ମତ୍ସ୍ୟଜୀବୀଙ୍କୁ ତୀରମାଡ କରି ହତ୍ୟା ଉଦ୍ୟମ : ପଡୋଶୀ ଗିରଫ
ଦେବଗଡ଼ : ସୋମବାର ରାତ୍ରୀରେ ବାରକୋଟ ଥାନା ରାଇତାବାହାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଊପର ଖଣ୍ଡାମ ଗ୍ରାମରେ ଜଣେ ମଦ୍ୟପର ତୀର ମାଡରେ ଜଣେ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଲିଥିବା ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୯ଟା ୩୦ ମିନିଟ ସମୟରେ ଉପରଖଣ୍ଡାମ ଗ୍ରାମର ବାବୁ ଧିବର(୨୫) ନାମକ ଜଣେ ମତ୍ସ୍ୟଜୀବୀ ଘରୁ ବାହାରି ନିଜର ବଡଭାଇଙ୍କ ଘର ଆଡକୁ ଯାଉଥିବା ବେଳେ ଉକ୍ତ ଗ୍ରାମର ଗଣ୍ଠି ଧିବର ନାମକ ଜଣେ ମଦ୍ୟପ ବ୍ୟକ୍ତି ଧନୁ ତୀରରେ ତାଙ୍କୁ ପଛପଟୁ ବିନ୍ଧି ଦେଇଥିଲା। ଫଳରେ ବାବୁଙ୍କ ପିଠିରେ ଏହି ତୀରଟି ପଶିଯିବା ସହ ବାବୁ ଗୁରୁତର ଆହତ ହୋଇ ପଡିବା ସହ ତଳେ ପଡି ଚିତ୍କାର କରିଯାଇଥିଲେ । ଚିତ୍କାର ଶୁଣି ବାବୁଙ୍କ ସ୍ତ୍ରୀ ପିଙ୍କି ଧିବର ଏବଂ ସାହି ପଡିଶା ଲୋକେ ସେଠାରେ ପହଞ୍ଚିବା ସହ ଗୁରତର ଅବସ୍ଥାରେ ବାବୁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପଡିଶା ଲୋକଙ୍କୁ ଦେଖି ମଦ୍ୟପ ଗଣ୍ଠି ସେଠାରୁ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକ ଓ ପଡୋଶୀ ମାନେ ତାକୁ ଘରେ ବାନ୍ଧି ରଖିବା ସହ ଏନେଇ ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ସେଠାରେ ପହଞ୍ଚିବା ସହ ଚିକିତ୍ସା ନିମନ୍ତେ ବାରକୋଟ ଡାକ୍ତରଖାନାକୁ ଆଣିଥିଲେ ମାତ୍ର ତୀରଟି ପିଠିରେ ପଶି ଲଟକି ରହିଥିବାରୁ ଡାକ୍ତର ତାଙ୍କୁ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ବାବୁଙ୍କୁ ରାତ୍ରୀ ୧୧ ଟା ସମୟରେ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ସେଠାରେ ସର୍ଜରୀ ବିଶେଷଜ୍ଞ ଡାକ୍ତର ଅନୁପସ୍ଥିତ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ପରେ ବାରକୋଟ ଥାନା ପୁଲିସ ଉପରଖଣ୍ଡାମକୁ ଯାଇ ବନ୍ଧା ହୋଇଥିବା ଗଣ୍ଠି ଧିବରକୁ ଥାନାକୁ ଅଣିବା ସହ ତା ନିକଟରୁ ବ୍ୟବହୃତ ଧନୁ କାଣ୍ଡ ଏବଂ ୨ଟି ଧନୁତୀର ଜବତ କରିଥିବା ସୂଚନା ମିଳିଛି। ଆକ୍ରମଣର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ବ୍ରହାମ୍ନୀ ନଦୀରୁ ମାଛଧରାକୁ କେନ୍ଦ୍ରକରି ଉଭୟ ଗଣ୍ଠି ଓ ବାବୁ ମଧ୍ୟରେ ପୂର୍ବ ଶତୃତା ଲାଗିରହିଥିଲା ଓ ଏହାହିଁ ଆକ୍ରମଣର କାରଣ ହୋଇଥାପାରେ ବୋଲି ଗ୍ରାମବାସୀ ଅନୁମାନ କରୁଛନ୍ତି।
Comments are closed.