‘ସମାଜ’ ପକ୍ଷରୁ ସନ୍ଥେଭଞ୍ଜ ହାଇସ୍କୁଲରେ ବନ ମହୋତ୍ସବ

କେନ୍ଦୁଝରଗଡ଼ : ଦୈନିକ ଖବରକାଗଜ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ ପରିପ୍ରେକ୍ଷୀରେ ରାଜ୍ୟବ୍ୟାପୀ ଚାରାରୋପଣ କାର୍ଯ୍ୟକ୍ରମ ଅବସରରେ ସୋମବାର ସଦର ବ୍ଲକ ପଳାଶପଙ୍ଗାସ୍ଥିତ ସନ୍ଥେଭଞ୍ଜ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ସନ୍ଥେଭଞ୍ଜ ଉଚ୍ଚ ବିଦ୍ୟାଳୟ ଓ ଦୈନିକ ‘ସମାଜ’ ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ସୋମବାର ୭୪ତମ ବନ ମହୋତ୍ସବ ପାଳନ ପରପ୍ରେକ୍ଷୀରେ ୧୦୦ରୁ ଅଧିକ ଆମ୍ବ, ଅଁଳା, ବଉଳ, ମେହୋଗାନି ଆଦି ଚାରାରୋପଣ କରାଯାଇଛି । ସଦର ରେଞ୍ଜର ବିଜୟ କୁମାର ମହାନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜେ ଚାରାରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମାଜ ପ୍ରତିନିଧି ଜ୍ଞାନରଞ୍ଜନ ମିଶ୍ର, ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ, ପଳାଶପଙ୍ଗା ସରପଞ୍ଚ ବାସନ୍ତୀ ନାଏକ, ସମିତିସଭ୍ୟ ସଞ୍ଜୟ କୁମାର ନାଏକ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ମଙ୍ଗଲ କୁମାର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିଥିଲେ । ଏହି ଅବସରରେ ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ସଦର ରେଞ୍ଜର ଶ୍ରୀ ମହାନ୍ତ ଯୋଗଦେଇ ଚାରାରୋପଣର ଆବଶ୍ୟକତା ସମ୍ପର୍କରେ ଛାତ୍ରୀମାନଙ୍କୁ ପରାମର୍ଶ ଦେବା ସହ ଚାରାର କିଭଳି ଯତ୍ନ କରାଯାଇ ବୃକ୍ଷରେ ପରିଣତ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ।

prayash

ଜନ୍ମ ଦିନରେ କେକ୍‌‌ ନକାଟି ଜନ୍ମଦିନକୁ ଅଧିକ ସ୍ମରଣୀୟ କରିବା ପାଇଁ ନିଜେ ଘରେ ସେହିଦିନ ଗୋଟିଏ ଚାରାରୋପଣ କରି ପରିବେଶ ସୁରକ୍ଷାରେ ସହାୟକ ହେବାକୁ ସମାଜ ପ୍ରତିନିଧି ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଶ୍ରୀମତୀ ନାଏକ, ସମିତି ସଭ୍ୟ ଶ୍ରୀ ନାଏକ ଓ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀ ମାଝୀ ଯୋଗଦେଇ ବନ ମହୋତ୍ସବ ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ପ୍ରତିବର୍ଷ ମୂଲ୍ୟବାନ ଚାରାରୋପଣ କରି ବିଦ୍ୟାଳୟ ସୌନ୍ଦର୍ଯ୍ୟ ବୃଦ୍ଧି ସହ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ପଳାଶପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ, ବିଦ୍ୟାଳୟର ଇକୋ କ୍ଲବ, ଜୁନିୟର ରେଡକ୍ରସ ଏବଂ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବନ ବିଭାଗ କର୍ମଚାରୀ ଯୋଗଦେଇ ଚାରାରୋପଣ କରିଥିଲେ।

Comments are closed.