ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚମ୍ପିଆନ୍
ଶେଷ ଦିନରେ ଭାରତର ଆତ୍ମ ସମର୍ପଣ ; ୨୦୯ ରନ୍ରେ ପରାସ୍ତ
ଓଭାଲ୍ : ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲର ୩ୟ ଓ ୪ର୍ଥ ଦିନରେ ଲଢ଼ୁଆ ପ୍ରଦର୍ଶନ କରି ଭାରତ ମ୍ୟାଚ୍କୁ ଫେରିବାର ପ୍ରୟାସ କରିଥିଲା। ହେଲେ ରବିବାର ୫ମ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତୀୟ ବ୍ୟାଟ୍ସମ୍ୟାନ ଆତ୍ମ ସମର୍ପଣ କରିଥିଲେ। ବିଜୟ ପାଇଁ ୨ୟ ଇନିଂସରେ ୪୪୪ ରନ୍ର ପିଛା କରିଥିବା ଭାରତ ଭୋଜନ ବିରତି ପୂର୍ବରୁ ହିଁ ୨୩୪ ରନ୍କରି ଅଲ୍ଆଉଟ୍ ହୋଇ ଯାଇଥିଲା। ଫଳରେ ୨୦୯ ରନ୍ରେ ଜିତି ଅଷ୍ଟ୍ରେଲିଆ ପ୍ରଥମଥର ବିଶ୍ବ ଟେଷ୍ଟ ଚମ୍ପିଆନ୍ ହୋଇପାରିଛି। ପ୍ରଥମ ଦଳ ଭାବେ ଭାରତ ଉଭୟ ଥର ଫାଇନାଲ ଖେଳିଥିଲେ ହେଁ ଉଭୟ ଥର ଏହାକୁ ନିରାଶ ହେବାକୁ ପଡ଼ିଛି। ୨ ବର୍ଷ ତଳେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚମ୍ପିଆନ୍ ହୋଇଥିଲା। ଏଥର ଭାରତକୁ ହରାଇ ୨ୟ ସଂସ୍କରଣରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି ଅଷ୍ଟ୍ରେଲିଆ। ଶେଷଦିନରେ ୨୮୦ ରନ୍କରି ବିଜୟୀ ହେବା ଲକ୍ଷ୍ୟରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଭାରତର ଭରସା ଥିଲେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ। ତେବେ ୪ର୍ଥ ଦିନ ଅନ୍ତିମ ଅଧିବେଶନରେ ଚମତ୍କାର ବ୍ୟାଟିଂ କରିଥିବା କୋହଲି ଓ ରାହାଣେ ଅଫ୍ଷ୍ଟମ୍ପ୍ର ବହୁତ ବାହାର ବଲ୍କୁ ମାରି ଆଉଟ୍ ହେବା ପରେ ଭାରତର ପ୍ରତିରୋଧ ସମାପ୍ତ ହୋଇ ଯାଇଥିଲା।
୨୦୧୩ରେ ଭାରତ ଶେଷଥର ଆଇସିସି ଟ୍ରଫି ଜିତିଥିବା ବେଳେ ପରେ ସମସ୍ତ ଟୁର୍ଣ୍ଣାମେଣ୍ଟର ନକ୍ଆଉଟ୍ ମ୍ୟାଚ୍ରେ ହାରି ୧୦ ବର୍ଷ ହେଲା ଟ୍ରଫି ଜିତିନାହିଁ। ଏହି ବିଜୟ ଫଳରେ ବିଶ୍ବର ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ସମସ୍ତ ଆଇସିସି ଟ୍ରଫି ଜିତିପାରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଗତ ୪ଟିଯାକ ଟେଷ୍ଟ ଶୃଙ୍ଖଳା ଭାରତ ଜିତିଥିଲା; ୨ଟି ଘରୋଇ ମାଟିରେ ଏବଂ ୨ଟି ଅଷ୍ଟ୍ରେଲିଆରେ। ହେଲେ ଇଂଲଣ୍ଡ ବାତାବରଣରେ ଅଷ୍ଟ୍ରେଲିଆ ଅପେକ୍ଷାକୃତ ଭଲ ଦଳ ଭାବେ ପ୍ରମାଣ କରିଛି। ପ୍ରଥମ ୨ ଦିନରେ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ପରବର୍ତ୍ତୀ ୨ ଦିନରେ ଭାରତ ଚମତ୍କାର ଭାବେ ପ୍ରତ୍ୟାବର୍ତ୍ତନ କରିଥିଲା। ହେଲେ ୪ର୍ଥ ଦିନ ଶେଷ ଆଡ଼କୁ ୫ଟି ବଲ୍ ମଧ୍ୟରେ ରୋହିତ ଶର୍ମା ଓ ଚେତେଶ୍ବର ପୂଜାରା ଆଉଟ୍ ହେବା ଏବଂ ୫ମ ଦିନରେ ସ୍କଟ୍ ବୋଲାଣ୍ଡ ଗୋଟିଏ ଓଭରରେ ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଆଉଟ୍ କରିଦେବା ନିର୍ଣ୍ଣାୟକ ହୋଇଥିଲା। ୨ୟ ଇନିଂସରେ ଭାରତକୁ କଷ୍ଟସାଧ୍ୟ ୪୪୪ ରନ୍ ବିଜୟଲକ୍ଷ୍ୟ ମିଳିବା ପରେ ୪ର୍ଥ ଦିନ ଶେଷରେ ଏହା ୩ ୱିକେଟରେ ୧୬୪ ରନ୍ କରି ପାରିଥିଲା। ଶେଷ ଘଣ୍ଟାରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ଲଢ଼ୁଆ ବ୍ୟାଟିଂକରି ଭାରତ ପାଇଁ ଭରସା ସାଜିଥିଲେ। ଜିତିବା ପାଇଁ ଭାରତ ରବିବାର ୨୮୦ ରନ୍ ଆବଶ୍ୟକ କରୁଥିବା ବେଳେ ଅଷ୍ଟ୍ରେଲିଆ ୭ଟି ୱିକେଟ ଆବଶ୍ୟକ କରୁଥିଲା। ତେଣୁ ନିଶ୍ଚିତ ଭାବେ ଅଷ୍ଟ୍ରେଲିଆ ଫେଭରିଟ୍ ଥିଲା।
୫ମ ଦିନ ପ୍ରାରମ୍ଭରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ସେଭଳି ଅସୁବିଧା ଅନୁଭବ କରିନଥିଲେ। ହେଲେ ସ୍କଟ୍ ବୋଲାଣ୍ଡଙ୍କ ଏକ ଓଭର ଅଷ୍ଟ୍ରେଲିଆକୁ ଟ୍ରଫିର ନିକଟତର କରିଥିଲା। ବହୁତ ବାହାରର ବଲ୍କୁ ଖେଳି କୋହଲି ଆଉଟ୍ ହୋଇଥିଲେ। ଷ୍ଟିଭେନ୍ ସ୍ମିଥ୍ଙ୍କ ଦର୍ଶନୀୟ କ୍ୟାଚ୍ରେ ଆଉଟ୍ହେବା ପୂର୍ବରୁ କୋହଲି ୭୮ ବଲ୍ରୁ ୭ଟି ଚୌକା ସହ ୪୯ ରନ୍ କରିଥିଲେ। ୨ଟି ବଲ୍ ପରେ ରବୀନ୍ଦ୍ର ଜାଡ଼େଜା ୱିକେଟ୍ ରକ୍ଷକଙ୍କୁ କ୍ୟାଚ୍ ଦେଇଥିଲେ। ଫଳରେ ଭାରତର ବିଜୟର କ୍ଷୀଣ ଆଶା ପରାଜୟର ଆଶଙ୍କାରେ ପରିଣତ େହାଇ ଯାଇଥିଲା। ପରବର୍ତ୍ତୀ ବଲ୍ରେ କୋନା ଭରତଙ୍କ ବ୍ୟାଟ୍ରେ ବାଜି ବଲ୍ ସ୍ଲିପ୍ ଉପରେ ଚାଲି ଯାଇଥିଲା। ପରେ ତାଙ୍କ ହେଲ୍ମେଟରେ ବଲ୍ ବାଜିଥିେଲ ହେଁ ରାହାଣେଙ୍କ ସହ କ୍ରିଜ୍ରେ ରହିବାର ପ୍ରୟାସ କରିଥିଲେ। କ୍ରମାଗତ ୨ୟ ଇନିଂସରେ ଭଲ ବ୍ୟାଟିଂ କରିଥିବା ରାହାଣେ ୱିକେଟ ଫିଙ୍ଗିବା ପରେ ନିଶ୍ଚିତ ହୋଇ ଯାଇଥିଲା ଯେ ମ୍ୟାଚ୍ ଭୋଜନ ବିରତି ପର୍ଯ୍ୟନ୍ତ ଯିବନାହିଁ। ରାହାଣେ ୭ଟି ଚୌକା ସହ ୪୬ ରନ୍ କରିଥିଲେ। ପ୍ରଥମ ଇନିଂସରେ ଭଲ ବ୍ୟାଟିଂ କରିଥିବା ସାର୍ଦୁଳ ଠାକୁର ପରବର୍ତ୍ତୀ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। କୋନା ଭରତ ବଡ଼ ସଟ୍ ମାରିବା ପ୍ରୟାସରେ ଆଉଟ୍ ହୋଇଥିଲେ। ଭରତ ୨ଟି ଚୌକା ସହ ୨୩ ରନ୍ କରିଥିଲେ। ମହମ୍ମଦ ସାମି ୩ଟି ଚୌକା ସହ ୧୩ ରନ୍କରି ଅପରାଜିତ ଥିଲେ। ନାଥାନ୍ ଲାୟନ୍ ୪ଟି, ସ୍କଟ୍ ବୋଲାଣ୍ଡ ୩ଟି ଓ ମିଚେଲ ଷ୍ଟାର୍କ ୨ଟି ୱିକେଟ ନେଇଥିଲେ। ଗୋଟିଏ ଇନିଂସରେ ଭାରତର ୪ ପ୍ରମୁଖ ବ୍ୟାଟ୍ସମ୍ୟାନ୍- ଅଧିନାୟକ ରୋହିତ ଶର୍ମା, ଚେତେଶ୍ବର ପୂଜାରା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ୱିକେଟ ଫିଙ୍ଗିବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ଓ ଷ୍ଟିଭେନ୍ ସ୍ମିଥ୍ ୪ର୍ଥ ୱିକେଟ ପାଇଁ ୨୮୫ ରନ୍ ଯୋଡ଼ିବା ମଧ୍ୟ ନିର୍ଣ୍ଣାୟକ ହୋଇଥିଲା। ୧୭୪ ବଲ୍ରୁ ୧୬୩ ରନ୍ କରିଥିବା ଟ୍ରାଭିସ୍ ହେଡ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍
ଅଷ୍ଟ୍ରେଲିଆ ୪୬୯ (ହେଡ୍ ୧୬୩, ସ୍ମିଥ୍ ୧୨୧, ସିରାଜ୍ ୪/୧୦୮) ଓ ୮/୨୭୦ (ଇନିଂସ ସମାପ୍ତି ଘୋଷଣା) (କ୍ୟାରି ୬୬, ଜାଡ଼େଜା ୩/୫୮)। ଭାରତ ୨୯୬ (ରାହାଣେ ୮୯, ଠାକୁର ୫୧, କମିନ୍ସ ୩/୮୩) ଓ ୨୩୪ (କୋହଲି ୪୯, ରାହାଣେ ୪୬, ରୋହିତ ୪୩, ଲାୟନ୍ ୪/୪୧, ବୋଲାଣ୍ଡ ୩/୪୬)।
Comments are closed.