ଛାତିଥରା ବାହାନଗା ଟ୍ରାଜେଡିକୁ ବର୍ଷେ….
ସୋର ; ସେଦିନ ଥିଲା ୨୦୨୩ ମସିହା ଜୁନ୍ ୨ ତାରିଖ ଶୁକ୍ରବାର। ସମୟ ସନ୍ଧ୍ୟା ୬.୪୫ ମିନିଟ୍ । ସେହି କାଳ ସଂଧ୍ୟାରେ ମହାବିପତ୍ତିର କଳାମେଘ ଘୋଡ଼େଇ ଆସିଥିଲା ବାହାନଗା ଭାଗ୍ୟାକାଶରେ। ଗୋଟିଏ ସେକେଣ୍ଡ୍ରେ ଓଲଟପାଲଟ ହେଇଗଲା ନିର୍ଦ୍ଧାରିତ ପ୍ରଣାଳୀର ଜୀବନଧାରା। ବଦଳିଯାଇଥିଲା ସମୟର ଗତି, ଭାଙ୍ଗିରୁଜି ଚୁରମାର୍ ହେଇଗଲା ୨ଟି ଦ୍ରୁତଗାମୀ ଟ୍ରେନ୍ର ଅନେକ ବଗି। ମଣିଷ ମାନଙ୍କର ଆର୍ତ୍ତ ଚିତ୍କାରରେ ଥରି ଉଠିଲା ବାହାନାଗାର ମାଟି, ପାଣି ଓ ପବନ। ବୋହିଗଲା ରକ୍ତର ନଦୀ। ଚାଲିଗଲା ଶହଶହ ନିରିହ ଜୀବନ। କେହି କିଛି ବୁଝିବା ଆଗରୁ ଆଖିଆଗରେ ଛିଡ଼ାହେଲା ଛାତିଥରା ଅସହ୍ୟ ଯନ୍ତ୍ରଣାର ସ୍ୱର, ଅଭାବନୀୟ ହୃଦୟ ବିଦାରକ ମୃତ୍ୟୁର ଦୁଃଖ। ଠିକ୍ ଏତିକି ବେଳେ, କ୍ଷଣକ ମଧ୍ୟରେ ଚଳଚଞ୍ଚଳ ହୋଇ ଉଠିଲେ ବାହାନଗାବାସୀ। ଧାଇଁଗଲେ ଆଖପାଖ ଅଞ୍ଚଳର ସାଧାରଣ ଲୋକେ, ସ୍ୱେଚ୍ଛାସେବୀ। ଜୀବନକୁ ବାଜି ଲଗାଇ ବିପଦସଙ୍କୁଳ ବଗି ଭିତରୁ ଉଦ୍ଧାର କଲେ ହଜାର ହଜାର ଆହତ ଏବଂ ଶହଶହ ମୃତଦେହ। ଯିଏ ଯାହା ପାରିଲା ସାହାଯ୍ୟ ପାଇଁ ଛାତି ପତେଇଦେଲେ ସ୍ୱତଃପ୍ରବୃତ୍ତ ଭାବେ। ଆହତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ, ଅଟୋ, କାର, ବାଇକ୍ ଯାହା ମିଳିଲା ବୋହି ନେଇଗଲେ ଆଶୁ ଚିକିତ୍ସା ପାଇଁ। ଦୁର୍ଗତ ଯାତ୍ରୀଙ୍କୁ ଠିକଣା ଜାଗାରେ ପହଞ୍ଚାଇବା କାମରେ ଲାଗିପଡ଼ିଲେ ଅନେକ ଲୋକ। ପଶ୍ଚିମବଙ୍ଗ ସାଲିମାରରୁ ନିର୍ଦ୍ଧାରିତ ୩.୨୦ରେ ପ୍ଲାଟଫର୍ମ ନଂ-୨ରୁ ବାହାରିଥିଲା ୧୨୮୪୧ କରମଣ୍ଡଳ ଅପ୍ ଚେନ୍ନଇ ଅଭିମୁଖେ। ସନ୍ଧ୍ୟା ୬.୩୨ରେ ବାଲେଶ୍ୱର ପହଞ୍ଚିଲା ଓ ୬.୩୭ ସଠିକ୍ ସମୟରେ ଛାଡ଼ିଲା ଭଦ୍ରକ ଷ୍ଟେସନ ଅଭିମୁଖେ। ସମୟ ପାଖାପାଖି ସନ୍ଧ୍ୟା ୬.୫୦। ଗାଡିର ଗତି ଥାଏ ଘଣ୍ଟାପ୍ରତି ୧୨୮ କିଲୋମିଟର। ଇଂଜିନ ପାଖରେ ଭିନ୍ନକ୍ଷମଙ୍କ ବଗି। ତା’ ପଛକୁ ଲଗାଲଗି ଯୋଡ଼େ ସାଧାରଣ ଯାତ୍ରୀଙ୍କ ବଗି। ଉଛୁଳ ମୁଛୁଳ ଠେଲାଠେଲି ଯାତ୍ରୀ, ସେଥିରେ ଚଢିଥାନ୍ତି କିଛି ସ୍ଥାନୀୟ ବାଲେଶ୍ୱର ଓ ଭଦ୍ରକ ଜିଲାର ଲୋକେ। ସାଧାରଣ ପଛକୁ ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ବଗି। ତା’ ପାଖକୁ ପାଖ ବାତାନୁକୂଳ ବଗିମାନଙ୍କରେ ଯାତ୍ରୀମାନେ ଥିଲେ ଚଳଚଞ୍ଚଳ। ସଂଜ ମାଡି ଆସୁ ଥାଏ, ରାତିର ଗତିକୁ ପ୍ରତିହତ କରି ଗୋଡ଼ାଇ ଥାଏ ଯମ। ସୋର ଷ୍ଟେସନ୍ ୮ କି.ମି. ପୂର୍ବରୁ ପଡ଼େ ଗୋଟେ ଛୋଟ ଷ୍ଟେସନ୍ ବାହନଗା ବଜାର। ୨ଟି ଯାକ ଲୁପ୍ ଲାଇନ୍ରେ ଛିଡ଼ାହୋଇ ଥାନ୍ତି ୨ଟି ମାଲବାହୀ ଗାଡି। ଅପ୍ ଏବଂ ଡାଉନ୍ ମେନ୍ଲାଇନରେ ଗ୍ରୀନ ସିଗନାଲ୍। ଅପ ଲାଇନ୍ରେ କରମଣ୍ଡଳ ଏକ୍ସପ୍ରେସ ଏବଂ ଡାଉନ୍ ଲାଇନରେ ୧୨୨୪୬ ଯଶୋବନ୍ତପୁର-ହାୱଡ଼ା ଦୂରନ୍ତ ଟ୍ରେନ୍ ପାଖାପାଖି ସମାନ ଗତିରେ ମାଡ଼ି ଆସିଥିଲେ। ଯଶୋବନ୍ତପୁର-ହାୱଡ଼ା ଏକ୍ସପ୍ରେସ ଷ୍ଟେସନ ଅତିକ୍ରମ କରିସାରିଥାଏ। ଅପର ଦିଗରୁ ମାଡ଼ି ଆସୁଥାଏ କରମଣ୍ଡଳ। ଅପ୍ ଲାଇନ୍ ପାଇଁ ଜଳୁଥାଏ ସବୁଜ ସଙ୍କେତ, କିନ୍ତୁ ଟ୍ରାକ୍ ରହିଥାଏ ଲୁପ୍ ଲାଇନ୍ ଆଡ଼କୁ। ଲୋକୋ ପାଇଲଟ୍ ଆଖିରୁ ବିଜୁଳି ଛିଟକି ପଡ଼ିଲା, ଜରୁରୀକାଳୀନ ବ୍ରେକ୍ରେ ହାତ ପକାଇବା ପୂର୍ବରୁ ସବୁ ସରିଯାଇଥିଲା। ସରକାରୀ ଗଣନା ଅନୁସାରେ ବାହାନଗା ରେଳ ଦୁର୍ଘଟଣାରେ ୨୯୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେେଳେ ୧୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ୮୧ ଟି ମୃତ ଦେହକୁ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ କରି ରଖାଯାଇଥିଲା। ୩୯ଟି ଅଜଣା ଶରୀରକୁ ଡିଏନ୍ଏ ପରୀକ୍ଷା କରାଯିବା ପରେ ୩୭ଟିକୁ ହସ୍ତାନ୍ତର କରାଯାଇଥିଲା ୨ଟିର ପରିଚୟ ନମିଳିବାରୁ ସଂସ୍କାର କରାଯାଇଥିଲା। ପଶ୍ଚିମବଙ୍ଗର ମୁର୍ଶିଦାବାଦ, ବିହାରର ପାଟନା, ଓଡ଼ିଶା, ତାମିଲନାଡ଼ୁ, ଆନ୍ଧ୍ରପ୍ରେଦଶର ମଧ୍ୟ ବହୁ ଯାତ୍ରୀ ଏଥିରେ ଯାତ୍ରା କରୁଥିଲେ। ତଦନ୍ତରୁ ଯାହା ଜଣାପଡ଼ଛି, କର୍ତ୍ତବ୍ୟରତ କର୍ମଚାରୀଙ୍କ ସାମାନ୍ୟ ତ୍ରୁଟିରୁ ଏହି ମହାବିପତ୍ତି ଘଟିଥିଲା। ଦୁର୍ଘଟଣାର ୨୪ ଘଣ୍ଟାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ। ସିବିଆଇ ତଦନ୍ତ ଆରମ୍ଭ କରି ୧୩ ଜୁଲାଇ ୨୦୨୩ରେ ବାହାନଗା ଷ୍ଟେସନ୍ ମାଷ୍ଟର ଏସ.ବି.ମହାନ୍ତିଙ୍କୁ ପ୍ରଥମେ ନିଲମ୍ବନ କରିବା ପରେ ଚାକିରିରୁ ବରଖାସ୍ତ କଲେ। ବାଲେଶ୍ୱର ସିନିୟର ସିଗନାଲିଂ ସେକ୍ସନ ଇଂଜିନିୟର ଅରୁଣ କୁମାର ମହନ୍ତ, ସୋରର ମହମ୍ମଦ ଅମିର ଖାନ୍ ଏବଂ ବାଲେଶ୍ୱର ଟେକ୍ନସିଆନ ପପୁ କୁମାରଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ଏମାନଙ୍କ ସହିତ ଟ୍ରାଫିକ ଇନ୍ସପେକ୍ଟର ଆଶିଷ କୁମାର ଖୁଣ୍ଟିଆ, ସିଗନାଲ୍ ମେଣ୍ଟେନର୍ ଶ୍ରୀ ମହାନ୍ତିଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଚାକିରିରୁ ବହିଷ୍କାର କରାଯାଇଛି। ମାତ୍ର ସହକାରୀ ସିଗନାଲ୍ ଟେଲିକମ ଇଂଜିନିୟର୍ଙ୍କୁ ଗିରଫ କରା ନଯାଇ ନିଲମ୍ବନ ପରେ ବହିଷ୍କାର କରାଯାଇଛି। ଏହି ଛାତିଥରା ମର୍ମନ୍ତୁଦ ଘଟଣାକୁ ଆଜି ଗୋଟିଏ ବର୍ଷ ଅତିକ୍ରାନ୍ତ ହୋଇଛି। ସେଦିନର ସେହି ଛାତିଥରା ଚିତ୍ର ଆଜି ବି ମନରୁ ଲିଭିପାରୁନି। ଆଜିର ଦିନରେ ଅଞ୍ଚଳବାସୀଙ୍କ ତରଫରୁ ଦିବଂଗତ ଯାତ୍ରୀଙ୍କ ଅମର ଆତ୍ମାର ସଦ୍ଗତି କାମନା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
Comments are closed.