ଅଷ୍ଟ୍ରିଆରେ ଗୁଞ୍ଜରିତ ହେଲା ‘ବନ୍ଦେ ମାତରଂ’, ୪ ଦଶନ୍ଧି ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଗସ୍ତ କଲେ ମୋଦୀ

ସମାଜ ଡିଜିଟାଲ ଡେସ୍କ: ଦୁଇ ଦିନିଆ ରୁଷ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦିବସୀୟ ଅଷ୍ଟ୍ରିଆ ଗସ୍ତରେ ଯାଇଛନ୍ତି। ବୁଧବାର ମୋଦୀ ଅଷ୍ଟ୍ରିଆରେ ପହଞ୍ଚିବା ପରେ ବିମାନବନ୍ଦରରେ ଅଷ୍ଟ୍ରିଆ ବୈଦେଶିକ ମନ୍ତ୍ରୀ ଆଲେକ୍‌ଜାଣ୍ଡର ଶାଲେନବର୍ଗ ତାଙ୍କୁ ଭବ୍ୟ ସ୍ଵାଗତ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ରିଜ୍ କାର୍ଲଟନ ହୋଟେଲରେ ପହଞ୍ଚିଥିଲେ, ଯେଉଁଠାରେ ଗୁଞ୍ଜରିତ ହୋଇଥିଲା ‘ବନ୍ଦେ ମାତରଂ’ ସଙ୍ଗୀତ। ଅଷ୍ଟ୍ରିଆ କଳାକାରମାନେ ଭାରତର ଏହି ଜାତୀୟ ସଙ୍ଗୀତ ପରିବେଷଣ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ଅଭିଭୂତ ହେବା ସହିତ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରିଛନ୍ତି। ଅଷ୍ଟ୍ରିଆରେ ଏହା ତାଙ୍କ ପ୍ରତି ସବୁଠୁ ବଡ଼ ସମ୍ମାନ ବୋଲି ମୋଦୀ କହିଛନ୍ତି।

ବନ୍ଦେ ମାତରଂ ପରିବେଷଣ କରିଥିବା ଅଷ୍ଟ୍ରିଆ କଳାକାର ଇବ୍ରାହିମ ଏହି ବିଶେଷ ମୁହୂର୍ତ୍ତରେ ନିଜର ଅନୁଭୂତି ପ୍ରକାଶ କରିଛନ୍ତି। ଗଣମାଧ୍ୟମ ଆଗରେ ଇବ୍ରାହିମ କହିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ବନ୍ଦେ ମାତରଂ ପରିବେଷଣ କରିବା ଆମ ପାଇଁ ସବୁଠୁ ବଡ଼ ସମ୍ମାନର କଥା। ଏଥିପାଇଁ ଆମ ଟିମକୁ ଅନେକ ପ୍ରସ୍ତୁତି କରିବାକୁ ପଡ଼ିଥିଲା। ଏହା ଅତ୍ୟନ୍ତ ଅଦ୍ଭୁତ ଥିଲା। ତେବେ ଏହି ଅର୍କେଷ୍ଟ୍ରା ଟିମର ନେତୃତ୍ଵ ନେଇଥିଲେ ଜଣେ ଭାରତୀୟ ବିଜୟ ଉପାଧ୍ୟାୟ। ବିଜୟଙ୍କ ଘର ଉତ୍ତରପ୍ରଦେଶରେ। ଟିମରେ ୫୦ କଳାକାର ସାମିଲ ଥିଲେ।

ମୋଦୀଙ୍କ ଏହି ଗସ୍ତ ଫଳରେ ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବାଣିଜ୍ୟ, ବ୍ୟବସାୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ିବ। ଦୀର୍ଘ ୪ ଦଶନ୍ଧି ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି।

Comments are closed.