ଆଠଗଡ: ଯୋରନ୍ଦା ସେକ୍ଟର ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ସୁଧାଂଶୁମୋହନପୁର ଗ୍ରାମରେ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୋରନ୍ଦା ସ୍ବାସ୍ଥ୍ୟକେନ୍ଦ୍ର ଓ ଗାଁ କଲ୍ଯାଣ ସମିତି ସମୂହ ଆନୁକୂଲ୍ୟରେ ଶୁକ୍ରବାର ବରିଷ୍ଠ ବହୁମୁଖୀ ସ୍ଵାସ୍ଥ୍ଯ ପରିଦର୍ଶକ ମହମଦ୍ ଅସଲମଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମ୍ୟାଲେରିଆ ଜ୍ଵର ମାଈ ଏନୋଫିଲିସ୍ ମଶା କାମୁଡା ଦ୍ବାରା ବ୍ୟାପୁଥିବାରୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଜରୁରୀ । ଶୋଇବା ସମୟରେ ମଶାରି ବ୍ୟବହାର କରିବା, ଘରଦ୍ବାର ଓ ଚତୁର୍ପାର୍ଶ୍ୱ ସଫାସୁତୁରା ରଖିବା, କୌଣସି ସ୍ଥାନରେ ପାଣି ଜମା କରିବାକୁ ନଦେବା ଆଦି ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।
ଶୀତ, କମ୍ପ ସହ ଜ୍ଵର, ମୁଣ୍ଡ ବିନ୍ଧା ଓ ବାନ୍ତି ଭଳି ଲକ୍ଷଣ ଦେବା କ୍ଷଣି ହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା କରାଇବାକୁ ଶ୍ରୀ ଅସଲମ୍ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ୧୦୮ ଜନନୀ ଆମ୍ବୁଲାନ୍ସ ସେବାର କାର୍ଯ୍ଯବାହୀ ପରିଚାଳକ ସୌମେନ୍ଦ୍ର ମହାପାତ୍ର, ଅମିତ୍ ରାୟ, ସ୍ଵାସ୍ଥ୍ଯକର୍ମୀ, ଅଙ୍ଗନବାଡି ସୁନିତା ଦାସ, ଆଶା କର୍ମୀ ବନିତା ରାଉତ ଓ ଆରତୀ ବେଉରାଙ୍କ ସମେତ ଗାଁ କଲ୍ଯାଣ ସମିତିର ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସମସ୍ତେ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ ।



