ଟଙ୍କା ମରୁଡ଼ି: ଦାୟୀ କିଏ?
ଭୁବନେଶ୍ୱର: ଦେଶର ଅର୍ଦ୍ଧାଧିକ ଅଞ୍ଚଳରେ ପୁଣି ନଗଦ ନିଅଣ୍ଟ ପରିସ୍ଥିତି ସୃଷ୍ଟି ହୋଇଛି। ଏଟିଏମ୍ଗୁଡ଼ିକ ଟଙ୍କା ଶୂନ୍ୟ ହୋଇଯାଇଛି। ଦୈନନ୍ଦିନ ଚଳଣି ଓ ଜରୁରୀକାଳିନ ଖର୍ଚ୍ଚ ପାଇଁ ଲୋକମାନେ ବ୍ୟାଙ୍କ ଶାଖା ଆଗରେ ଧାଡ଼ି ବାନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଆବଶ୍ୟକତାର ଉପଯୁକ୍ତ ପ୍ରମାଣ ବିନା ବ୍ୟାଙ୍କ ଶାଖା ଗ୍ରାହକଙ୍କୁ ଟଙ୍କା ଦେବାକୁ ମନା କରିଦେଉଥିବା ଅଭିଯୋଗ ଆସିଛି। ୨୦୧୬ ନଭେମ୍ବର ୮ ତାରିଖରେ ଘୋଷିତ ବିମୁଦ୍ରାକରଣ ସମୟର ସ୍ଥିିତି ପୁଣି ଥରେ ଦେଶରେ ଫେରି ଆସିଛି ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ସବୁ ମହଲରୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଏବେ ଦେଶରେ ଆର୍ଥିକ ଜରୁରିକାଳୀନ ସ୍ଥିତି ସୃଷ୍ଟି ହୋଇଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ମୁଦ୍ରାସଙ୍କଟ ପ୍ରତିବାଦରେ ଓଡ଼ିଶାରେ ଶାସକ ବିଜେଡି ପକ୍ଷରୁ ବ୍ଳକ୍ୱାରୀ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ସମ୍ମୁଖରେ ୨ ଘଣ୍ଟିଆ ନୀରବ ପ୍ରତିବାଦ କରାଯାଇଛି। ଖୁବ୍ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ ମଧ୍ୟ ଏତେ ଶୀଘ୍ର ସେଥିରେ ସୁଧାର ଆସିବା ପରି ଲାଗୁନାହିଁ। ସେହିପରି ଦେଶର ନଗଦ ଯୋଗାଣ ସ୍ଥିତି ଓ ମୁଦ୍ରା ବଜାରରେ ସେଭଳି କୌଣସି ବିପଦ ଆଶଙ୍କା ନାହିଁ ଏବଂ ସବୁ କିଛି ନିୟନ୍ତ୍ରଣାଧୀନ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି। କିନ୍ତୁ ବିଭିନ୍ନ ଆର୍ଥିକ ସଂସ୍ଥାର ରିପୋର୍ଟ ଓ ବିଶେଷଜ୍ଞଙ୍କ ମତକୁ ତର୍ଜମା କଲେ ଦେଶରେ ପୁଣି ଥରେ ଆର୍ଥିକ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୋଇଛି ବୋଲି ବିରୋଧୀ ଦଳର ଅଭିଯୋଗରେ ସତ୍ୟତା ଥିବା ପରି ଲାଗୁଛି।
ଦେଶର ସର୍ବବୃହତ ବାଣିଜିକ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ) ପକ୍ଷରୁ ପ୍ରଦତ୍ତ ଏକ ସୂଚନା ଅନୁଯାୟୀ ଗ୍ରାହକମାନେ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧ ବା ପ୍ରଥମ ୬ ମାସ ପରେ ଏଟିଏମ୍ରୁ ଅଧିକ ଟଙ୍କା ଉଠାଇଥାନ୍ତି। ଏସ୍ବିଆଇଆର ପରିସଂଖ୍ୟାନ ଅନୁଯାୟୀ, ବିଗତ ୫ ବର୍ଷ ତୁଳନାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଏଟିଏମ୍ରୁ ଟଙ୍କା ଉଠାଣ ପରିମାଣ ବୃଦ୍ଧି ପାଇଛି।
ନୋଟ୍ ମରୁଡ଼ିର କାରଣ
ଅର୍ଥନୈତିକ: ବଜାରରେ ନୋଟ୍ ବା ନଗଦ ଟଙ୍କାର ସ୍ଥିତି ଓ ଉପଲବ୍ଧି ଭେଲୋସିଟି ଅଫ୍ କରେନ୍ସି (ଗୋଟିଏ ହାତରୁ ଅନ୍ୟ ହାତକୁ ନୋଟ୍ କେତେ ଶୀଘ୍ର ଓ କେତେଥର ଯାଇପାରେ) ଉପରେ ନିର୍ଭର କରୁଛି। ବିମୁଦ୍ରାକରଣ ପରେ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର କମ୍ ମୂଲ୍ୟର ନୋଟ୍ ଏଟିଏମ୍ ଜରିଆରେ ଯୋଗାଣରେ ବିଫଳ ହୋଇଥିଲେ। ଏଟିଏମ୍ର କ୍ୟାସ୍ ଟ୍ରେକୁ କେବଳ ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍ ରହିପାରିବା ଭଳି ନବୀକରଣ କରାଯାଇଥିଲା। ତେଣୁ ଲୋକଙ୍କ ନଗଦ ଚାହିଦା ପୂରଣ ପାଇଁ ଜନସାଧାରଣ ଏହି ଦୁଇ ମୂଲ୍ୟର ନୋଟ୍ ଉପରେ ନିର୍ଭର କରୁଥିଲେ। କ୍ରମଶଃ କମ୍ ମୂଲ୍ୟ ଯୁକ୍ତ ନୋଟ୍ ଯୋଗାଣ ଚାହିଦା ଅନୁଯାୟୀ ପର୍ଯ୍ୟାପ୍ତ ନ ହେବାରୁ ୨୦୦୦ ଟଙ୍କିଆ ନୋଟ୍ ଉପରେ ଚାପ ପଡ଼ିଲା। ସାଧାରଣତଃ ୨୦୦୦ ଟଙ୍କିଆ ନୋଟ୍ର ଭେଲୋସିଟି କମ୍ ରହୁଥିବାରୁ ନଗଦ ସମସ୍ୟା ଦେଖାଦେଇଥିଲା। ଏସ୍ବିଆଇର ବରିଷ୍ଠ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟକାନ୍ତି ଘୋଷଙ୍କ କହିବା ଅନୁଯାୟୀ ବିଗତ କିଛି ମାସ ଧରି ବଜାରରେ ନୋଟ୍ କାରବାର ଓ ଚାହିଦା ବଢ଼ିବାରେ ଲାଗିଛି। ଯୋଗାଣକୁ ହିସାବକୁ ନେଲେ ଯୋଗାଣ ଓ ଚାହିଦା ମଧ୍ୟରେ ଏବେ ପ୍ରାୟ ୭୦ ହଜାର କୋଟି ଟଙ୍କାର ତଫାତ୍ ଦେଖାଦେଇଛି।
ସ୍ଥାନୀୟ: କର୍ଣ୍ଣାଟକର ବିଧାନସଭା ନିର୍ବାଚନକୁ ଏଥିପାଇଁ କେତେଜଣ ଦାୟୀ କରିଥିବା ବେଳେ ବିବାହ ଓ ଫସଲ ଅମଳ ଋତୁକୁ ଦୃଷ୍ଟିରେ ରଖି ଲୋକମାନେ ବିପୁଳ ପରିମାଣରେ ନିଜ ପାଖରେ ଟଙ୍କା ମହଜୁଦ କରିବାରୁ ଟଙ୍କା ମରୁଡ଼ି ଦେଖାଦେଇଥିବା ସରକାର କହିଛନ୍ତି।
ସରକାର ଓ ଆରବିଆଇ:
ଏଭଳି ସ୍ଥିତିର ଆଶଙ୍କା ବହୁ ପୂର୍ବରୁ ବିଶେଷଜ୍ଞମାନେ କରିଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଖାମ୍ଖିଆଲି ମନୋଭାବ ଯୋଗୁଁ ଆଶଙ୍କା ବାସ୍ତବ ରୂପ ନେଲା। ଏ ସମ୍ପର୍କରେ କେତେକ ସରକାରୀ ସଂସ୍ଥାର ଅଧିକାରୀ ଓ ଉପଦେଷ୍ଟା ଉପରିସ୍ଥ ଅଧିକାରୀ, ଅର୍ଥମନ୍ତ୍ରାଳୟ ଓ ଆରବିଆଇକୁ ଜଣାଇଥିଲେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦିଆଗଲା ନାହିଁ। ଏ ଦିଗରେ ଆରବିଆଇର ଭୂମିକାକୁ ତର୍ଜମା କରାଯାଇପାରେ। ୨୦୦୦ ଟଙ୍କା ବଦଳରେ ସମପରିମାଣର ପର୍ଯ୍ୟାପ୍ତ ୨୦୦ ଟଙ୍କିଆ କିମ୍ବା କମ୍ ମୂଲ୍ୟଯୁକ୍ତ ନୋଟ୍ ମୁଦ୍ରଣ ଓ ଯୋଗାଣ ପାଇଁ ଆରବିଆଇ ପଦକ୍ଷେପ ନେଲା ନାହିଁ। ଏପରିକି କମ୍ ମୂଲ୍ୟ ଯୁକ୍ତ ନୋଟ୍ ସହିତ ୨୦୦୦ ଟଙ୍କଆ ନୋଟ୍ ଯୋଗାଣ ପାଇଁ ଏଟିଏମ୍ ମେସିନ୍ରେ ଆବଶ୍ୟକ ପରିବର୍ତ୍ତନ ଲାଗି ଅତିରିକ୍ତ ଖର୍ଚ୍ଚକୁ ସରକାର କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷ ବହନ କରିବାକୁ ରାଜି ହେଲେ ନାହିଁ। ଏହାଫଳରେ ଦେଶର ଅନେକାଂଶ ଏଟିଏମ୍ରେ ୨୦୦୦ ଟଙ୍କିଆ ନୋଟ୍ ରହିପାରିଲା ନାହିଁ। ଏତଦ୍ବ୍ୟତୀତ କମ୍ ମୂଲ୍ୟର ନୋଟ୍ ଯୋଗାଣ ପାଇଁ ଉଦ୍ଦିଷ୍ଟ ଏଟିଏମ୍ ମେସିନ୍ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକୁ ଆରବିଆଇ ଯେଉଁ ପ୍ରୋତ୍ସାହନ ଦେଉଥିଲା ଗତ କିଛି ମାସ ହେଲା ତାହାକୁ ପ୍ରତ୍ୟାହାର କରି ନେଇଥିଲା। ଏହିସବୁ କାରଣରୁ ଏଟିଏମ୍ରୁ ନୋଟ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା।