www.samajalive.in
Saturday, December 6, 2025
15.1 C
Bhubaneswar

କଟକ ଶାନ୍ତ, ସୁରକ୍ଷା କଡ଼ାକଡ଼ି: ଆଜି ୧୦ଟାରେ ସରିବ କର୍ଫ୍ୟୁ ଅବଧି

କଟକ: ପୁଲିସର ସୁରକ୍ଷା ବଳୟରେ କଟକ ସହର। ସହର ଜଗିଛନ୍ତି ୬୫ ପ୍ଲାଟୁନ୍‌ ସୁରକ୍ଷା କର୍ମୀ। ଏଥିରେ ସିଆରପିଏଫ୍‌, ବିଏସ୍‌ଏଫ ଭଳି କେନ୍ଦ୍ରୀୟ ସୁରକ୍ଷା ବଳ ସହିତ ରାପିଡ୍‌ ଆକ୍ସନ୍‌ ଫୋର୍ସ ବି ମୁତୟନ ହୋଇଛନ୍ତି। ଛକ ଛକରେ ନାକାବନ୍ଦୀ, ଗଳିଗଳିରେ ବାଜି ଉଠୁଛି ସାଇରନ। ବୁଲୁଛି ଦଙ୍ଗା ନିୟନ୍ତ୍ରଣକାରୀ ବଜ୍ର ବାହନ। ଅମାନିଆଙ୍କୁ ସାବାଡ୍‌ କରୁଛି ପୁଲିସର ଲାଠି। ଅତି ଜରୁରୀ କାର୍ଯ୍ୟ ନଥିଲେ ଘରୁ ଗୋଡ଼ କାଢ଼ୁନାହାନ୍ତି ସହରବାସୀ। ଏହାରି ମଧ୍ୟରେ ସୁଧୁରୁଛି କଟକରେ ସ୍ଥିତି, ଫେରୁଛି ଶାନ୍ତି; ମାତ୍ର କଟକଣାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି। ପୁଣି ୨୪ ଘଣ୍ଟା ଲାଗି ଇଣ୍ଟରନେଟ୍‌ ଓ ମୋବାଇଲ ଇଣ୍ଟରନେଟ୍‌ ସେବା ଉପରେ କଟକଣାକୁ ବଢାଇ ଦିଆଯାଇଛି। ସୋମବାର ସନ୍ଧ୍ୟା ୭ଟା ଯାଏ ଇଣ୍ଟରନେଟ୍‌ ସେବା ଉପରେ କଟକଣା ଥିବାବେଳେ ସ୍ଥିତିକୁ ଦେଖି ଏହାକୁ ଆଉ ୨୪ ଘଣ୍ଟା ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟା ୭ଟା ଯାଏ ବଢାଇ ଦିଆଯାଇଛି।

ଅନ୍ୟପକ୍ଷରେ ରବିବାର ରାତି ୧୦ଟାରୁ ଲାଗୁ କରାଯାଇଥିବା ୩୬ ଘଣ୍ଟିଆ କର୍ଫ୍ୟୁ ଏବେ ବଳବତ୍ତର ରହିଛି। ମଙ୍ଗଳବାର ପୂର୍ବାହ୍ଣ ୧୦ଟାରେ ଏହାର ଅବଧି ସରୁଥିଲେ ମଧ୍ୟ ପରିସ୍ଥିତି ଅନୁଧ୍ୟାନ ପରେ ପରବର୍ତ୍ତୀ କର୍ଫ୍ୟୁ ବୃଦ୍ଧି କିମ୍ବା ହଟାଇବା ନେଇ ନିଷ୍ପତ୍ତି ନିଆଯିବ ବୋଲି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି। ଭାଇଚାରାର ସହର କଟକରେ ଦୀର୍ଘ ୩୪ ବର୍ଷ ପରେ ଗୋଷ୍ଠୀହିଂସା ଜନିତ କର୍ଫ୍ୟୁ ଫେରିଥିବାବେଳେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ ଜୋରଦାର ହୋଇଛି। ହିଂସାକାଣ୍ଡ ଘଟଣାରେ ୨୦୦ ଜଣଙ୍କ ନଁାରେ ମାମଲା ରୁଜୁ ହୋଇଥିବାବେଳେ ୪୨ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ପୁଲିସ ଚୌଦ୍ବାର, ସିଡିଏ ଫେଜ୍‌-୨, ନନ୍ଦନକାନନ ଓ ବାରଙ୍ଗ ଥାନାରେ ଅଟକ ରଖିଛି। ଇତିମଧ୍ୟରେ ୩ଟି ମାମଲା ରୁଜୁ କରାଯାଇ ୮ଜଣଙ୍କୁ ଗିରଫ କରାଯାଇଛି। ସିସିଟିଭି ଓ ଗଣମାଧ୍ୟମରେ ପ୍ରକାଶିତ ତଥା ପ୍ରସାରିତ ଭିଡ଼ିଓ ଫୁଟେଜ ଆଧାରରେ ପୁଲିସ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛି।

- Advertisement -

କଟକରେ ମା’ ଦୁର୍ଗାଙ୍କ ଭସାଣ ଉତ୍ସବରୁ ଆରମ୍ଭ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଉଗ୍ରରୂପ ଧାରଣ କରିବା ପରେ ସୁରକ୍ଷା ବ୍ୟବସ୍ଥାକୁ ରବିବାର ସନ୍ଧ୍ୟାରୁ ବଢାଇ ଦିଆଯାଇଥିଲା। ସୋମବାର ସକାଳୁ କଟକ ସହର ସମ୍ପୂର୍ଣ୍ଣ ସହର ସୁରକ୍ଷା ବଳୟରେ ଦେଖିବାକୁ ମିଳିଥିଲା। ଦରଘା ବଜାର, କଦମ ରସୁଲ, ବକ୍ସି ବଜାର, କଚେରି ଛକ ସମେତ ସମସ୍ତ ଗଳିକନ୍ଦିରେ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯାଇଥିଲା। ସହରର ପ୍ରବେଶ ପଥରେ ପୁଲିସ ଯାନବାହନ କଡ଼ାକଡ଼ି ଯାଞ୍ଚ କରିଥିଲା। ଅତି ଆବଶ୍ୟକ ନଥିଲେ ସହର ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲା ପୁଲିସ। ଅନ୍ୟପକ୍ଷେ ସୋମବାର ବିଶ୍ବ ହିନ୍ଦୁ ପରିଷଦ ଓ କେତେକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ମାତ୍ର କର୍ଫ୍ୟୁ ଯୋଗୁଁ କୌଣସି ପ୍ରକାର ବନ୍ଦ ପାଳନ କରାଯାଇ ନାହିଁ କିମ୍ବା କୌଣସି ସଂଗଠନ ପକ୍ଷରୁ ପିକେଟିଂ ହୋଇନାହିଁ। କର୍ଫ୍ୟୁ କାରଣରୁ ସ୍ବାଭାବିକ ଭାବେ ସହରର ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଥିଲା। ସହରର ରାସ୍ତାଘାଟ ଶୂନଶାନ ହୋଇପଡ଼ିଥିଲା। ମାତ୍ର ଯାନବାହନ ଚଳାଚଳ ବନ୍ଦ ଯୋଗୁଁ ବହୁ ଯାତ୍ରୀ ଦୁର୍ଦଶା ଭୋଗିଥିଲେ। ବସ୍‌ ଷ୍ଟାଣ୍ଡରେ ବହୁ ଯାତ୍ରୀ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ଏପରିକି ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମଳିଥିଲା। ଏଥିସହ ମେଡ଼ିକାଲ ସମେତ ବିଭିନ୍ନ ଆହାର କେନ୍ଦ୍ର ଗୁଡ଼ିକ ବନ୍ଦ ରହିବାରୁ ରୋଗୀ ସମ୍ପର୍କୀୟ ଓ ଯାତ୍ରୀମାନେ ବଡ଼ ହରକତ ହୋଇଥିଲେ। ସେହିପରି ଇଣ୍ଟରନେଟ୍‌ ସେବା ନଥିବାରୁ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ହେବାକୁ ଥିବା ରୋଗୀମାନେ ଦୁର୍ଦଶା ଭୋଗିଛନ୍ତି।

ସହରରେ ରବିବାର ରାତିରୁ ଲାଗୁ ହୋଇଥିବା ସାନ୍ଧ୍ୟକାଳୀନ ଆଇନ ଯୋଗୁଁଁ ଶାନ୍ତିଶୃଙ୍ଖଳା ବଳବତ୍ତର ରହିଛି। ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ସହରରେ ପାଖାପାଖି ୬୫ ପ୍ଲାଟୁନ୍‌‌ ଫୋର୍ସ ଜଗି ରହିଛନ୍ତି। ଦରଘାବଜାର ଅଞ୍ଚଳ ସବୁଠାରୁ କଡ଼ା ସୁରକ୍ଷାବଳୟ ଭିତରେ ରହିଛି। ଏଠାରେ ସିଆରପିଏଫ ଠାରୁ ଆରମ୍ଭ କରି ରାପିଡ୍‌ ଆକ୍ସନ ଓ କୁଇକ୍‌‌ ଆକ୍ସନ ଫୋର୍ସ ଜଗି ରହିଛନ୍ତି। ସେଠାରେ ପୁଲିସ କମିସନରଙ୍କ ଅନ୍ୟ ବରିଷ୍ଠ ପଦାଧିକାରୀ ଡେରା ପକାଇ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। ପୁଲିସ ମହାନିର୍ଦେଶକ ୱାଇ.ବି ଖୁରାନିଆ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ଜରୁରୀକାଳିନ ସେବାକୁ ଛାଡିଦେଲେ ଯା’ଆସ କରୁଥିବା ଗାଡିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ମେଡିକାଲ ସହିତ ଅନ୍ୟ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ଅଟକାଇ ପୁଲିସ ପଚରାଉଚରା କରି ଛାଡୁଛି। କେତେକ ସ୍ଥାନରେ ମାରପିଟ୍‌‌ ଓ ଭଙ୍ଗାରୁଜା ଘଟିଥିବା ନେଇ ଖବର ପହଞ୍ଚିବା ମାତ୍ରେ ପୁଲିସ ସେଠାରେ ପହଞ୍ଚିଥିଲେ ହେଁ ତାହା ଗୁଜବ ବୋଲି ଜାଣିବାକୁ ପାଇଥିଲା। ପୁରୀଘାଟ ଥାନା ଅନ୍ତର୍ଗତ ନିମସାହିରେ ଜଣକୁ ଧରି କିଛି ଲୋକ ଆକ୍ରମଣ କରିଥିବା ନେଇ ଖବର ପ୍ରଚାର ହୋଇଥିଲା। ପୁଲିସ ସେଠାରେ ପହଞ୍ଚିବା ବେଳକୁ ଘଟଣା ଭିନ୍ନ ରହିଥିବା ଜାଣିବାକୁ ପାଇଛି। ପ୍ରକୃତରେ ଉକ୍ତ ବ୍ୟକ୍ତିଜଣକ ନିଶାସକ୍ତ ଅବସ୍ଥାରେ ସ୍କୁଟର ଚଳାଇ ଯାଉଥିବାବେଳେ ହଠାତ୍‌‌ ରାସ୍ତାରେ ଗାଡି ସହ କଚାଡ଼ି ହୋଇପଡ଼ିଥିଲେ। ଖଣ୍ଡିଆଖାବରା ହେବା କାରଣରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହାକୁ ଦେଖି ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଫୋର୍ସ ଓ ପୁଲିସ ତାଙ୍କୁ ତୁରନ୍ତ ଉଦ୍ଧାରକରି ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନେଇଯାଇଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି ଗୁଜବ ପ୍ରଚାର ହୋଇଥିଲା।

ସେହିପରି ରବିବାର ହିନ୍ଦୁ ସଂଗଠନ ପକ୍ଷରୁ ହୋଇଥିବା ଶୋଭାଯାତ୍ରା ସମୟରେ ଜେଲ ରୋଡ ଅଞ୍ଚଳରେ ଘଟିଥିବା ହିଂସା, ଆକ୍ରମଣ, ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାକୁ ନେଇ ପୁଲିସ ମାମଲା ରୁଜୁ କରିଛି। ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ ପରେ ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ୨୦୦ରୁ ଊର୍ଦ୍ଧ୍ବଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତା ଆଇନର ଧାରା ୧୯୧(୨), ୧୯୧(୩), ୨୯୬, ୧୧୫(୨), ୧୧୭(୪), ୧୨୧(୧), ୧୨୧(୨), ୧୩୨, ୩୨୬(ଜି), ୩୫୧(୩), ୧୦୯(୧) ଓ ୧୯୦ରେ ମାମଲା ରୁଜୁ କରିଛି। ଅପରାଧ ଘଟାଇବା ଏବଂ ଜନସାଧାରଣଙ୍କ ସମ୍ପତ୍ତିକୁ ଭଙ୍ଗାରୁଜା, ପୋଡାଜଳା କରିବା ନେଇ ସେକ୍ସନ-୪, ସେକ୍ସନ-୭ ଏବଂ ସେକ୍ଟନ-୯୬(ଓୟୁପି) ଆକ୍ଟରେ ମାମଲା ରୁଜୁ କରାଯାଇଥିବା କମିସନରେଟ୍‌ ପୁଲିସ ସୂଚନା ଦେଇଛି। ସେହିପରି ବିଭିନ୍ନ ଥାନା ପକ୍ଷରୁ ସେମାନଙ୍କ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶାନ୍ତି ଫେରାଇବା ପାଇଁ ପୁଲିସ ସମସ୍ତ ପଦକ୍ଷପ ଗ୍ରହଣ କରୁଥିବା କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କୌଣସି ଗୁଜବକୁ ବିଶ୍ବାସ ନକରିବାକୁ ପୁଲିସ ଓ ଜିଲା ପ୍ରଶାସନ ସହରବାସୀଙ୍କୁ ନିବେଦନ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories