ବିଶ୍ୱ ମଶା ଦିବସରେ ସଚେତନତା
ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ମେଘା ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ରଠାରେ ରବିବାର ବିଶ୍ୱ ମଶା ଦିବସ ଅବସରରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍ଲମ୍ ସଂଯୋଜନା କରି ମଶା ଦ୍ୱାରା ବହୁ ପ୍ରକାରର ରୋଗ ବ୍ୟାପୁଥିବାରୁ ମଶା ଦାଉରୁ ନିଜକୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବା ଉଚିତ୍ ବୋଲି ପ୍ରକାଶ କରିଥିଲେ। ସାରା ବିଶ୍ୱରେ ପ୍ରାୟ ୧୦୦ରୁ ଅଧିକ ଦେଶରେ ମଶା ଦ୍ୱାରା ବିଭିନ୍ନ ରୋଗରେ ପ୍ରାୟ ୨୧କୋଟି ଲୋକ ପ୍ରତିବର୍ଷ ଆକ୍ରାନ୍ତ ହୋଇଥାନ୍ତି । ବିଭିନ୍ନ ପ୍ରଜାତିର ମଶାଙ୍କ ଦ୍ୱାରା ଭିନ୍ନ ଭିନ୍ନ ଜ୍ୱର ହୋଇଥାଏ। ମ୍ୟାଲେରିଆ, ଡେଙ୍ଗୁ, ବାତଜ୍ୱର, କାଲାଜ୍ୱର ଓ ଜାପାନି ଏନସାଫାଇଲେଟିସ ଆଦି ଜ୍ୱର ହୋଇଥାଏ। ତେଣୁ ମଶାର ଜୀବନ ଚକ୍ରକୁ ଅନୁଧ୍ୟାନ କରି ତାର ବଂଶ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଜରୁରୀ, ନିୟମିତ ମଶାରୀ ବ୍ୟବହାର କରିବା ଏବଂ ଘର ଚତୁଃପାର୍ଶ୍ବକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ କୌଣସି ସ୍ଥାନରେ ଅଧିକ ଦିନ ପାଣି ଜମା କରିବାକୁ ନଦେବା ଲାଗି ଶ୍ରୀ ଅସଲମ ଲୋକଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ମେଘା ସରପଞ୍ଚ ବନମାଳି ସେଠୀ, ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ ପରିଦର୍ଶକ ବିଜୟ କୁମାର ବେଉରା, ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ସ୍ୱାସ୍ଥ୍ୟକର୍ମୀ ବୀଣାପାଣି ଦେବୀ ଓ ଅମରେନ୍ଦ୍ର ପ୍ରଧାନଙ୍କ ସମେତ ଅଙ୍ଗନବାଡି ଓ ଆଶାକର୍ମୀ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟ ଉପସ୍ଥିତ ରହିବା ସହ ଶେଷରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।
Comments are closed.