ଆଠଗଡ଼ରେ କୁଟୀରଶିଳ୍ପ ପାଲଟିଛି ଦେଶୀମଦ ପ୍ରସ୍ତୁତି

ଆଠଗଡ଼: ଆଠଗଡ଼ ଓ ତିଗିରିଆ ବ୍ଲକ ଅଞ୍ଚଳରେ ଦେଶୀମଦ ପ୍ରସ୍ତୁତି ଓ ଚାଲାଣ ଦୀର୍ଘବର୍ଷ ଧରି ଏକ କୁଟୀରଶିଳ୍ପରେ ପରିଣତ ହୋଇଛି। ଯେତେ ଅବକାରୀ ଚଢାଉ ହେଲେ ମଧ୍ୟ ଏହା ମଦମାଫିଆ ବା ଚୋରା ଦେଶୀମଦ ଶିଳ୍ପ ଉପରେ କୌଣସି ପ୍ରଭାବ ପକାଉନାହିଁ। ମାସକୁ ଅତିକମରେ ୬-୭ଥର କଟକ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସ୍କ୍ବାଡ଼୍‌, ଫ୍ଲାଇଙ୍ଗ ସ୍କ୍ବାଡ଼୍‌ ଓ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ହଜାର ହଜାର ଲିଟର ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ଗୁଡପୋଚ ଓ ସଦ୍ୟପ୍ରସ୍ତୁତ ମଦ ଜବତ କରାଯାଉଥିବାବେଳେ ପରେ ପରେ ପୁଣି ସେହି ସ୍ଥାନମାନଙ୍କରେ ପୂର୍ବପରି ମଦପ୍ରସ୍ତୁତି ଅବ୍ୟାହତ ରହୁଛି। ଯେ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ଥାନା ଓ ପୁଲିସ ନଚାହିଁବେ ଅବା ନିୟମିତ ଚଢାଉ କରି ମଦମାଫିଆଙ୍କୁ ଗିରଫ ନକରିବେ ସେ ପର୍ଯ୍ୟନ୍ତ କୁଟୀରଶିଳ୍ପ ପାଲଟିଥିବା ଏହି ଦେଶୀମଦ କାରବାର ବନ୍ଦ ହୋଇପାରିବ ନାହିଁ ବୋଲି ଜଣାଶୁଣା ମହଲରେ ଚର୍ଚ୍ଚା ହେଉଛି।

prayash

ସ୍ଥାନୀୟ ପୁଲିସଙ୍କର ଏହି ମଦମାଫିଆଙ୍କ ସହିତ ମଧୁଚନ୍ଦ୍ରିକା ଯୋଗୁଁ ଦେଶୀମଦ ପ୍ରସ୍ତୁତି ଓ ଚାଲାଣ ନିରଙ୍କୁଶ ଭାବେ ଚାଲିଆସୁଛି ବୋଲି ଅଭିଯୋଗ ହେଉଛି। ଅବକାରୀ ବିଭାଗ ବିରୋଧରେ ମଧ୍ୟ ସମାନ ଅଭିଯୋଗ ରହିଛି। ସୋମବାର ଆଠଗଡ଼, ତିଗିରିଆ ଓ ବାଙ୍କୀ ଅଞ୍ଚଳରେ କଟକ ଭ୍ରାମ୍ୟମାଣ ଅବକାରୀ ସ୍କ୍ବାଡ଼୍‌ ଏବଂ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ଼୍‌ ପକ୍ଷରୁ ମିଳିତ ଚଢାଉ କରାଯାଇ ମୋଟ ୧୧୩୦୫ଲିଟର ଗୁଡପୋଚ ଏବଂ ୧୧୨୦ଲିଟର ଦେଶୀମଦ ଜବତ କରାଯାଇଛି। ଚୋରା ଦେଶୀମଦ ପ୍ରସ୍ତୁତି ପାଇଁ କୁଖ୍ୟାତି ଥିବା ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଏବଂ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ବାଙ୍କୀ ଥାନା ଅନ୍ତର୍ଗତ ଭେଗୁଆ ଗ୍ରାମରେ ଥିବା ବହୁ ମଦଭାଟି ଉପରେ ଚଢାଉ କରାଯାଇଥିଲା। ସେହିସବୁ ଅଞ୍ଚଳରେ ମଦମାଫିଆମାନେ ସବୁବେଳେ ନୂଆନୂଆ ଉପାୟ ଅବଲମ୍ବନ କରି ଗୁଡପୋଚ ଲୁଚାଇ ରଖିବା ଏବଂ ସଦ୍ୟପ୍ରସ୍ତୁତ ମଦ ଚାଲାଣ କରିବା ଜାରି ରଖିଛନ୍ତି। ଆଜିର ଚଢାଉବେଳେ କୋରଙ୍ଗାରେ ବୁଦା ଜଙ୍ଗଲ, ନାଳକଡରେ ଗାତଖୋଳି ରଖିଥିବା ୫୧୮୦ଲିଟର ଗୁଡପୋଚ ଏବଂ ୬୪୦ଲିଟର ଦେଶୀମଦ ଜବତ କରାଯାଇଥିଲା। ସେହିପରି ଭିରୁଡା ଓ ପଣସପାଟଣା ଅଞ୍ଚଳରେ ଏକାଧିକ ମଦଭାଟି ଉପରେ ଚଢାଉ ସମୟରେ ସେଠାରେ ସେହିଭଳି ଲୁଚାଇ ରଖାଯାଇଥିବା ୨୪୫୦ଲିଟର ପୋଚ ଓ ୨୧୦ଲିଟର ମଦ ଜବତ କରାଯାଇଥିଲା। ବାଙ୍କୀ ଥାନା ଅନ୍ତର୍ଗତ ତିଗିରିଆ ସୀମାବର୍ତ୍ତୀ ଭେଗୁଆ ଗ୍ରାମରେ ମଧ୍ୟ ଅନୁରୁପ ଭାବେ ଏକାଧିକ ମଦଭାଟି ଉପରେ ଚଢାଉ କରାଯାଇ ମଦ ତିଆରି ସରଞ୍ଜାମ ସହିତ ୩୬୭୫ଲିଟର ପୋଚ ଓ ୨୭୦ଲିଟର ଦେଶୀମଦ ଜବତ କରାଯାଇଥିଲା। ତେବେ ମଦମାଫିଆମାନେ ଚମ୍ପଟ ମାରିଥିବାରୁ କାହାକୁ ଗିରଫ କରାଯାଇନଥିଲେ ମଧ୍ୟ କୋରଙ୍ଗାରେ ୨ଟି ଏବଂ ଭିରୁଡାରେ ଗୋଟିଏ ମାମଲା ରୁଜୁ କରାଯାଇ ଫେରାର ମଦମାଫିଆଙ୍କୁ ଗିରଫ କରାଯିବ ବୋଲି ଚଢାଉ କରିଥିବା ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ଭ୍ରାମ୍ୟମାଣ ସ୍କ୍ବାଡ଼୍‌ ନିରୀକ୍ଷକ ସଂଜୀତ ବାର୍ଲା, କେଶବ ଚନ୍ଦ୍ର ଦାସ, ରାଜ୍ୟ ଫ୍ଲାଇଙ୍ଗ ସ୍କ୍ବାଡ଼୍‌ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ ଓ ଉପନିରୀକ୍ଷକ ସଚ୍ଚିନ ବେହେରାଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.