ଅଷ୍ଟ୍ରେଲିଆକୁ ଟେଷ୍ଟ ଗଦା, ୧୩.୨ କୋଟି ଟଙ୍କା ଓ ୧ନଂ ମାନ୍ୟତା

ଓଭାଲ୍‌ : ଫାଇନାଲରେ ଭାରତକୁ ୨୦୯ ରନ୍‌ରେ ହରାଇ ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ ହୋଇଛି। ପରେ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଗଦା ସହ ଅଷ୍ଟ୍ରେଲିଆକୁ ୧.୬ ନିୟୁତ ଡଲାର (ପ୍ରାୟ ୧୩.୨ କୋଟି ଟଙ୍କା) ପୁରସ୍କାର ରାଶି ମିଳିଛି । ଏହାସହ ଭାରତଠାରୁ ଆଇସିସି ଟେଷ୍ଟ ଦଳ ମାନ୍ୟତାରେ ୧ନଂ ସ୍ଥାନ ଅଷ୍ଟ୍ରେଲିଆ ଛଡ଼ାଇ ନେଇଛି। ଉପବିଜେତା ଭାରତ ୮୦୦,୦୦୦ ଡଲାର ବା ୬.୬ କୋଟି ଟଙ୍କା ପୁରସ୍କାର ପାଇଛି । ୨ ବର୍ଷ ତଳେ ୨୦୨୧ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ମଧ୍ୟ ସମାନ ପୁରସ୍କାର ରାଶି ରହିଥିଲା। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପରେ ମୋଟ ୯ଟି ଦଳଙ୍କୁ ଆଇସିସି ମୋଟ ୩.୮ ନିୟୁତ ଡଲାର ଅର୍ଥ ପୁରସ୍କାର ପ୍ରଦାନ କରିଛି। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଟେବୁଲ୍‌ରେ ୩ୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ୩.୭ କୋଟି ଟଙ୍କା, ୪ର୍ଥ ସ୍ଥାନରେ ଥିବା ଇଂଲଣ୍ଡ ୨.୯ କୋଟି ଟଙ୍କା, ୫ମ ସ୍ଥାନରେ ଥିବା ଶ୍ରୀଲଙ୍କା ୧.୬୫ କୋଟି ଟଙ୍କା ପାଇଛନ୍ତି। ୬ଷ୍ଠରୁ ୯ମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍‌ ଓ ବାଂଲାଦେଶ ୮୨.୫ ଲକ୍ଷ ଟଙ୍କା ଲେଖାଏଁ ପାଇଛନ୍ତି ।

Comments are closed.