଜଳ ସଂକଟ ସହିତ ପୂର୍ବରୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରି କୃଷକର ପରିବା ଫସଲ ଅତି ପ୍ରଭାବିତ ହୋଇଛି । ଯାହାଦ୍ୱାରା ଚଳିତ ଗ୍ରୀଷ୍ମ ଋତୁରେ ଆଉ ବାଙ୍କୀ ହାଟ ବଜାରକୁ ସମ୍ପୃକ୍ତ ବିଭିନ୍ନ ପଞ୍ଚାୟତର ଗ୍ରାମ ମାନଙ୍କରୁ ବାଙ୍କୀ ହାଟକୁ ପରିବା ଆସିବା ଢେର କମିଯାଇଛି ।
ବାଙ୍କୀ ମୁଖ୍ୟ ବଜାର ଏବଂ ରୁଚିକାହାଟ ଖାଁଖାଁ ଦେଖିବାକୁ ମିଳିଛି । ସକାଳୁ ହାଟପାଳିରେ ହାତଗଣତି ଚାଷୀ କିଛି କମ ପରିମାଣର ଉତ୍ପାଦିତ ପରିବା ବିକ୍ରି କରିବାକୁ ଆଣୁଛନ୍ତି । ପ୍ରଚଣ୍ଡ ଖରାରେ ବସି ବିକ୍ରି କରିବା କଷ୍ଟ ହେଉଥିବାରୁ ସକାଳ ଓଳିରେ କମ ଦାମରେ ପରିବା ବିକ୍ରିକରି ଚାଲିଯାଉଥିବାରୁ ଚାଷୀର ଉତ୍ପାଦିତ ଦର ମିଳୁନଥିବା ଜଣାପଡିଛି । ସେପଟେ ଖାଉଟୀ ମାନେ ଖରାଟିଆ ପନିପରିବା ପାଉନଥିବାରୁ ଭୁବନେଶ୍ୱର, କଟକ ଓ ବାହାରୁ ବାଙ୍କୀକୁ ଆସୁଥିବା ପରିବା ଗୁଡିକ ଚଢା ଦରରେ ମୁନାଫାଖୋର ବ୍ୟବସାୟୀ ମାନେ ବିକ୍ରି କରୁଥିବାରୁ ଖାଉଟୀ ମାନେ ପ୍ରଭାବିତ ହେଉଛନ୍ତି । ସେପଟେ ଖରାଟିଆ ପରିବା କୃଷିକ୍ଷେତ୍ରରୁ ଉଜୁଡୁଥିବାରୁ ଚାଷୀ ମଧ୍ୟ ଘରର ଚାହିଦା ମୁତାବକ ପରିବା ପାଇପାରୁନାହିଁ । ସକାଳ ୯ଟା ବେଳୁ ବାଙ୍କୀ ବଜାରର ମୁଖ୍ୟ ରାସ୍ତାରେ ଆଗପରି ପରିବା ଜମୁନାହିଁ । ଅପରାହ୍ନ ୫ଘଟିକା ପର୍ଯ୍ୟନ୍ତ ପ୍ରଚଣ୍ଡ ତାତି ଓ ଗରମ ହେତୁ ହାଟ ବଜାର ସୁନସାନ ହେତୁ କୃଷି ବଜାର ପ୍ରଭାବିତ ହୋଇପଡିଛି । ଖରାଟିଆ ପନିପରିବାର ଅଭାବ ହେତୁ ଅଞ୍ଚଳରେ ଖାଉଟୀ ମାନେ ହନ୍ତସନ୍ତ ହେଉଥିବା ଜଣାପଡିଛି ।
Comments are closed.