ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ଚତୁର୍ଥ ତ୍ରୈୟମାସରେ ନେଟ୍‌ ଲାଭ ୧,୨୧୮ କୋଟିରୁ ଅଧିକ

 

prayash

ନେଟ୍‌ ସୁଧ ଆୟ ଏବଂ ନିମ୍ନତମ ଟ୍ୟାକ୍ସ ବ୍ୟବସ୍ଥା ଦ୍ୱାରା ଅଭିବୃଦ୍ଧି ସମ୍ଭବ ହୋଇପାରିଛି

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଏହାର ଚତୁର୍ଥ ତ୍ରୈୟମାସରେ ଶତକଡା ୪୫ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ୧,୨୧୮ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରିପାରିଛି । ବ୍ୟାଙ୍କର ନେଟ୍‌ ସୁଧ ଆୟ ଓ ଅଣ-ସୁଧ ଆୟରେ ବୃଦ୍ଧି ଏବଂ ନିମ୍ନତମ ଟ୍ୟାକ୍ସ ବ୍ୟବସ୍ଥା ଦ୍ୱାରା ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି । ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୪ ରେ  ପ୍ରତି ଇକ୍ୟୁଟୀ ଶେୟାର ପାଇଁ ୧.୪୦ ର ଲାଭାଂଶ ଘୋଷଣା କରିଥିବା ସହ ଆର୍ଥିକ ବର୍ଷ ୨୦୨୫ ରେ ଇକ୍ୟୁଟୀ ଇସ୍ୟୁ କରିବା ସହ ୭,୫୦୦ କୋଟିର ପୁଞ୍ଜି ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛି । ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଧୁ ସକ୍ସେନା କହିଛନ୍ତି ଯେ ବ୍ୟାଙ୍କ ଲଗାତାର୧୫ଟି ତ୍ରୈୟମାସ ଧରି ଲାଭପ୍ରଦ ରହିଥିବା ସହ ନିଜର ଅଭିବୃଦ୍ଧି ବଜାୟ ରଖିପାରିଛି । ବ୍ୟାଙ୍କର ନେଟ୍‌ ସୁଧ ଆୟ ଶତକଡା ୧୮ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ୨,୫୮୪ କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କର ନେଟ୍‌ ଇଣ୍ଟରେଷ୍ଟ ମାର୍ଜିନ୍‌ (ଏନ୍‌ଆଇଏମ୍‌) ଶତକଡା ୩.୯୨ ପ୍ରତିଶତକୁ ବୃଦ୍ଧି ପାଇଛି । ବ୍ୟାଙ୍କର ଗ୍ରସ୍‌ ଏନ୍‌ପିଏ  କିମ୍ବା ଅନାଦେୟ ଋଣ ଶତକଡା ୧.୮୮ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ନେଟ୍‌ ଏନ୍‌ପିଏ ଶତକଡା ୦.୨୦ ପ୍ରତିଶତକୁ ହ୍ରାସ ପାଇଛି । ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ଆର୍ଥିକ ବର୍ଷ ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶତକଡା ୧୬.୩୦ ପ୍ରତିଶତ ବୃଦ୍ଧି ପାଇ ୨,୦୩,୬୬୪ କୋଟି ଟଙ୍କାରେ ପହଞ୍ଚିଛି ।  ବ୍ୟାଙ୍କର ସମୁଦାୟ ଜମା ଆର୍ଥିକ ବର୍ଷ ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୧୫.୬୬   ପ୍ରତିଶତ ବୃଦ୍ଧି ପାଇ ୨,୭୦,୭୪୭ କୋଟି ଟଙ୍କାରେ ପହଞ୍ଚି ପାରିଛି । ଶ୍ରୀ ସକ୍ସେନା କହିଛନ୍ତି ଯେ ବ୍ୟାଙ୍କ ଅର୍ଥିକ ବର୍ଷ ୨୦୨୫ରେ ଅଗ୍ରୀମ ଏବଂ ଜମା ରାଶିରେ ଯଥାକ୍ରମେ ଶତକଡା ୧୬ ରୁ ୨୦ ପ୍ରତିଶତ ଓ ଶତକଡା ୧୨ ରୁ ୧୫ ପ୍ରତିଶତ ବୃଦ୍ଧିର ଆଶା ରଖିଛି ।

Comments are closed.