ଡକାୟତି ମାମଲା: ମୁଖ୍ୟ ଦୋଷୀକୁ ୭ ବର୍ଷ ଜେଲ୍

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ୨୦୧୩ ମସିହାରେ ଏକ ଡକାୟତି ଗ୍ୟାଙ୍ଗ ଘର ଭିତରେ ପଶି ସୁନା, ରୂପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ। ଦୀର୍ଘ ୧୧ ବର୍ଷ ପରେ ଶୁକ୍ରବାର ସହକାରୀ ଦୌରା ଜଜଙ୍କ ଅଦାଲତ ରାୟ ପ୍ରକାଶ କରି ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ରାଣାକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ଘଟଣା ପ୍ରକାରେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର ଗଚେରୀ ଗାଁରେ ୨୦୧୩ ମସିହା ମାର୍ଚ୍ଚ ୧୭ ତାରିଖ ରାତି ୯ଟା ସମୟରେ ସିମୀ ମାଝୀଙ୍କ ଘରେ ଡକାୟତ ପଶି ତାଙ୍କ ଝିଅ ପିନ୍ଧିଥିବା ସୁନା ଅଳଙ୍କାର, ରୂପା ସାମଗ୍ରୀ ଓ ଘରେ ଥିବା ଟଙ୍କା ଲୁଟି ନେଇଥିଲେ। ଏନେଇ ତୁମୁଡିବନ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଗ୍ୟାଙ୍ଗରେ ୭ ଜଣ ରହିଥିବାବେଳେ ତୁମୁଡିବନ୍ଧ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ସସିକେଲା ଗ୍ରାମର ପାଣ୍ଡବ ରାଣା ମୁଖ୍ୟ ଅଭିଯୁକ୍ତ ଓ ତା’ର ସହଯୋଗୀଙ୍କୁ ଗିରଫ କରିଥିଲା। ଦୀର୍ଘ ବର୍ଷ ବିଚାର ପରେ ଆଜି ମାନ୍ୟବର ସହକାରୀ ଦୌରା ଜଜ୍ ଅଦାଲତ ବିଚାରପତି ଅପୂର୍ବ କୁମାର ରାୟ ମୁଖ୍ୟ ଦୋଷୀ ପାଣ୍ଡବ ରାଣାକୁ ୭ ବର୍ଷ ଜେଲ୍ ଓ ୧୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲା ସରକାରୀ ଓକିଲ ସୁରେଶ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।

Comments are closed.