ପାଟଣା: ବାଟ ହୁଡୁଛି ବିକାଶ, ବିପଦ ସଙ୍କୁଳ ଗୃହରେ ଚାଲିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ। ଜୀବନକୁ ବାଜି ଲଗାଇ ଭଙ୍ଗା ଦଦରା ଘରେ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ। ଗାଁକୁ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ। ଏଭଳି ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ବଡନୂଆଗାଁ ଗ୍ରାମରେ। ଦୀର୍ଘ ୨୩ ବର୍ଷର ସ୍ଥିର ସରକାରରେ ଗାଁକୁ ଭଲ ରାସ୍ତାଟିଏ କରି ପାରିଲେ ନାହିଁ ରାଜ୍ୟ ସରକାର । ସବୁ ଗାଁକୁ ପକ୍କା ରାସ୍ତା ହେବ ସବୁ ଗାଁରେ ପହଞ୍ଚିବ ସରକାରୀ ଯୋଜନା ବାସ୍ତବରେ ଏହା କେବଳ ରାଜ୍ୟ ସରକାରଙ୍କ ପ୍ରଚାର ପ୍ରସାରରେ ରହିଯାଇଛି। ନାଁ ଅଛି ଗାଁକୁ ଭଲ ରାସ୍ତା, ନାଁ ଅଛି ବିଦ୍ୟାଳୟରେ ଭଲ ଶ୍ରେଣୀ ଗୃହ। ଭଗବାନଙ୍କ ଭରସାରେ ବିପଦସଙ୍କୁଳ ଗୃହରେ ବସୁଛନ୍ତି ଛାତ୍ରଛାତ୍ରୀ। ସରକାରଙ୍କ ମାଳମାଳ ଯୋଜନା ସତ୍ତ୍ବେ ପାଟଣା ବ୍ଲକର ବଡନୂଆଗାଁ ଗ୍ରାମରେ ରାଜ୍ୟ ସରକାରଙ୍କ ବିକାଶ ଯେମିତି ସାତ ସପନ ହୋଇଯାଇଛି। ଗ୍ରାମବାସୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ଗୁହାରି ନା ଜିଲ୍ଲାପ୍ରଶାସନ ଶୁଣୁଛନ୍ତି, ନା ଶୁଣୁଛନ୍ତି ରାଜ୍ୟ ସରକାର।
ବଡନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ଥିବା ପୁରୁଣା ଶ୍ରେଣୀ ଗୃହଟି କଂକ୍ରିଟ ଖସି ଜରାଜୀର୍ଣ୍ଣ ହୋଇ ପଡିଥିବା ବେଳେ ପାଞ୍ଚଟି ଶ୍ରେଣୀକୁ ଏବେ ଗୋଟିଏ ମାତ୍ର ଶ୍ରେଣୀଗୃହ ରହିଛି । ତାହା ପୁଣି ବିପଦ ସଙ୍କୁଳ ଅବସ୍ଥାରେ। କେତେବେଳେ ଛାତରୁ ପ୍ଲାଷ୍ଟର ଖସିଲାଣି ତ କେତେ ବେଳେ ସାମାନ୍ୟ ବର୍ଷାରେ ଛାତରୁ ପାଣି ଗଳୁଛି । ସେଠାରେ ମଧ୍ୟାହ୍ନ ଭୋଜନ ଚାଉଳ ସହ ଅଫିସ କାଗଜପତ୍ର ମଧ୍ୟ ରହିଛି। ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିବା କଷ୍ଟକର ହେଉଛି। ଯାହାଫଳରେ କୋମଳମତି ଶିଶୁ ମାନେ ବାରଣ୍ଡାରେ ବସିବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପାଚେରୀ ଅଧା ଭାଙ୍ଗିଯାଇ ଆଉଜି ରହିଛି। କେତେ ବେଳେ ପାଚେରୀ କାହା ଉପରେ ଭାଙ୍ଗି ପଡିବ। ବିଦ୍ୟାଳୟର ଏଭଳି ଦୟନୀୟ ଅବସ୍ଥା ଦେଖି ଅନେକ ଅଭିଭାବକ ଭୟରେ ପିଲାଙ୍କ ସାର୍ଟିଫିକେଟ ନେଇ ଚାଲି ଗଲେଣି। ବିଦ୍ୟାଳୟର ଏଭଳି ଦୟନୀୟ ଅବସ୍ଥା ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ଗୁହାରି ନା ଜିଲ୍ଲାପ୍ରଶାସନ ଶୁଣୁଛନ୍ତି, ନା ଶୁଣୁଛନ୍ତି ରାଜ୍ୟ ସରକାର । କେବଳ ସମସ୍ୟା ଏତିକିରେ ଶେଷ ହୋଇନି ବିଦ୍ୟାଳୟରେ ପାଣି ନଥିବାରୁ ପାଇଖାନା ମଧ୍ୟ ବ୍ୟବହାର ହୋଇପାରୁନାହିଁ। ଯାହା ଫଳରେ ଛାତ୍ରଛାତ୍ରୀ ଶୌଚ ପାଇଁ ବିଦ୍ୟାଳୟ ବାହାରକୁ ଯାଉଛନ୍ତି। ଏପରିକି ପାଣି ନଥିବାରୁ ବେସିନ ଟ୍ୟାପ ମଧ୍ୟ ଭାଙ୍ଗି ଗଲାଣି। ୧୯୭୯ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ଉପରେ ସରକାରଙ୍କ ଦୃଷ୍ଟି ପଡୁ ନଥିବାରୁ ଏବେ ଏହା ଗାଈ ଗୁହାଳଠୁ ବି ହୀନ ହୋଇ ଯାଇଥିବା କହିଛନ୍ତି ଗ୍ରାମବାସୀ। ବିଦ୍ୟାଳୟର ବାରଣ୍ଡାରେ ବସିବା ପାଇଁ ଜାଗା ନଥିବାରୁ ଏଣେତେଣେ ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି ଛାତ୍ରଛାତ୍ରୀ। ସଭିଏଁ ପଢିବେ ସଭିଏଁ ବଢିବେ ନାରା ଦେଉଥିବା ରାଜ୍ୟ ସରକାରଙ୍କ ଯୋଜନାକୁ ଯେମିତି ଏଠାରେ ଉପହାସ କରୁଛି । ଗାଁରେ ଆଜିଯାଏଁ ଭଲ ରାସ୍ତାଟିଏ ହୋଇ ପାରିନାହିଁ। ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ରହି ଥିବାରୁ ଗାଁରେ କେବେ କୌଣସି ସରକାରୀ ବାବୁଙ୍କ ପାଦ ପଡ଼େନାହିଁ। ଯାହାକୁ ନେଇ ଏବେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ୨୩ ବର୍ଷର ସ୍ଥିର ସରକାରରେ ଗାଁକୁ ଭଲ ରାସ୍ତାଟିଏ କରି ପାରିଲେ ନାହିଁ ରାଜ୍ୟ ସରକାର । ଦୀର୍ଘ ବର୍ଷ ପୂର୍ବେ ମାଟି ମୋରମ ପକାଇ ଗାଁ ରାସ୍ତା ତିଆରି ହୋଇଥିଲା । ଏବେ ରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନାହିଁ। ଏପରିକି ବାଇକ ଓ ସାଇକେଲ ଯିବା ମଧ୍ୟ କଷ୍ଟକର ହେଉଛି। ନିର୍ବାଚନ ସମୟରେ ଗାଁକୁ ଅନେକ ନେତା ଆସି ମିଠା ମିଠା ପ୍ରତିଶୃତି ଦିଅନ୍ତି। କିନ୍ତୁ ପ୍ରତିଶୃତି ଏବେ ପ୍ରତିଶୃତିରେ ହିଁ ରହିଯାଇଛି। ସରକାର ୫-ଟି ଯୋଜନାରେ ବିକାଶ କରୁଥିବା କହି ବାହାବାହା ନେଉଥିବା ବେଳେ ଏଠାରେ ପ୍ରଶ୍ନ ଉଠୁଛି, କାହିଁକି ଆଜି ପର୍ଯ୍ୟନ୍ତ ଗାଁରେ ପହଞ୍ଚି ପାରିନି ସରକାରଙ୍କ ଯୋଜନା । ତେବେ ଆଗାମୀ ଦିନରେ ବିଦ୍ୟାଳୟ ଓ ରାସ୍ତା ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏହି ସମସ୍ୟା ସଂପର୍କରେ ପାଟଣା ବିଡିଓ ଶିବ ଶଙ୍କର ମୁର୍ମୁଙ୍କ ପ୍ରତିକ୍ରିୟା ନେବା ପରେ ସେ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରିବେ ବୋଲି କହିଛନ୍ତି। ତେବେ ଉପାନ୍ତରେ କେମିତି ଚାଲିଛି ସରକାରୀ ଯୋଜନା । ତାର ବାସ୍ତବତା ବୟାନ କରୁଛି ବଡ ନୂଆଗାଁ ଗ୍ରାମର ରାସ୍ତା ଓ ଏହି ବିଦ୍ୟାଳୟ ।



