ଭାରତୀୟ ବ୍ୟାଟିଂ ବିଫଳ ; ଅଷ୍ଟ୍ରେଲିଆ ଶୃଙ୍ଖଳା ବିଜୟୀ

ଚେନ୍ନଇ : ୪ ବର୍ଷ ପରେ ଘରୋଇମାଟିରେ ଦିନିକିଆ ଶୃଙ୍ଖଳା ହାରିଛି ଭାରତ। ବୁଧବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୨୧ ରନ୍‌ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ସମସ୍ତ ବିଭାଗ​‌େ​‌ର ଭାରତକୁ ପଛରେ ପକାଇଥିବା ଅଷ୍ଟ୍ରେଲିଆ ଏହି ବିଜୟ ସହ ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିନେଇଛି। ସୂଚନାଯୋଗ୍ୟ; ୪ ବର୍ଷ ତଳେ ଘରୋଇ ଭାରତକୁ ଦିନିକିଆ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍‌ସମ୍ୟାନ୍ ଅର୍ଦ୍ଧଶତକ ମାରିନଥିଲେ ହେଁ ଅଧିକାଂଶ ବାଟ୍‌ସମ୍ୟାନ୍ ଉପଯୋଗୀ ଯୋଗଦାନ କରିଥିଲେ। ଫଳରେ ଗୋଟିଏ ଓଭର ବାକିଥାଇ ଅଷ୍ଟ୍ରେଲିଆ ୨୬୯ ରନ୍‌କରି ଅଲ୍‌ଆଉଟ୍‌ ​ହୋଇଥିଲା। ପରେ ବିରାଟ କୋହଲି ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ି ଅନ୍ୟ ବ୍ୟାଟ୍‌ସମ୍ୟାନ୍ ବିଫଳ ହେବାରୁ ୫ଟି ବଲ୍‌ ବାକିଥାଇ ଭାରତ ୨୪୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଏହି ବିଜୟ ସହ ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା ପରାଜୟର ପ୍ରତିଶୋଧ ନେଇପାରିଛି।
ଦୃଢ଼ତାର ସହ ଭାରତ ୨୭୦ ରନ୍‌ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ୯ ଓଭରରେ ୬୫ ରନ୍‌ର ଓପ୍‌ନିଂ ଭାଗିଦାରୀ କରି ରୋହିତ ଶର୍ମା ଓ ଶୁବ୍‌ମାନ ଗିଲ୍‌ ମଜ୍‌ଭୁତ ମୂଳଦୁଆ ପକାଇଥିଲେ। ଏକ ସଂକ୍ଷିପ୍ତି ବିସ୍ଫୋରକ ଇନିଂସ ଖେଳି ଅଧିନାୟକ ରୋହିତ ୧୭ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୦ ରନ୍‌ କରିଥିଲେ। ୩ ଓଭର ପରେ ଅନ୍ୟ ଓପ୍‌ନର ଶୁବ୍‌ମାନ ଗିଲ୍‌ ବିଦାୟ ନେଇଥିଲେ। ଗିଲ୍‌ ୪୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୭ ରନ୍‌ କରିଥିଲେ। ଉଭୟ ଓପ୍‌ନରଙ୍କ ବିଦାୟ ପରେ ଭାରତୀୟ ରନ୍‌ ଗତି ଧିମା ହୋଇ ଯାଇଥିଲା। ବିରାଟ କୋହଲି ଓ କେ.ଏଲ୍‌. ରାହୁଲ ପରବର୍ତ୍ତୀ ୧୫.୩ ଓଭରରେ ମାତ୍ର ୬୯ ରନ୍‌ ଯୋଡ଼ି ପାରିଥିଲେ। ରାହୁଲ ୫୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୨ ରନ୍‌ କରିଥିଲେ। ଏହି ସମୟରେ ଭାରତ ୪୩ ରନ୍‌ରେ ୪ଟି ୱିକେଟ ହରାଇଥିଲା। ବ୍ୟାଟିଂ କ୍ରମରେ ପଦୋନ୍ନତି ପାଇଥିବା ଅକ୍ଷର ପଟେଲ ୨ ରନ୍‌କରି ରନ୍‌ଆଉଟ୍‌ ହୋଇଥିଲେ। ବାମହାତି ସ୍ପିନର ଆଷ୍ଟନ ଏଗାର୍‌ଙ୍କ ଅନ୍ତିମ ଓଭର ଭାରତ ପାଇଁ କାଳ ହୋଇଥିଲା। ଏହି ଓଭରର କ୍ରମାଗତ ୨ଟି ବଲ୍‌ରେ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଆଉଟ୍‌ ହୋଇଥିଲେ। ୨୬ ଓଭର କ୍ରିଜ୍‌ରେ ଥିବା ବିରାଟ କୋହଲି ୭୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୫୪ ରନ୍‌ କରିଥିଲେ। କ୍ରମାଗତ ୩ୟ ମ୍ୟାଚ୍‌ରେ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ। ୧୮୫ ରନ୍‌ରେ ୬ଟି ୱିକେଟ ପଡ଼ିଯିବା ପରେ ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜା ଲଢ଼ୁଆ ବ୍ୟାଟିଂକରି ୩୩ ରନ୍‌ ଯୋଡ଼ିଥିଲେ। ହାର୍ଦିକ ୪୦ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୦ ରନ୍‌ କରିଥିଲେ। ଜାଡ଼େଜା ୧୮ ଓ ମହମ୍ମଦ ସାମି ୧୪ ରନ୍‌ କରିଥିଲେ। ୪ଟି ୱିକେଟ ନେଇ ଅାଡାମ୍ ଜାମ୍ପା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଏବଂ ମିଚେଲ ମାର୍ଶ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ।
ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନେବା ପରେ କ୍ରମାଗତ ୨ୟ ମ୍ୟାଚ୍‌ରେ ଏହାର ଓପ୍‌ନର ଚମତ୍କାର ବ୍ୟାଟିଂ କରିଥିଲେ। ହେଲେ ହାର୍ଦିକ ପାଣ୍ଡ୍ୟା କ୍ରମାଗତ ୩ଟି ୱିକେଟ ନେଇ ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ୬୮ ରନ୍‌ର ଦ୍ରୁତ ଓପ୍‌ନିଂ ଭାଗିଦାରୀ ପରେ ଟ୍ରାଭିସ୍‌ ହେଡ୍‌ ବିଦାୟ ନେଇଥିଲେ। ହେଡ୍‌ ୩୧ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୩ ରନ୍‌ କରିଥିଲେ। ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। କ୍ରମାଗତ ୩ଟି ମ୍ୟାଚ୍‌ରେ ଚମତ୍କାର ଇନିଂସ ଖେଳିଥିବା ମିଚେଲ ମାର୍ଶ ଅବଶ୍ୟ କ୍ରମାଗତ ୩ୟ ଅର୍ଦ୍ଧଶତକ ହାସଲରୁ ବଞ୍ଚିତ ହୋଇଥିଲେ। ମାର୍ଶ ୪୭ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୪୭ ରନ୍‌ କରିଥିଲେ। ଡେଭିଡ୍‌ ୱାର୍ଣ୍ଣର ଓ ମାର୍ନସ ଲାବୁସେନ୍‌ ୪୦ ରନ୍‌ ଯୋଡ଼ିବା ପରେ ଏକା ପ୍ରକାର ସଟ୍‌ ଖେଳି ଆଉଟ୍‌ ହୋଇଥିଲେ। ଛକାମାରିବା ପ୍ରୟାସରେ ଆଉଟ୍‌ ହୋଇଥିବା ୱାର୍ଣ୍ଣର ୩୧ ବଲ୍‌ରୁ ୨୩ ଏବଂ ଲାବୁସେନ୍ ୪୫ ବଲ୍‌ରୁ ୨୮ ରନ୍‌ କରିଥିଲେ। ଆଲେକ୍ସ କ୍ୟାରୀ ୪୬ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୮ ଓ ମାର୍କସ ଷ୍ଟୋଇନିସ୍‌ ୨୬ ବଲ୍‌ରୁ ୩ଟି ଚୌକା ସହ ୨୫ ରନ୍‌ କରିଥିଲେ। ତେବେ ଶେଷ ୩ ୱିକେଟରେ ୬୬ ରନ୍‌ ଭାରତକୁ ବାଧିଥିଲା। ସନ୍ ଆବଟ୍‌ ୨୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୬ ଏବଂ ଆଷ୍ଟନ୍ ଏଗାର୍ ୨୧ ବଲ୍‌ରୁ ୧୭ ରନ୍‌ କରିଥିଲେ। ଶେଷ ୨ ବ୍ୟାଟ୍‌ସମ୍ୟାନ୍ ମିଚେଲ ଷ୍ଟାର୍କ ଓ ଆଷ୍ଟନ୍ ଏଗାର ୧୦ ରନ୍‌ ଲେଖାଏଁ କରିଥିଲେ। ହାର୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ୩ଟି ଲେଖାଏଁ ଏବଂ ଅକ୍ଷର ପଟେଲ ଓ ମହମ୍ମଦ ସିରାଜ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.