ଶାସ୍ତ୍ରିଜୀ ବିଦ୍ୟାଳୟର ଶତବାର୍ଷିକୀ ପାଳନ ପ୍ରସ୍ତୁତି ବୈଠକ

ଉତ୍ସବ ପାଳନ ପୂର୍ବରୁ ବିକଶିତ ହେବ ଭିତ୍ତିଭୂମି ଏବଂ ଶୈଖିକ ବାତାବରଣ

ବଡ଼ମ୍ବା :  ବଡ଼ମ୍ବା ହାଟ ବଜାରସ୍ଥିତ ବହୁ ପୁରାତନ ଶାସ୍ତ୍ରିଜୀ ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟ ଆସନ୍ତା ବର୍ଷ ଶତାୟୁ ଶିକ୍ଷାନୁଷ୍ଠାନରେ ପରିଣତ ହେବ । ୧୯୨୩ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଆସନ୍ତା ବର୍ଷ ପାଳନ ହେବ । ଏଥିଲାଗି ବିଦ୍ୟାଳୟର ପୁରାତନ ଛାତ୍ରସଂସଦ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଅଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ସଭାରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି ,ଜିଲା ପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ, ଅନ୍ୟତମ ସଦସ୍ୟା ଜୟଶ୍ରୀ ବରାଳ, ନିଜିଗଡ଼ ବଡ଼ମ୍ବା ପଞ୍ଚାୟତ ସମିତି ସଭ୍ୟା ଗୋଲାପ ସାହୁ, ଶିକ୍ଷାବିତ୍ ଚନ୍ଦ୍ରଶେଖର ମହାନ୍ତି, ମାୟାଧର ରଥ, ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକ, ସାଂସଦ ପ୍ରତିନିଧି ଦିପକ କୁମାର ସାହୁ, ସେବାନିବୃତ ଶିକ୍ଷକ ଭରତ ନାରାୟଣ ସାହୁ ପ୍ରମୁଖ ସଭାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭାପୂର୍ବରୁ ପୁରାତନ ଛାତ୍ରସଂସଦର ଅନୁରୋଧକ୍ରମେ ବିଧାୟକ ଶ୍ରୀ ମିଶ୍ର ସଂପୃକ୍ତ ଶତାୟୁ ଶିକ୍ଷାନୁଷ୍ଠାନର ପରିସରକୁ ବୁଲି ଦେଖିଥିଲେ। ଉତ୍ସବ ଅବ୍ୟବହିତ ପୂର୍ବରୁ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ସହିତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉତ୍ତମ ଶୈଖିକ ବାତାବରଣ ସୃଷ୍ଟି କରାଯିବ ବୋଲି ଉତ୍ସବପାଳନ କମିଟିର ମୁଖ୍ୟ ପୁରୋଧା ତଥା ବିଧାୟକ ଶ୍ରୀ ମିଶ୍ର କହିବା ସହ ୧୦ଲକ୍ଷ ଟଙ୍କାର ତତ୍କାଳ ସରକାରୀ ଅନୁଦାନ ଘୋଷଣା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ବ୍ରହ୍ମା ଏହି ଅବସରରେ ସ୍କୁଲର ଐତିହ ଏବଂ ବର୍ତ୍ତମାନ ସ୍ଥିତି ଉପରେ ସମ୍ୟକ ସୂଚନା ଦେବା ସହ ଶତବାର୍ଷିକୀ ଉତ୍ସବ ପାଳନନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ପୁରାତନ ଛାତ୍ର ଶିବନାରାୟଣ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ ,ସାମାଜିକ କର୍ମୀ ପ୍ରଦୀପ୍ତ କୁମାର ସ୍ୱାଇଁ, ସନ୍ତୋଷ କୁମାର ଦେବତା, ରଜନୀ କାନ୍ତ ବରାଳ, ସୁଶାନ୍ତ କୁମାର ଜେନା,ବିକାଶ ପରିଷଦ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଶିକ୍ଷକ ରମେଶଚନ୍ଦ୍ର ବେହେରା,ସେବାନିବୃତ ଶିକ୍ଷକ ପ୍ରେସୁନ୍ଦର ଦାଶ ପ୍ରମୁଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ,ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ତଥା ପୁରାତନ ଛାତ୍ର ଯୋଗ ଦେଇଥିଲେ। ଶତବାର୍ଷିକୀ ପାଳନ ଅବସରରେ ଏକ ସ୍ମରଣିକା ପ୍ରକାଶ କରାଯିବା ସହ ସମସ୍ତ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନୁଷ୍ଠାନ ନିର୍ମାଣରେ ଅବଦାନ ରଖିଥିବା ବ୍ୟକ୍ତିବି ଶେଷଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଅଞ୍ଚଳର ଐତିହ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବର ଏହି ବିଦ୍ୟାଳୟ ନବକଳେବର ରୂପନେଇ ଏକ ଆଦର୍ଶ ଶିକ୍ଷାନୁଷ୍ଠାନରେ ପରିଣତ ହୋଇ ଶିକ୍ଷାଦାନ କ୍ଷେତ୍ରରେ ସୁଗନ୍ଧିତ ହେବ ବୋଲି ଅତିଥିମାନେ କାମନା କରିବା ସହ ପ୍ରଥମ ପ୍ରସ୍ତୁତି ବୈଠକ ସମ୍ପନ୍ନ ହୋଇଥିଲା।

Comments are closed.