ଲଗାଣ ବର୍ଷା ବଢାଉଛି ବନ୍ୟା ପ୍ରଭାବିତଙ୍କ କଷ୍ଟ
ବଡ଼ମ୍ବା : ଦୁଇଦିନ ହେବ ପାଣିସ୍ତର ଖସିବାରୁ ଟିକଏ ଆଶ୍ୱସ୍ତି ଅନୁଭବ କରୁଥିଲେ ନଦୀକୁଳିଆ ବନ୍ୟା ପ୍ରଭାବିତ ଲୋକ । ପୁନର୍ବାର ସାଧାରଣ ଜୀବନ ଯାପନର ରାହା ଖୋଜୁଥିବା ବନ୍ୟାପ୍ରଭାବିତ ଲୋକଙ୍କୁ କଷ୍ଟ ଦେଉଛି ଗୁରୁବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ଆଉ ଏକ ଲଗାଣବର୍ଷା । ଘର ବାହାର ଗାଁ ଦାଣ୍ଡ ସର୍ବତ୍ର ସନ୍ତସନ୍ତିଆ ଏବଂ କର୍ଦମାକ୍ତ । ଗାଁରୁ ପାଣି ଖସିବାପରେ ଘର ସଜାଡ଼ି ପାରିନଥିବା ବନ୍ୟାକ୍ଲିଷ୍ଟ ଲୋକେ ଦୁଇଦିନ ହେବ ବର୍ଷା ଲାଗିରହିଥିବାରୁ ଏବେ ପଦାକୁ ବାହାରି ପାରୁନଥିବା ଅନ୍ୟତମ ବିଡ଼ମ୍ବନା। ଅନ୍ୟପକ୍ଷରେ ବର୍ଷା ସତ୍ୱେ ଶୁକ୍ରବାର କଟକ ସାଂସଦ ଭର୍ତ୍ତୃହରି ମହତାବ,ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ସହିତ ଜିଲାପାଳ ଭବାନୀଶଙ୍କର ଚୟିନୀ ପ୍ରମୁଖ ବଡ଼ମ୍ବାର କେତକ ବନ୍ୟାପ୍ରଭାବିତ ଅଞ୍ଚଳ ରିଦର୍ଶନ କରିଥିବା ଜଣାଯାଇଛି ।
ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ସେମାନେ ମହାନଦୀର ବନ୍ୟାଦ୍ୱାରା ଘାଇ ସୃଷ୍ଟି ହୋଇଥିବା ଶଂଖାମେରୀର ଘେରିବନ୍ଧ, ବାଙ୍ଗେରିସିଂହା ଗ୍ରାମର ନଦୀବନ୍ଧ ଘଳିଆ ସମେତ ଜଳବନ୍ଦିର ଶିକାର ହୋଇଥିବା ନୂଆବାଙ୍ଗେରିସିଂହା ଏବଂ ଆଖପାଖ ଅଞ୍ଚଳ ବୁଲି ଦେଖିଥିଲେ । ବନ୍ୟା ଦାଉର ଶିକାର ହୋଇଥିବା ପୀଡ଼ିତଙ୍କ ନିମନ୍ତେ ଶଂଖାମେରୀ, ବାଙ୍ଗେରିସିଂହା, ନରଣପୁର, ଗୋବର୍ଦ୍ଧନପୁର ଆଦିରେ ରନ୍ଧାଖାଦ୍ୟ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଥିବା ବେଳେ ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ପଞ୍ଚାୟତ ସମେତ ଜନପ୍ରତିନିଧିମାନେ ଏଥିରେ ସହଯୋଗ କରୁଥିବା ପ୍ରକାଶ । ତେବେ ସୁସ୍ଥ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଓ ବିଶୁଦ୍ଧ ପାନୀୟ ଜଳ ମିଳିବା ଦିଗରେ ପ୍ରଶାସନ ଅଧିକ ଗୁରୁତ୍ୱ ଦେବାକୁ ପ୍ରଭାବିତ ଅଞ୍ଚଳ ଲୋକେ ଦାବି କରୁଛନ୍ତି । ସେହିଭଳି ଜଳବନ୍ଦିର ଶିକାର ହୋଇଥିବା ବନ୍ୟା ଦୁର୍ଗତଙ୍କ ନିମନ୍ତେ ଅଧିକ ଆଉ କିଛିଦିନ ରନ୍ଧାଖାଦ୍ୟ ଓ ଗୋ-ଖାଦ୍ୟ ଯୋଗାଇଦେବାକୁ ପ୍ରଶାସନ ନିକଟରେ ଜନପ୍ରତିନିଧିମାନେ ଦାବି ଜଣାଇଛନ୍ତି। ଭାତହାଣ୍ଡି ଏବଂ ପରିବାଝୁଡ଼ି ଉଜାଡ଼ିଦେଇଥିବା ଚଳିତ ବନ୍ୟାରେ ଚାଷୀଙ୍କ ଦୁଃଖ କହିଲେ ନସରେ। ସେମାନଙ୍କ ପ୍ରତି ସରକାର ତଥା ଜିଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାସହ ପୁନର୍ବାର କୃଷିକର୍ମ ନିମନ୍ତେ ପ୍ରେତ୍ସାହନ ଯୋଗାଇବାର ସମସ୍ତ ସହଯୋଗ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
Comments are closed.