ବିମାନ ଯାତ୍ରା କ୍ଷେତ୍ରରେ ବଡ଼ ସଂସ୍କାର ପାଇଁ ଚିଠା ପ୍ରସ୍ତୁତ

0

ନୂଆଦିଲ୍ଲୀ : ବିମାନ କମ୍ପାନୀମାନଙ୍କ ମନମୁଖି ଏବଂ ଏକଚାଟିଆ ନୀତିର ଅନ୍ତ କରିବା ପାଇଁ କେନ୍ଦ୍ର ସରକାର ବିମାନ ଚଳାଚଳ କ୍ଷେତ୍ରରେ କେତେକ ସଂସ୍କାର ଆଣିଛନ୍ତି। ବେସମାରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ମଙ୍ଗଳବାର ଏହି ସଂସ୍କାରର ଘୋଷଣା କରିଛନ୍ତି। କାଗଜବିହୀନ ଯାତ୍ରା ପାଇଁ ଡଜିଯାତ୍ରାର ଆରମ୍ଭ କରାଯାଇଛି। ଯାତ୍ରୀଙ୍କୁ ଟିକେଟ୍‍ ବାତିଲ କ୍ଷେତ୍ରରେ ବଡ଼ ରିହାତି ମିଳିବାକୁ ଯାଉଛି। ଏଥିପାଇଁ ସରକାର ଯାତ୍ରୀ ଭଡ଼ା (ଚାର୍ଟର)ର ଚିଠା ଜାରି କରିଛନ୍ତି। କ୍ୟାବିଟେନ୍‍ ଏହି ଚିଠାକୁ ଅନୁମୋଦନ ଦେବା ପରେ ବେସାମରିକ ବିମାନ ଚଳାଚଳରେ ଏହିସବୁ ନିୟମ ଲାଗୁ ହେବ। ମନ୍ତ୍ରୀ ଜୟନ୍ତ ସିହ୍ନା ସୂଚନା ଦେଇଛନ୍ତି ଯେ ବିମାନ ଟିକେଟ୍‍ ବୁକିଂ ପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଲଗ୍‍ ଇନ ବିକଳ୍ପ ରହିବ। ବିମାନ ଯାତ୍ରା ସମୟର ୯୬ ଘଣ୍ଟା ପୂର୍ବରୁ ଟିକେଟ୍‍ ବାତିଲ କଲେ କୌଣସି ବାତିଲ୍‍ ଦେୟ ଦେବାକୁ ପଡ଼ିବ ନାହିଁ। ଟିକେଟ୍‍ ବୁକିଂର ୨୪ ଘଣ୍ଟା ମଧ୍ୟରେ ନାମ, ଠିକଣା ଆଦି ବଦଳାଯାଇ ପାରିବ ବା ପରିବର୍ତ୍ତନ କରିହେବ। ନାମ ଏବଂ ଠିକଣା ପରିବର୍ତ୍ତନ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। କୌଣସି କ୍ଷେତ୍ରରେ ଟିକେଟ୍‍ ବାତିଲ ଦେୟ ଯାତ୍ରା ଏବଂ ଇନ୍ଧନ ଖର୍ଚ୍ଚରୁ ଅଧିକ ହେବ ନାହିଁ। ବିମାନ କମ୍ପାନୀଙ୍କ ତ୍ରୁଟିରୁ କୌଣସି ବିମାନ ଚଳାଚଳ ବାତିଲ ହେଲେ ଯାତ୍ରୀଙ୍କୁ ଟିକେଟ୍‍ ଅର୍ଥ ସହ କ୍ଷତିପୂରଣ ଦିଆଯିବ। ବିମାନ ଆସନ୍ତା ଦିନ ପର୍ଯ୍ୟନ୍ତ ବାତିଲ ହେଲେ ଅଧିକ ଦେୟ ନନେଇ ଯାତ୍ରୀଙ୍କ ହୋଟେଲରେ ରହଣୀ ପାଇଁ ବିମାନ କମ୍ପାନୀଗୁଡ଼ିକୁ ବ୍ୟବସ୍ଥା କରିବାକୁ ପଡ଼ିବ। କନେକ୍ଟିଭ (ଯୋଜକ) ବିମାନ ଆଗୁଆ ଚାଲିଗଲେ କିମ୍ବା ଅନ୍ୟ କୌଣସି କାରଣ ପାଇଁ ବିଳମ୍ବ ହେଲେ ଯାତ୍ରୀଙ୍କୁ କ୍ଷତିପୂଣରଣ ଦିଆଯିବ। ବିମାନ ୪ ଘଣ୍ଟାରୁ ଅଧିକ ବିଳମ୍ବିତ ହେଲେ ଯାତ୍ରୀ ଟିକେଟ୍‍ ବାତିଲ କରିପାରିବେ।

Leave A Reply