ସିମୁଳିଆ: ପୁରୀରୁ ଜଗନ୍ନାଥଙ୍କ ଦର୍ଶନ ସାରି ଦିଘା ଫେରୁଥିବା ବେଳେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାରୁ ପ୍ରକାଶ ପୁରୀ ଜଗନ୍ନାଥ ଦର୍ଶନ ସାରି ପଶ୍ଚିମବଙ୍ଗ ଦିଘା କୁ ୬୫ ଜଣ ଯାତ୍ରୀକୁ ନେଇ ଯାଉଥିବା ଘରୋଇ ଇନ୍ଦ୍ରାଣୀ ଟ୍ରାଭେଲ ବସ ଟି ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରେ ଡିଭାଇଡରକୁ ଧକ୍କା ଦେଇଥିଲା । ଫଳରେ ବସଟି ଓଲଟି ପଡ଼ିଥିଲା । ଖବର ପାଇ ସିମୁଳିଆ ଥାନାଅଧିକାରୀ ଶ୍ରବଣ କୁମାର ମହାରଣା ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ସିମୁଳିଆ, ସୋର ଓ ବାଲେଶ୍ୱର ମେଡିକାଲକୁ ପଠାଇଥିଲେ । ଡ୍ରାଇଭରକୁ ନିଦ ଆସିଯାଇଥିବା ଯୋଗୁଁ ଏହି ଭଳି ବଡ଼ ଦୁର୍ଘଟଣା ହୋଇଥିବା ନେଇ ସନ୍ଦେହ କରାଯାଉଛି । ସମସ୍ତ ଯାତ୍ରୀ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ହୋଇଥିବା ବେଳେ ସୁସ୍ଥ ଥିବା ଯାତ୍ରୀମାନଙ୍କୁ ଅନ୍ୟ ଏକ ଗାଡି ମାଧ୍ୟମରେ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି ପୁଲିସ ।



