ଗୁରୁ ପୂଜା ପାଇବା ପରିବର୍ତ୍ତେ ଭୋଜନ ପରିବେଷଣ ଚିନ୍ତା : ରାଜ୍ୟ ନୋଡ଼ାଲ ଅଫିସର

0

ବଡ଼ସାହି : ବିଭିନ୍ନ ଦିବସ ପାଳନ ଦିନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉ ନାହିଁ। ଏଭଳି ଅଭିଯୋଗ ପାଇ ତା୪ା୯ା୧୦ରିଖରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର ତଥା ସ୍କୁଲ ଓ ଗଣଶିକ୍ଷା ବିଭାଗର ଉପସଚିବ ଗଙ୍ଗାଧର ସାହୁ ପତ୍ର ନଂ ୯୮୨ ଯୋଗେ ସମସ୍ତ ଜିଲାପାଳଙ୍କୁ ଘଟଣାର ଅନୁଧ୍ୟାନ ପାଇଁ ନିର୍ଦେଶ ଦେଇଛନ୍ତି। ପତ୍ରର ନକଲ ପ୍ରିନ୍ସ୍‍ପାଲ ସେକ୍ରେଟାରୀ, ସମସ୍ତ ଡ଼ିଇଓ ଓ ବିଇଓଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ବର୍ଷକ ମଧ୍ୟରେ ୨୩୯ଦିନ ସ୍କୁଲ କାର୍ଯ୍ୟ ଦିବସ ଥିବା ବେଳେ ସରସ୍ୱତୀ ପୂଜା, ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗୁରୁଦିବସ, ଗଣେଶ ପୂଜା, ଗାନ୍ଧୀଜୟନ୍ତୀ ଓ ଶିଶୁଦିବସ ୯ଦିନ ସ୍କୁଲରେ ଯଦିଓ ପାଠ ପଢ଼ାଯାଏ ନାହିଁ। ତେବେ ଦିବସ ଗୁଡ଼ିକ ପାଳନ କରାଯାଇଥାଏ। ଏହି ୯ଦିନ ଅଧବକାଂଶ ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ଏହି ଦିନର ମଧ୍ୟାହ୍ନ ଭୋଜନ ଦିଆଯାଇଥିବାର ମିଥ୍ୟା ବିଲ୍‍ ପ୍ରସ୍ତୁତ କରି ଅନୁଦାନ ଅର୍ଥ ବାଟମାରଣା କରୁଛନ୍ତି। ବିଇଓ ଓ ଡ଼ିଇଓ ସଠିକ୍‍ ଭାବରେ କାର୍ଯ୍ୟକ୍ରମ ଯାଞ୍ଚ କରୁ ନଥିବାରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଖିଲାଫ ହେଉଛି। ପିଲାମାନେ ମଧ୍ୟ ଆହାର ଅଧିକାରରୁ ଉକ୍ତ ଦିନ ବଞ୍ଚିତ ରହୁଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ଏଣୁ ଦିବସ ପାଳନ ଦିନ ମାନଙ୍କରେ ଶତପ୍ରତିଶତ ଯାଞ୍ଚ ପୂର୍ବକ ରିପୋର୍ଟ ପ୍ରଦାନ ପାଇଁ ସେ କହିଛନ୍ତି। ଏହି ନିର୍ଦେଶ ଆସିବା ମାତ୍ରେ ସମସ୍ତ ସ୍କୁଲକୁ ସୂଚନା ଦିଆଯାଇଛି। ଗୁରୁଦିବସରେ ପୂଜା ପାଇବା ପରିବର୍ତ୍ତେ ପିଲାଙ୍କୁ କିପରି ମଧ୍ୟାହ୍ନ ଭୋଜନ ଯୋଗା ଯିବ ସେ ନେଇ ଶିକ୍ଷକ/ଶିକ୍ଷୟତ୍ରୀ ବ୍ୟସ୍ତ ରହୁଛନ୍ତି। ପ୍ରକାଶ ଥାଉ କି, ପ୍ରତ୍ୟେକ ସ୍କୁଲରୁ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ପ୍ରତିଦିନର ବିବରଣୀ ବିଭାଗ ପକ୍ଷରୁ ପ୍ରଦତ୍ତ ଟୋଲ-ଫ୍ରି ନମ୍ବର ଯୋଗେ ଦିଆଯାଉଛି। ମଧ୍ୟାହ୍ନ ଭୋଜନ ପାଇଁ ୧ମରୁ ୫ମଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ପିଲାଙ୍କ ପାଇଁ ୪ଟଙ୍କା ୫୮ପଇସା ଓ ୬ଷ୍ଠରୁ ୮ମଶ୍ରେଣୀ ପ୍ରତି ପିଲାଙ୍କ ପାଇଁ ୬ଟଙ୍କା ୯୮ପଇସା ଲେଖାଏଁ ଅନୁଦାନ ଆସୁଛି। ତେବେ ଗୋଟିଏ ଦିନ ମଧ୍ୟାହ୍ନ ଭୋଜନ ବନ୍ଦ ହେଲେ ୩୦୦ ପିଲା ଥିବା ସ୍କୁଲରେ ୧୩୫୦ଟଙ୍କାରୁ ୨୦୦୦ଟଙ୍କା ବାଟବାରଣା ହେବା ଆଶଙ୍କା ରହିଛି।

Leave A Reply