ରାସ୍ତା ମରାମତି କାମରେ ନିୟୋଜିତ ହେଲେ ଏସଏଚଜି ମହିଳା
ବଲାଙ୍ଗିର : ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ତିଆରି କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ପ୍ରକାର ଚେଷ୍ଟା ଜାରି ରହିଥିବାବେଳେ ବଲାଙ୍ଗିର ପୈାରପ୍ରଶାସନ ପକ୍ଷରୁ ରାସ୍ତା ମରାମତି କାମରେ ଏସଏଚଜିକୁ ସାମିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ପୈାରାଞ୍ଚଳ ଅଧିନସ୍ଥ ଖଲିଆପାଲି ରାସ୍ତା ମରାମତି ପାଇଁ ସ୍ଥାନୀୟ ଗୈାତମ ଗୈାରୀ ଏସଏଚଜିକୁ କାର୍ଯ୍ୟଦେଶ ପ୍ରଦାନ କରାଯାଇଛି। ମହିଳାମାନେ କାମ କରିବା ସହିତ ବେଶ୍ ଖୁସିଥିବା ପ୍ରକାଶ କରିଛନ୍ତି।
ଆଜ୍ଞା ଆମର ଏସଏଚଜି ପାଖେ ହେନ୍ତା କିଛି କାମ ଧାମ୍ ନାଇ ଥାଇ ଯେନଥିରୁ କୁ ଦୁଇ ପଇସା ରୋଜଗାର କରି କରି ଘର ଚଲାମୁ। ଆମର ପଡାରେ ଥିବା ରାସ୍ତା କାମ କରବାର ଲାଗି ଆମେ ମୁନସିପାଲଟିରେ ଅର୍ଜି ଦେଇଥିଲୁ। ସେନୁ ଆଜ୍ଞା ଆମକେ ଡାକଲେ ଆଉ ଆମର ଏସଏଚଜି କେ କାମ ଦେଇଥିଲେ। ସବୁ ମହିଳାମାନେ ମିଶି କରି ଆମେ କାମ କରୁଛୁ ଆଉ ଦୁଇ ପଇସା ପାଇବାର ଆଶା କରିଛୁଁ। ଏ ହେଉଛି ବଲାଙ୍ଗିର ଖଲିଆପାଲିରେ ଥିବା ଗୈାତମ ଗୈାରୀ ଏସଏଚଜି ସଭାନେତ୍ରୀ ସତ୍ୟବତୀ ବାଗଙ୍କ ପ୍ରତିକ୍ରିୟା। ଏହି ଏସଏଚଜିକୁ ବଲାଙ୍ଗିର ପୈାରାଞ୍ଚଳ ପକ୍ଷରୁ ସହର ଶୁଲ୍କ କର୍ମନିଯୁକ୍ତି ପ୍ରାରମ୍ଭ କାର୍ଯ୍ୟକ୍ରମରେ ଏହି କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ, ଖଲିଆପାଲିର ଖଲିପଡା ଆମ୍ବେଦକର କ୍ଲବ ନିକଟସ୍ଥ ରାସ୍ତା ମରାମତି ପାଇଁ ପଚାଶ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏସଏଚଜିର ୧୨ ଜଣ ସଦସ୍ୟ ଏହି ମରାମତି କାମରେ ନିଜକୁ ନିୟୋଜିତ କରି କାମ କରୁଥିବାବେଳେ ତଦାରଖ ପାଇଁ ପୈାରାଞ୍ଚଳ ଯନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କରୋନା ଭଳି ଏକ ସଙ୍କଟ ସମୟରେ ଏହି ପୈାରାଞ୍ଚଳ ପକ୍ଷରୁ ଆରମ୍ଭ ହୋଇଥିବା ଏହି କର୍ମନିଯୁକ୍ତି କାର୍ଯ୍ୟକ୍ରମକୁ ନେଇ ଏସଏଚଜି ମହିଳାମାନେ ଖୁସି ପ୍ରକାଶ କରିଛନ୍ତି। ସେହିପରି ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପୈାରାଞ୍ଚଳ ପକ୍ଷରୁ ପ୍ରୟାସ କରାଯାଇଥିବାବେଳେ ଏହା ସଫଳ ହୋଇଥିବା ପୈାରନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ପ୍ରତିକ୍ରିୟାରେ କହିଛନ୍ତି।
Comments are closed.