ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଶାଖାରେ ଜାଲିଆତି ; ଋଣ ନାଁରେ କୋଟି କୋଟି ଲୁଟ୍‌

ଯାଜପୁର : ଫୁଲବାଣୀ ଷ୍ଟେଟ୍‌‌ ବ୍ୟାଙ୍କରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହି ଦୁର୍ନୀତିର ଚେର ଯାଜପୁର ଜିଲାର ବରୀରୁ କନ୍ଧମାଳ ଫୁଲବାଣୀ ପର୍ଯ୍ୟନ୍ତ ଲମ୍ବିଛି। ବିଭିନ୍ନ ଲୋକଙ୍କ ନାମରେ ଋଣ କରି ଉକ୍ତ ଅର୍ଥକୁ ବ୍ୟାଙ୍କର କେତେକ କର୍ମଚାରୀ ଓ ଦଲାଲମାନେ ଲୁଟି ନେଇଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତଙ୍କ ନାମରେ ହୋଇଥିବା ଋଣ ପରିଶୋଧ କରିଦିଆଯିବ ବୋଲି ଦଲାଲ ଓ ସମ୍ପୃକ୍ତ ବ୍ୟାଙ୍କର କର୍ମଚାରୀମାନେ ଋଣଗ୍ରହୀତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଦିନ ପରେ ଦିନ ଗଡ଼ି ଚାଲିଥିଲେ ମଧ୍ୟ ଏହି ଋଣ ଏବେ ବି ବ୍ୟାଙ୍କ ଖାତାରେ ଗଡ଼ୁଛି।
ମିଳିଥିବା ସୂଚନା ଅନୁଯାୟୀ, ବରୀ ବ୍ଲକ ଅନ୍ତର୍ଗତ ରମ୍ପା ଗ୍ରାମର ଜନୈକ ବ୍ୟକ୍ତି ଯାଜପୁର ଜିଲାର ବିଭିନ୍ନ ଷ୍ଟେଟ୍‌‌ ବ୍ୟାଙ୍କ ଶାଖାରେ ଆକାଉଣ୍ଟ ଖୋଲିଥିବା କେତେକ ନିରୀହ ଲୋକଙ୍କୁ ସେମାନଙ୍କ ଆକାଉଣ୍ଟ ଫୁଲବାଣୀ ଷ୍ଟେଟ୍‌‌ ବ୍ୟାଙ୍କକୁ ଟ୍ରାନ୍ସଫର କଲେ ୫୦ ହଜାର ଟଙ୍କା ଲେଖାଁଏ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ଫଳରେ ବରୀ, କାଇପଡ଼ା, ବ୍ରହ୍ମବରଦା ଓ କୁଆଖିଆ ଶାଖାର ଶତାଧିକ ଲୋକ ନିଜ ନିଜର ଆକାଉଣ୍ଟକୁ ଫୁଲବାଣୀ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖାକୁ ଟ୍ରାନ୍ସଫର କରିଥିଲେ। ପରେ ଟ୍ରାନ୍ସଫର ହୋଇଥିବା ଆକାଉଣ୍ଟଗୁଡ଼ିକରେ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ଫୁଲବାଣୀ ଷ୍ଟେଟ୍‌‌ ବ୍ୟାଙ୍କରେ ସେମାନଙ୍କ ନାମରେ କୋଟି କୋଟି ଟଙ୍କାର ଋଣ କରାଯାଇଥିବାର ଜଣାପଡ଼ିଛି। ଉଦାହରଣ ସ୍ୱରୂପ ବରୀ ଷ୍ଟେଟ୍‌‌ ବ୍ୟାଙ୍କ ଶାଖାରେ ଆକାଉଣ୍ଟ ଖୋଲିଥିବା ଅନାମ ଚରଣ ରାଉତ, ପିତା ସ୍ୱର୍ଗତ ମାୟାଧର ରାଉତଙ୍କ ଆକାଉଣ୍ଟକୁ ୨୦୨୧ ନଭେମ୍ବର ୧୫ ତାରିଖରେ ଫୁଲବାଣୀ ଷ୍ଟେଟ୍‌‌ ବ୍ୟାଙ୍କ ମୁଖ୍ୟ ଶାଖାକୁ ଟ୍ରାନ୍ସଫର କରାଯାଇଥିଲା। ସେହିଦିନ ଶ୍ରୀ ରାଉତଙ୍କ ନାମରେ ୧୨ ଲକ୍ଷ ଟଙ୍କା ଋଣ କରାଯାଇଥିଲା। ଆଉ ଉକ୍ତ ଅର୍ଥକୁ ବାସନ୍ତି ଆଚାର୍ଯ୍ୟ (ଆକାଉଣ୍ଟ ନଂ-୩୫୫୬୭୧୯୬୭୧୪)ଙ୍କ ଜମାଖାତାକୁ ୫ଲକ୍ଷ ଓ ସମରେଶ ରଞ୍ଜନ ଦାସ (ଆକାଉଣ୍ଟ ନଂ-୩୦୮୯୬୩୭୭୮୪୭)ଙ୍କ ଜମାଖାତାକୁ ୨ଟି କିସ୍ତିରେ ୭ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିବାର ଦେଖିବାକୁ ମିଳିଛି। ହେଲେ ଶ୍ରୀ ରାଉତ ଏହି ଋଣ ନେଇଥିବା ସମ୍ପର୍କରେ କୌଣସି କାଗଜପତ୍ର କିମ୍ବା ଦସ୍ତଖତ ଫୁଲବାଣୀ ଷ୍ଟେଟ୍‌‌ ବ୍ୟାଙ୍କରେ କରିନାହାନ୍ତି ବୋଲି ଜଣାପଡ଼ିଛି। କେବଳ ଅନାମ ନୁହଁନ୍ତି, ବରୀ ଷ୍ଟେଟ୍‌‌ ବ୍ୟାଙ୍କ ଶାଖାରେ ଆକାଉଣ୍ଟ ଥିବା ପ୍ରଭାତ କୁମାର ସାମଲ, ପିତା ଗୋବିନ୍ଦ ସାମଲଙ୍କ ଆକାଉଣ୍ଟକୁ ୨୦୨୧ ନଭେମ୍ବର ୧୫ ତାରିଖରେ ଟ୍ରାନ୍ସଫର କରାଯାଇ ସେହିଦିନ ତାଙ୍କ ନାମରେ ୧୩ ଲକ୍ଷ ଟଙ୍କା ଋଣ କରାଯାଇଛି। ଆଉ ଏହି ଋଣ ଅର୍ଥକୁ ସେହିଦିନ ସମରେଶ ରଞ୍ଜନ ଦାସ (ଆକାଉଣ୍ଟ ନଂ-୩୦୮୯୬୩୭୭୮୪୭)ଙ୍କ ଆକାଉଣ୍ଟକୁ ୫ଲକ୍ଷ, ଶ୍ରୀକାନ୍ତ କୁମାର ବିଶ୍ୱାଳ(୩୦୦୪୭୦୧୫୩୮୫)ଙ୍କ ଆକାଉଣ୍ଟକୁ ୫ଲକ୍ଷ ଓ ସୁରେନ୍ଦ୍ର ପଣ୍ଡା (ଆକାଉଣ୍ଟ ନଂ-୪୦୨୨୬୭୨୨୬୭୦)ଙ୍କ ଆକାଉଣ୍ଟକୁ ୩ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିବାର ଜଣାପଡ଼ିଛି। ସେହିପରି ସୌମ୍ୟରଞ୍ଜନ ବିଶ୍ୱାଳ, ପିତା ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ନାମରେ ୧୦ ନଭେମ୍ବର ୨୦୨୧ରେ ୧୦ ଲକ୍ଷ ଟଙ୍କାର ଋଣ କରାଯାଇଛି। ଉକ୍ତ ଅର୍ଥକୁ ସେହିଦିନ ଦୁଇଟି ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିବାର ଜଣାପଡ଼ିଛି।
ଖବର ନେବାରେ ଜଣାପଡ଼ିଛି ଯେ ବରୀ ଶାଖାର ବିଦ୍ୟୁତ୍‌ଲତା ବିଶ୍ୱାଳଙ୍କ ଆକାଉଣ୍ଟକୁ ଫୁଲବାଣୀ ଟ୍ରାନ୍ସଫର କରାଯାଇ ୩ ଜାନୁଆରୀ ୨୦୨୨ ତାରିଖରେ ୧୪ ଲକ୍ଷ ଟଙ୍କାର ଋଣ କରାଯାଇଛି। ସେହିଦିନ ଉକ୍ତ ଅର୍ଥକୁ ସମରେଶ ରଞ୍ଜନ ଦାସ (ଆକାଉଣ୍ଟ ନଂ-୩୦୮୯୬୩୭୭୮୪୭)ଙ୍କ ଆକାଉଣ୍ଟକୁ ୫ଲକ୍ଷ, ସରୋଜିନୀ ଦାସ(ଆକାଉଣ୍ଟ ନଂ-୨୦୦୮୪୨୮୦୬୨୬)ଙ୍କ ଜମାଖାତାକୁ ୫ଲକ୍ଷ ଓ ସୁରେନ୍ଦ୍ର ପଣ୍ଡା(ଆକାଉଣ୍ଟ ନଂ- ୪୦୪୬୩୬୮୬୦୦୫)ଙ୍କ ଆକାଉଣ୍ଟକୁ ୪ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିବାର ଜଣାପଡ଼ିଛି। ସେହିପରି ବରୀ ଷ୍ଟେଟ୍‌‌ ବ୍ୟାଙ୍କ ଶାଖାର ଶମ୍ଭୁନାଥ ମହାନ୍ତି, ବିଶ୍ୱଜିତ ବିଶ୍ୱାଳ, ଦିଲୀପ ମହାପାତ୍ର, ପଦ୍ମନାଭ ସାହାଣୀ, ଭରତ ସେଠୀ, କାଇପଡ଼ା ଷ୍ଟେଟ୍‌‌ ବ୍ୟାଙ୍କ ଶାଖାର ଧର୍ମପଦ ବେହେରା, କୁଆଖିଆ ଷ୍ଟେଟବ୍ୟାଙ୍କ ଶାଖାର ପ୍ରଶାନ୍ତ କୁମାର ବିଶ୍ୱାଳ, ବ୍ରହ୍ମବରଦା ଷ୍ଟେଟବ୍ୟାଙ୍କ ଶାଖାର ପଙ୍କଜିନୀ ବିଶ୍ୱାଳଙ୍କ ଆକାଉଣ୍ଟକୁ ଫୁଲବାଣୀ ଷ୍ଟେଟବ୍ୟାଙ୍କକୁ ଟ୍ରାନ୍ସଫର କରାଯାଇ ସେମାନଙ୍କ ନାମରେ ମୁଣ୍ଡପିଛା ୧୦ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରାଯାଇଛି। ଏହି ଋଣ ଅର୍ଥକୁ ଫୁଲବାଣୀ ଷ୍ଟେଟବ୍ୟାଙ୍କ ଶାଖାରେ ଚାକିରି କରିଥିବା କେତେକ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପର୍କୀୟ, ଫୁଲବାଣୀ ଜିଲା ଯୋଗାଣ ବିଭାଗର ପୂର୍ବତନ ଯୋଗାଣ ନିରୀକ୍ଷକ ସୌମ୍ୟରଞ୍ଜନ ଦାସ, ଭୁବନେଶ୍ୱର କଳ୍ପନାଛକସ୍ଥିତ କୋଅପରେଟିଭ ସୋସାଇଟିର ସମ୍ପାଦକ ଶ୍ରୀକାନ୍ତ ବିଶ୍ୱାଳ, ଯାଜପୁର ଜିଲାର ନରସିଂହପୁର ଗ୍ରାମର ସୁରେନ୍ଦ୍ର ପଣ୍ଡାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇ ଲୁଟ୍‌ ହୋଇଥିବାର ଜଣାପଡ଼ିଛି। ଏ ସମ୍ପର୍କରେ ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ମୁଖ୍ୟ ପରିଚାଳକ ଏଚ. ପାଢ଼ୀଙ୍କୁ ପଚାରିବାରେ ଆମେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ଠିକ୍‌‌ ହେବନାହିଁ। ଯେଉଁମାନଙ୍କ ନାମରେ ମିଥ୍ୟା ଋଣ ହୋଇଛି, ସେମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କଲେ ଏହି ଘଟଣାର ତଦନ୍ତ କରାଯିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ସେହିପରି ଏହି ମିଥ୍ୟା ଋଣ ହୋଇଥିବା ସମୟର ତତ୍କାଳୀନ ଫୁଲବାଣୀ ଷ୍ଟେଟବ୍ୟାଙ୍କର ମୁଖ୍ୟ ପରିଚାଳକ ହରେକୃଷ୍ଣ ଜେନାଙ୍କୁ ପଚାରିବାରେ ବ୍ୟାଙ୍କ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ଉତ୍ତର ଦେଇହେବ ନାହିଁ ବୋଲି ସେ ସଫେଇ ଦେଇଛନ୍ତି। ଏ ଦିଗରେ ସିବିଆଇ ତଦନ୍ତ କରାଗଲେ ବହୁ ଗରିବ ଲୋକଙ୍କ ନାମରେ ବେଆଇନ ଭାବେ ଋଣ କରି କୋଟି କୋଟି ଟଙ୍କା ଲୁଟି ନେଇଥିବା ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ କର୍ମଚାରୀ ଓ ଦଲାଲମାନଙ୍କ ମୁଖା ଖୋଲିପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।

kalyan agarbati

Comments are closed.