www.samajalive.in
Saturday, December 6, 2025
26.1 C
Bhubaneswar

ଶାନ୍ତିର ସଂକଳ୍ପ

ଗୌରବମୟ ସଂସ୍କୃତିର ପରିଚାୟକ ଐତିହାସିକ କଟକ ସହରରେ ଅଶାନ୍ତି ଆଜି ସାରା ରାଜ୍ୟ ତଥା ଦେଶର ଜନଜୀବନକୁ ଚିନ୍ତାଗ୍ରସ୍ତ କରିଛି। ମୈତ୍ରୀର ପ୍ରଚାର ପ୍ରସାରରେ ଏହି ସହର ଏକଦା ଆପଣାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ପ୍ରେମ, ଅହିଂସା, କରୁଣାର ଅନନ୍ୟ ଉଦାହରଣ ହେଉଛି କଟକ ସହର। ଉତ୍କଳୀୟ ସଂସ୍କୃତିର ପ୍ରାଣକେନ୍ଦ୍ର, ଏ ସହରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର କର୍ମମୟ ଜୀବନ ବିତାଇ ଥିବାବେଳେ ଓଡ଼ିଶାବାସୀଙ୍କ ସ୍ବପ୍ନକୁ ଏହିଠାରୁ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରିଥିଲେ। ଅନେକ ଯୋଗଜନ୍ମା ବରପୁତ୍ର ଏ ମାଟିରେ ଭୂମିଷ୍ଠ ହୋଇ ରାଜ୍ୟ, ଦେଶ ତଥା ବିଶ୍ବରେ ଆପଣାର ସ୍ବକୀୟ ପ୍ରତିଷ୍ଠା ବଳରେ ସୁନାମ ଅର୍ଜନ କରିଥିଲାବେଳେ ରାଜ୍ୟ ପାଇଁ ଅନେକ ସମ୍ମାନ ଓ ଗୌରବ ଆଣି ଦେଇଛନ୍ତି। ସେହି ବରପୁତ୍ରମାନେ କଟକ ମାଟିର ଗରିମା ଗାନ କରିବା ସହିତ ସଂହତି, ସଦ୍‌ଭାବନା ତଥା ଭାଇଚାରାକୁ ଆଗକୁ ନେଇଛନ୍ତି। ଶ୍ରୀଚୈତନ୍ୟଙ୍କ କଟକ ଆଗମନ ହେଉ ବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ କଟକ କାଠଯୋଡ଼ି ନଦୀ ବାଲିରେ ସଭା ଅବା ଉତ୍କଳୀୟ ସଂସ୍କୃତିର ପରିଚୟ ବହନ କରିଥିବା କଟକ ତାରକସି ଶିଳ୍ପ ସାରା ବିଶ୍ବର ଜନମାନସକୁ ପ୍ରଭାବିତ କରିଆସିଛି। ଉତ୍କଳୀୟ ସମୃଦ୍ଧ ନୌବାଣିଜ୍ୟ ପରମ୍ପରା କଟକକୁ କେବଳ ଲୋକଲୋଚନରେ ପରିଚିତ କରାଇଛି ତାହା ନୁହେଁ, ଏହି ଉନ୍ନତ ପରମ୍ପରାର ସ୍ବାକ୍ଷର ବହନ କରୁଥିବା କଟକ ବାଲିଯାତ୍ରା ରାଜ୍ୟ ତଥା ଦେଶରେ ସ୍ବତନ୍ତ୍ର ସ୍ଥାନ ଲାଭ କରିଥିବାବେଳେ କଟକବାସୀଙ୍କ ଦେଶପ୍ରେମ, ଭ୍ରାତୃଭାବ, ଭାଇଚାରାକୁ ସ୍ବୀକାର କରିଥାଏ।

ଆଜି ଏକ ସଂକଟଜନକ ପରିସ୍ଥିତିରେ କଟକବାସୀ ଆପଣାର ସେହି ଭ୍ରାତୃଭାବକୁ ସମ୍ମାନ ଜଣାଇ ସହରରେ ଶାନ୍ତି ଫେରାଇ ଆଣିବା ଆବଶ୍ୟକ। ଯେତେବେଳେ ହିଂସା ଦମନ କରିବାକୁ ପୁଲିସ ପ୍ରଶାସନ ଅସମର୍ଥ, କଳହ ଦୂର କରିବାରେ ସରକାର ବିଫଳ, ଅଶାନ୍ତିର ପ୍ରତିକାର ପାଇଁ ଜିଲା ପ୍ରଶାସନ ନିଷ୍କ୍ରିୟ, ବାଧ୍ୟ ବାଧକତାରୁ କର୍ଫ୍ୟୁ ଜାରି କରିବାକୁ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରିବାକୁ ପଡ଼ିଛି, ସେତେବେଳେ କଟକବାସୀ, ସାଧାରଣ ଜନତା ଶାନ୍ତି ଫେରାଇ ଆଣିବାରେ ସହାୟକ ହୋଇପାରିବେ।

- Advertisement -

ଉଲ୍ଲେଖ ଅନାବଶ୍ୟକ ଯେ, କର୍ଫ୍ୟୁ ଦ୍ବାରା ସାଧାରଣ ଜନତା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି। ସେମାନଙ୍କର ରୋଜଗାର ପ୍ରଭାବିତ ହୁଏ। ରୋଗୀ, ଦୂରଦୂରାନ୍ତରୁ ସହରକୁ ଆସିଥିବା ଲୋକେ ନାହଁି ନଥିବା ଅସୁବିଧା ଭୋଗନ୍ତି। ଇଣ୍ଟରନେଟ୍‌ ବନ୍ଦ ଯୋଗଁୁ ବ୍ୟାଙ୍କ, ଦପ୍ତର, ଗଣମାଧ୍ୟମ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସେବା ବ୍ୟାହତ ହୁଏ। ବାଣିଜ୍ୟ ବ୍ୟବସାୟ ଉପରେ ଏହାର ଗୁରୁତର ପ୍ରଭାବ ପଡ଼େ। କିଛି ମୁଷ୍ଟିମେୟ ଖଳ ପ୍ରକୃତିର ଲୋକଙ୍କ ପାଇଁ ଆଜି ସମଗ୍ର ସହରର ଲକ୍ଷ ଲକ୍ଷ ଲୋ​‌େ​‌କ ଦୁର୍ଦଶା ଭୋଗୁଛନ୍ତି। କର୍ଫ୍ୟୁ ଓ ବନ୍ଧୁକ ଭୟ ଦେଖାଇ ଆମେ କୃତ୍ରିମ ଶାନ୍ତି ପ୍ରତିଷ୍ଠା କଲେ ମଧ୍ୟ ଏହା ଏକ ସ୍ଥାୟୀ ବ୍ୟବସ୍ଥା ନୁହେଁ। କଟକ ତାହାର ସ୍ବାଭାବିକତା ଲୋଡ଼େ। ଜୀବନ ଉପରେ କୌଣସି ପ୍ରକାର ବାହ୍ୟ ଯନ୍ତ୍ରଣା ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ଏ ଦିଗ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ।

ଭ୍ରାତୃଭାବ ଆମର ପବିତ୍ର କର୍ତ୍ତବ୍ୟ, ସଦ୍‌ଭାବନା ଆମର ମୌଳିକ ଦାୟିତ୍ବ। ନୈତିକ କର୍ତ୍ତବ୍ୟ ପାଳନରେ ଏହି ଦାୟିତ୍ବ ନିର୍ବାହରେ କଟକବାସୀ ଆପଣାକୁ କଦାପି ସଂକୁଚିତ କରନ୍ତୁ ନାହଁି। ପରସ୍ପର ଆଲୋଚନା ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ଏ ଦିଗରେ ସମସ୍ତଙ୍କର ସହଯୋଗ ଓ ସହଭାଗିତାର ଆବଶ୍ୟକତା ରହିଛି। ଆଜି ଏପରି ଏକ ଅସମୟରେ ଯେତେବେଳେ ମା’ଙ୍କୁ ମେଲାଣି ଜଣାଇ ଆମେମାନେ ପରସ୍ପରକୁ ଭାଇଭାଇ ଭାବେ ଅଭିନନ୍ଦନ କରି ଆପଣା ଅବସାଦ ଦୂର କରିବା କଥା ସେତେବେଳେ ଆମେ କୌଣସି ପ୍ରକାର ନକାରାତ୍ମକ ଭାବନାରେ ରହିବା ଅନୁଚିତ।
ସମସ୍ତଙ୍କୁ ସମ୍ମାନ ଦେବା, ସମସ୍ତଙ୍କ ସହିତ ସମଭାବରେ ଏକାତ୍ମ ହେବା ଆବଶ୍ୟକ। ବିଭାଜନକାରୀ ଶକ୍ତିର, ବିଭେଦକାରୀ କୌଣସି ତତ୍ତ୍ବର ଶିକାର ହେବା ଅନୁଚିତ। ଗୁଜବକୁ ବିଶ୍ବାସ ନ କରି ଘଟଣାର ସତ୍ୟତା ପରଖିବା ଉଚିତ। ପାରସ୍ପରିକ ସହଯୋଗ ବଳରେ ଦିନେ ଏକ ଉନ୍ନତ, ସମୃଦ୍ଧ କଟକ ସହର ଆଜି ତା’ର ସେହି ପରିଚୟକୁ ହରାଇ ବସିବା ଅନୁଚିତ। ଶାନ୍ତି ଓ ସହାବସ୍ଥାନ ପାଇଁ ପୁଣି ଥରେ ସଂକଳ୍ପ ନେବା ଏବଂ ରାଜ୍ୟ ତଥା ଦେଶରେ କଟକର ଗୌରବକୁ ଅଧିକ ଗୌରାବାନ୍ବିତ କରିବା ଆଜି ପ୍ରତ୍ୟେକ କଟକବାସୀଙ୍କର ମୌଳିକ ଦାୟିତ୍ବ ଓ ନୈତିକ କର୍ତ୍ତବ୍ୟ। ଆସନ୍ତୁ, ସଭିଏଁ ଶାନ୍ତି ପାଇଁ ସଂକଳ୍ପ ନେବା ଓ ମାନବିକତାର ଆହ୍ବାନକୁ ମୁକାବିଲା କରି ସ୍ନେହ, ପ୍ରେମ, ମମତାର ଡୋରିରେ ସମସ୍ତଙ୍କୁ ବାନ୍ଧିବା ପାଇଁ, ପରସ୍ପରର ସହଭାଗୀ ହେବାକୁ ପଣ କରିବା। (ଅନୂଦିତ)

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories