www.samajalive.in
Wednesday, December 10, 2025
15.1 C
Bhubaneswar

ପଣସୁଧା ସଂଘର୍ଷ ଓ ପୁଲିସ ଭ୍ୟାନ୍‍ ପୋଡି ଘଟଣା ; ନିଲମ୍ବିତ ଶିକ୍ଷକ ବସନ୍ତରାଜ ସାମଲ ଗିରଫ

ବାଲିଚନ୍ଦ୍ରପୁର: ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ପଣସୁଧା ମାତାମଠ ନିକଟସ୍ଥ ବଜାରରେ ଗତ ମାର୍ଚ୍ଚ ୬ ତାରିଖରେ ଘଟିଥିବା ଗୋଷ୍ଠି ସଂଘର୍ଷ ଓ ପୁଲିସ ଭ୍ୟାନ୍‍ ପୋଡ଼ି ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନିଲମ୍ବିତ ଶିକ୍ଷକ ବସନ୍ତରାଜ ସାମଲ ଓରଫ ମିଟୁକୁ ବାଲିଚନ୍ଦ୍ରପୁର ପୁଲିସ ଗୁରୁବାର ଗିରଫ କରିଛି। କୋର୍ଟ ଚାଲାଣ କରିଥିବା ବେଳେ ଚଣ୍ଡିଖୋଲ ପ୍ରଥମ ଶ୍ରେଣୀ ବିଚାର ବିଭାଗ କୋର୍ଟରେ ତାର ଜାମିନ ଆବେଦନ ଖାରଜ ହେବାରୁ ତାକୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯାଇଥିବା ଜଣାଯାଇଛି।
ଫଳରେ ଅଭିଯୁକ୍ତ ମିଟୁ ଓ ପୁଲିସ ମଧ୍ୟରେ ଚାଲିଥିବା ଅଢେଇ ମାସର ଲୁଚକାଳି ଖେଳର ଅନ୍ତ ଘଟିଛି। ଏହି ଗୋଷ୍ଠି ସଂଘର୍ଷ ଓ ପୁଲିସ ଭ୍ୟାନ୍‍ ପୋଡି ଘଟଣାରେ ମିଟୁକୁ ମିଶାଇ ମୋଟ୍‍ ଗିରଫ ସଂଖ୍ୟା ୩୪ ରେ ପହଞ୍ଚିଛି। ଖାଲି ପୁଲିସ୍‍ ଭ୍ୟାନ୍‍ ପୋଡି ଘଟଣା ନୁହେଁ ଆଉ ଏକ ମାମଲା ମଧ୍ୟ ବାଲିଚନ୍ଦ୍ରପୁର ପୁଲିସ ମିଟୁ ନାମରେ ରୁଜ୍ଜୁ କରିଥିବା ଜଣାଯାଇଛି।
ଗୋଷ୍ଠି ସଂଘର୍ଷ ଘଟଣାରେ ସାକ୍ଷୀ ଥିବା ମହାକାଳପଡା ଗ୍ରାମର ବଟକୃଷ୍ଣ ରାଉତଙ୍କୁ ସାକ୍ଷୀ ନଦେବା ପାଇଁ ମିଟୁ ଗତ ମାସ ୧୪ ତାରିଖରେ ଧମକ ଦେଇଥିଲା। ଏଥି ନେଇ ବଟକୃଷ୍ଣ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବଟକୃଷ୍ଣଙ୍କ ଅଭିଯୋଗ ପାଇ ପୁଲିସ ମିଟୁ ବିରୁଦ୍ଧରେ ଆଉ ଏକ ମାମଲା ରୁଜୁ କରିଥିବା ବେଳେ ଦୁଇ ମାମଲାରେ ମିଟୁକୁ କୋର୍ଟ ଚାଲାଣ କରାଯାଇଥିଲା।
ସୂଚନା ଯୋଗ୍ୟ , ଚଳିତ ବର୍ଷ ମାର୍ଚ୍ଚ ମାସ ୬ ତାରିଖରେ ଏହି ଥାନା ଅନ୍ତର୍ଗତ ପଣସୁଧା ମାତା ମଠ ନିକଟସ୍ଥ ବଜାରରେ ଦୁଇ ଗୋଷ୍ଠି ମଧ୍ୟରେ ଗୋଷ୍ଠି ସଙ୍ଘର୍ଷ ଘଟିବା ସହ ବାଲିଚନ୍ଦ୍ରପୁର ଥାନାର ଦୁଇଟି ପୁଲିସ ଭ୍ୟାନ୍‍ କୁ ପୋଡିଦିଆଯାଇଥିଲା। ମିଟୁ ନିର୍ଦେଶରେ ଘଟଣାସ୍ଥଳରେ ଥିବା ଦୁଇଟି ପୁଲିସ ଭ୍ୟାନକୁ ଗୋଟିଏ ଗୋଷ୍ଠୀର ଲୋକେ ପୋଡଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ନିଜ ଆଡୁ ଏକ ମାମଲା ରଜ୍ଜୁୁ କରିବା ସହ ମିଟୁକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା।
ଗୋଷ୍ଠି ସଂଘର୍ଷ ପରେ ମିଟୁ ଫେରାର ହୋଇଯାଇଥିଲା। ଫେରାର ମିଟୁକୁ ଗିରଫ କରିବାକୁ ପୁଲିସ ରାଜ୍ୟ ତଥା ରାଜ୍ୟ ବାହାରେ ଚଢାଉ କରିଥିଲେ ମଧ୍ୟ ସଫଳତା ପାଇନଥିଲା। ଗତ ମାସ ୫ ତାରିଖରେ ବଡଚଣା ମଣ୍ଡଳ ଶିକ୍ଷାଧିକାରୀ ମିଟୁକୁ ଶିକ୍ଷକତାରୁ ନିଲମ୍ବିତ କରିଥିଲେ। ମାନ୍ୟବର ଉଚ୍ଚନ୍ୟାୟାଳୟରୁ ମିଟୁକୁ ଗିରଫ ନକରିବାକୁ ନେଇ ଏକ ମାସିଆ ଆନ୍ତରୀଣ ସୁରକ୍ଷା ମିଳିଥିଲା। ଗତ ମାସ ୨୯ ତାରିଖରେ ମାମଲାର ଶୁଣାଣୀ କରି ମାନ୍ୟବର ଉଚ୍ଚନ୍ୟାୟାଳୟ ମିଟୁକୁ ତଳକୋର୍ଟରେ ଆତ୍ମସମର୍ପଣ ପାଇଁ ନିର୍ଦେଶ ଦେଇଥିଲେ। ଆତ୍ମସମର୍ପଣ ପାଇଁ କୋର୍ଟକୁ ଆସିବା ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ମିଟୁକୁ ଧରିବା ପାଇଁ କୋର୍ଟ ବାହାରେ ଜାଲ ବିଛାଇଥିଲା। ସେଥି ପାଇଁ ମିଟୁ ଆଉ କୋର୍ଟରେ ଆତ୍ମ ସମର୍ପଣ କରପାରିିନଥିଲା। ଗୁରୁବାର ବାଲିଚନ୍ଦ୍ରପୁର ବଜାର ରୁ ମିଟୁକୁ ଗିରଫ କରାଯାଇଥିବା ଜଣାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories