www.samajalive.in
Monday, December 15, 2025
17.1 C
Bhubaneswar

ବଡ଼ସାହି : ତିତଲି ପାଇଁ ୧୬ଟି ଗ୍ରାମ ଜଳବନ୍ଦୀ

::୬ଟି ସ୍ଥାନରେ ୫୫୦ଜଣଙ୍କୁ ରନ୍ଧାଖାଦ୍ୟ
::ପ୍ରମୁଖ ରାସ୍ତା ଯୋଗଯୋଗ ବିଚ୍ଛିନ୍ନ
::ଗର୍ଭଧାରଣ ସମୟରେ ଧାନ ଚାଷ ପ୍ରଭାବିତ
ବଡ଼ସାହି : ସାମୁଦ୍ରିକ ଝଡ଼ ତିତ୍‍ଲି ପ୍ରଭାବରେ ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀ ବନ୍ୟାରେ ବଡ଼ସାହି ବ୍ଲକ ପ୍ରଭାବିତ ହୋଇଛି। ଦୁଇଦିନ ଧରି ବ୍ଲକର ୭ଟି ପଞ୍ଚାୟତର ୧୬ଖଣ୍ଡ ଗାଁର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଏହି ଗ୍ରାମ ମାନଙ୍କୁ ସଂଯୋଗ କରୁଥିବା ରାସ୍ତାରେ ବନ୍ୟାଜଳ ଶନିବାର ସନ୍ଧ୍ୟା ସୁଦ୍ଧା ପ୍ରବାହିତ ହେଉଛି। ଗଙ୍ଗାହାର ନଦୀ ବନ୍ୟା ଜଳରେ ଶାଳଗାଁ, ମାନଗୋବିନ୍ଦପୁର, ମାଣତ୍ରୀ, ଭୀମିଦା, ପଟିସାରୀ, ଛେଳିଆ(କ) ଓ ସୁହାଗପୁର ପଞ୍ଚାୟତର ୧୬ଖଣ୍ଡ ଗ୍ରାମ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବିପଦ ଥିବା ପରିବାରର ୫୫୦ଜଣଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି। ସୁହାଗପୁର, ବେଢ଼ାପାଳ, ଭୀମିଦା, ନୁଣକୁଆ, ଜଡ଼ିଦା ଓ ମାଣତ୍ରୀ ଆଦି ୬ଟି ସ୍ଥାନରେ ସେମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। 

ଅନ୍ୟପକ୍ଷରେ ଜଳବନ୍ଦୀ ଥିବା ବନ୍ୟା ବିପନ୍ନ ପରିବାରଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇନାହିଁ। ବନ୍ୟା ପାଣି କମିଲେ ତୁରନ୍ତ ରିଲିଫ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ଓ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ ସମର୍ଥକଙ୍କ ସହିତ ବିଭିନ୍ନ ଗ୍ରାମ ପରିଦର୍ଶନ କରି ବ୍ୟକ୍ତିଗତ ଭାବେ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ମଧ୍ୟ ବନ୍ୟା ପୀଡ଼ିତଙ୍କୁ ସେବା ଯୋଗାଯାଇଛି। ଜିଲା ଜରୁରୀ କାଳୀନ ଅଧିକାରୀ ସୁଜୟ କୁମାର ପତି, ବଡ଼ସାହି ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ ଓ ତହସିଲଦାର ଅମୀୟ କୁମାର ରାଉତ ଓ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା ନାରାୟଣ କୁମାର ବେହେରା ପୃଥକ ଭାବେ ଟିମ୍‍ ସହିତ ବନ୍ୟା ପ୍ରଭାବିତ ଗ୍ରାମ ପରିଦର୍ଶନ କରିଛନ୍ତି। ବ୍ଲକ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ଖୋଲା ଯାଇ ୍ର ରିପୋର୍ଟ ପ୍ରସ୍ତୁତ ସାଙ୍ଗକୁ ସତର୍କ ରଖାଯାଇଛି। ଶନିବାର ବର୍ଷା କମି ଥିବାରୁ ବିଳମ୍ବିତ ରାତି ଠାରୁ ବନ୍ୟାଜଳ ହାସ୍ର ପାଇବ ଅନୁମାନ କରାଯାଉଛି। ବନ୍ୟାଞ୍ଚଳରେ ଆଜି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଅନେକ ମାଟିଘର କାନ୍ଥ ଭୁଷୁଡ଼ି ଥିବା ବେଳେ କେହି ମୃତାହାତ ହୋଇନାହାନ୍ତି। ବର୍ଷାଜଳ ନିଷ୍କାସନ ପାଇଁ ଅନେକ ସ୍ଥାନରେ ରାସ୍ତାକୁ ଲୋକମାନେ ହାଣି ନାଳ କରିଛନ୍ତି। ଅନେକ ଗ୍ରାମ ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଶୁକ୍ରବାର ପରି ବୈଶିଙ୍ଗା-ଉଦଳା, ବଡ଼ସାହି-କୁଆମରା, ବଡ଼ସାହି-ଉଦଳା ରାସ୍ତାର ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଶନିବାର ସୁଦ୍ଧା ଯୋଗାଯୋଗ ବିଚ୍ଛିନ୍ନ ରହିଛି। 

- Advertisement -

ବୁଢ଼ାବଳଙ୍ଗ ନଦୀ ବନ୍ୟାଜଳରେ ଘୁଷୁରିଆ-ପତରାପଦା ଓ ମାଣତ୍ରୀ-ଗମ୍ଭାରିଆ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ବୈଶିଙ୍ଗା-ମାଣତ୍ରୀ ରାସ୍ତାର ପାଟଳୀପୁରା ନିକଟରେ ରାସ୍ତା ଉପରେ ପାଣି ଥିବାରୁ ସକାଳ ପାଖରୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଶୁକ୍ରବାର ଠାରୁ ବିଚ୍ଛିନ୍ନ ଥିବା ଉଦଳା-ବାରିପଦା ରାସ୍ତା ସ୍ୱାଭାବିକ ହୋଇନାହିଁ। ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଧାନ ଚାଷୀ। ଉଭୟନଦୀ ସଂଲଗ୍ନ ୨୧ଟି ପଞ୍ଚାୟତର ପ୍ରାୟ ୪୩ରୁ ଊର୍ଦ୍ଧ୍ବ ଗ୍ରାମର ଏକର ଏକର ଜମି ବନ୍ୟା ଜଳରେ ବୁଢ଼ି ରହିଛି। ୪ଦିନ ପରେ ଗର୍ଭଣା ସଂକ୍ରାନ୍ତି। ଧାନ ଗଛ ଗର୍ଭ ଧାରଣ ସମୟରେ ବନ୍ୟା ପାଣି ପଶିବା ଫଳରେ ଧାନ ଅମଳ ଆଶା ହରାଇ ଚିନ୍ତାରେ ଚାଷୀ ରହିଛନ୍ତି। ଫାଇଲିନ ସମୟରେ ଅନୁରୂପ ବନ୍ୟା ପାଇଁ ଧାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଥିଲା। ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆଗୁଆ ଚାଷୀଙ୍କ ପରିଶ୍ରମ ବୃଥା ହୋଇଛି। ସମୁଦ୍ର ଅଶାନ୍ତ ପାଇଁ ବନ୍ୟାଜଳ ନିଷ୍କାସନ ବିଳମ୍ବ ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories