ମା ଭଟ୍ଟାରିକାଙ୍କ ଶାରଦୀୟ ପୂଜା ଏବଂ ମହୋତ୍ସବର ପ୍ରସ୍ତୁତି ବୈଠକ

ଆସନ୍ତା ୧୭ ତାରିଖରୁ ଅକ୍ଟୋବର ୪ ଯାଏଁ ଷୋଡ଼ଶ ଦିନାତ୍ମକ ପୂଜା, ଅନ୍ତିମ ୪ଦିନ ଭଟ୍ଟାରିକା ମହୋତ୍ସବ

ବଡ଼ମ୍ବା : ବଡ଼ମ୍ବାର ଆରାଧ୍ୟ ଦେବୀ ତଥା ଶଶାଙ୍ଗ ଗ୍ରାମନିବାସୀ ପ୍ରସିଦ୍ଧ ଶକ୍ତିପୀଠ ମା ଭଟ୍ଟାରିକାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ଏବଂ ମହାଷ୍ଟମୀର ବାର୍ଷିକୋତ୍ସବ ସହିତ ୨୧ତମ ଭଟ୍ଟାରିକା ମହୋତ୍ସବ ପାଳନ ନେଇ ସୋମବାର ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଦେବୋତ୍ତର ଅଧିକାରୀ ତଥା ତହସିଲଦାର ତପନକୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଭଟ୍ଟାରିକା ପାନ୍ଥ ନିବାସରେ ଅପରାହ୍ନରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି ଆରକ୍ଷୀ, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ, ସେଚ ବିଭାଗ ସମେତ ବ୍ଲକ ପଦାଧିକାରୀ ସଭାରେ ଉପସ୍ଥିତ ଥିଲେ। କରୋନା କଟକଣା କାରଣରୁ ଦୁଇବର୍ଷର ବ୍ୟବଧାନ ପରେ ଚଳିତବର୍ଷ ଉତ୍ସବ ପାଳନ ହେଉଥିବାରୁ ଏହାକୁନେଇ ସଭାରେ ସରଗରମ ଆଲୋଚନା ହୋଇଥିଲା। ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି, ବଡ଼ମ୍ବା ଥାନା ଆଇଆଇସି ନିରଞ୍ଜନ ଦାସ, ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଦୟଜ୍ୟୋତି ମଲ୍ଲିକ,ଜିଲାପରିଷଦ ସଭ୍ୟ ରବିନ୍ଦ୍ର କୁମାର ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ଭଟ୍ଟାରିକା ସରପଞ୍ଚ ଶତୃଜିତ ପୁହାଣ, ସାଂସଦ ପ୍ରତିନିଧି ଦିପକ କୁମାର ସାହୁ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧ ସୁଶାନ୍ତ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମା ଭଟ୍ଟାରିକା ଆଞ୍ଚଳିକ ଉନ୍ନୟନ ପରିଷଦର ସଭାପତି ଭ୍ରମରବର ନାୟକ,ସମ୍ପାଦକ ସନାତନ ବେହେରା,ମା ଭଟ୍ଟାରିକାଙ୍କ ପର୍ବପୂଜକ ଶିରିଶ ରଣା ପ୍ରମୁଖ ଠାକୁରାଣୀଙ୍କ ୧୬ଦିନ ବ୍ୟାପି ଶାରଦୀୟ ପୂଜା,ଏହି ସମୟରେ ହେବାକୁଥିବା ସ୍ୱତନ୍ତ୍ର ସୁନାବେଶ, ମହାଷ୍ଟମୀର ଉଭାଯାତ୍ରା, ୨୧ତମ ଭଟ୍ଟାରିକା ମହୋତ୍ସବ ପାଳନର ରୁପରେଖ ନେଇ ସଭାକୁ ଅବଗତ କରାଇଥିଲେ। କଡ଼ା ପୁଲିସ ପହରାରେ ସୁରକ୍ଷା ଠାକୁରାଣୀଙ୍କ ଦୈନିକ ସୁନାବେଶ, ପାରମ୍ପରିକ ପଦ୍ଧତିରେ ଷୋଳଦିନ ବ୍ୟାପି ପାର୍ବଣ ପୂଜା ଯଥା ବିଧି ପାଳନ ହେବାନେଇ ଦେବୋତ୍ତର ଅଧିକାରୀ ଶ୍ରୀ ପରିଡ଼ା ସୂଚନା ଦେଇଥିଲେ । ସେହିଭଳି ଯାତ୍ରାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରର ଆବଶ୍ୟକ ମରାମତି, ମନ୍ଦିର ରଙ୍ଗ ହେବା, ବେଢା ପରିସରର ପରିମଳ ବ୍ୟବସ୍ଥା, ଆଲୋକୀକରଣ, ପାନୀୟଜଳ ବ୍ୟବସ୍ଥା ସମେତ ଯାତ୍ରା ସମୟରେ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ସନ୍ନିକଟରେ ଅସ୍ଥାୟୀ ପୁଲିସ, ଅଗ୍ନିଶମ ଏବଂ ସ୍ୱାସ୍ଥ୍ୟ ଶିବିର କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ମୁଖ୍ୟ ରାସ୍ତାଘାଟର ମରାମତି, ନିରବଛିନ୍ନ ବିଦ୍ୟୁତ୍ ସେବା ଏବଂ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ । ସେହିଭଳି ମହୋତ୍ସବର ଯଥେଷ୍ଟ ପୂର୍ବରୁ ଭଟ୍ଟାରିକା ଶିଶୁ ଉଦ୍ୟାନର ଉନ୍ନତିକରଣ କାର୍ଯ୍ୟ ଶେଷକରିବା, ମଞ୍ଚର ମରାମତି ତଥା ଆଗନ୍ତୁକ ଅଧିକାରୀ,ଅତିଥି ଏବଂ କଳାକାରଙ୍କ ନିମନ୍ତେ ପାନ୍ଥ ନିବାସକୁ ବ୍ୟବସ୍ଥିତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ବଡ଼ମ୍ବା, ଗୋପପୁର, ଗୋପାଳପୁର ସମେତ ଭଟ୍ଟାରିକା ପୀଠକୁ ସଂଯୋଗ କରୁଥିବା ବିଭିନ୍ନ ପ୍ରମୁଖ ଛକରେ ତୋରଣ ସହିତ ଯାତ୍ରାକୁ ଆକର୍ଷଣୀୟ କରିବାଲାଗି ପର୍ଯ୍ୟାପ୍ତ ଆଲୋକ ସାଜସଜ୍ଜା କରାଯିବାକୁ ନିଷ୍ପତି ହୋଇଛି । ସେହିଭଳି ଷଷ୍ଠୀ ଠାରୁ ମହାନବମୀ ପର୍ଯ୍ୟନ୍ତ ୪ଦିନ ହେବାକୁ ଥିବା ମହୋତ୍ସବରେ ଆଞ୍ଚଳିକ କଳାକାରଙ୍କ ଦ୍ୱାରା ସଂକୀର୍ତ୍ତନ, ମଞ୍ଚ ନାଟକ ପରିବେଷଣ ସାଙ୍ଗକୁ ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ଚିତ୍ତାକର୍ଷକ ଓଡ଼ିଶୀ, ସମ୍ବଲପୁରୀ, ଲୋକନୃତ୍ୟ ସାଙ୍ଗକୁ ଭଜନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାନ ମହାପାତ୍ର ,ସନ୍ତୋଷ କୁମାର ମହାନ୍ତି, ସୁଧୀର କୁମାର ବେଜ, ଗୋଲଖ ସାହୁ, କାର୍ତ୍ତିକ ଚନ୍ଦ୍ର ପୁହାଣ, ନାରାୟଣ ଗୁରୁ ପ୍ରମୁଖ କମିଟି ସଦସ୍ୟ ଓ ଉପଦେଷ୍ଟା ବୈଠକରେ ଯୋଗଦେଇ ଶାନ୍ତିଶୃଙ୍ଖଳାର ସହିତ ମା’ଙ୍କ ପାର୍ବଣ ପୂଜା ଏବଂ ଯାତ୍ରା କିଭଳି ସମ୍ପନ୍ନ ହେବ ସେ ଉପରେ ମତାମତ ପ୍ରଦାନ କରିଥିଲେ।

kalyan agarbati

Comments are closed.