www.samajalive.in
Monday, December 15, 2025
16.1 C
Bhubaneswar

ସହରାଞ୍ଚଳର ବିକାଶ ପାଇଁ ସରକାର ପ୍ରତିବଦ୍ଧ

ଆଠଗଡ: ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୁଲ୍ୟରେ ଗୁରୁବାର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ କୃଷି, କୃଷକ ସଶକ୍ତିକରଣ, ପ୍ରାଣୀ ସଂପଦ ଓ ମତ୍ସ୍ୟପାଳନ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ରାଜ୍ୟ ସରକାର ସହରାଞ୍ଚଳର ବିକାଶ ପାଇଁ ପ୍ରତିବଦ୍ଧ ଥିବା ଏବଂ ଏଥିପାଇଁ ପ୍ରତ୍ୟେକ ମହାନଗର ନିଗମ, ମୁନିସିପାଲଟି ଓ ଏନଏସି ଅଞ୍ଚଳରେ ବିକାଶକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଆଠଗଡ ଏନଏସି ଅଞ୍ଚଳରେ ଥିବା ୧୮ଟି ୱାର୍ଡର ସର୍ବାଙ୍ଗିନ ବିକାଶ ସହିତ ସହରକୁ ସରସ ସୁନ୍ଦର କରିବା ଲାଗି ରାଜ୍ୟ ସରକାର ପର୍ଯ୍ୟାପ୍ତ ଅନୁଦାନ ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ସହରରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ପ୍ରତ୍ୟେକ ନାଗରିକ ସହଯୋଗର ହାତ ବଢାଇବା ପାଇଁ ସେ ନିବେଦନ କରିଥିଲେ।

ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ କଟକ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା)ର ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇ ଆଠଗଡ ସହରର ରାସ୍ତାଘାଟର ବିକାଶ ସହିତ ଅନ୍ୟାନ୍ୟ ବହୁ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଛି ଏବଂ ସେଗୁଡିକର ସଫଳ ରୂପାୟନ ପାଇଁ ସବୁ ବର୍ଗର ଲୋକ ସହଯୋଗ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ଏନଏସି ଅଧ୍ୟକ୍ଷା ସୁବର୍ଣ୍ଣମଞ୍ଜରୀ ଭଞ୍ଜ, ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତି, ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିପ୍ତୀମୟୀ ବେହେରା ପ୍ରମୁଖ ଉଦ୍‍ବୋଧନ ଦେଇ ସହରରେ ଚାଲିଥିବା ଏବଂ ହେବାକୁ ଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସମସ୍ତ କାଉନସିଲର ନିଜ ନିଜର ବକ୍ତବ୍ୟ ରଖିଥିଲେ।

- Advertisement -

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଭୋର ୪.୦୦ ସମୟରେ ସହରରେ ରାମଧୂନ ପ୍ରସାର ଏବଂ ସକାଳ ୭ଟାରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ନଗରପାଳ, ଉପନଗରପାଳ ଏବଂ ସମସ୍ତ କାଉନସିଲର ସାମୁହିକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ପରେ ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ ରାଉତ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ କାଉନସିଲର ଓ କର୍ମଚାରୀଙ୍କୁ ଉଦ୍‍ବୋଧନ ଦେଇଥିଲେ। ତତ୍‍ପରେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ରୋଗୀଙ୍କୁ ଫଳବଣ୍ଟନ କରାଯାଇଥିଲା। ସଭାସ୍ଥଳରେ ୨୫ଜଣ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଭତ୍ତା, ୪୧ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି, ଗାରିମା ଯୋଜନାରେ ୨୭ଜଣ ସଫେଇ କର୍ମଚାରୀଙ୍କୁ ପରିଚୟ ପ୍ରମାଣପତ୍ର ଓ ସମସ୍ତ ପରିମଳ କର୍ମଚାରୀଙ୍କୁ ନିରାପତ୍ତା ଉପକରଣ ମନ୍ତ୍ରୀ ଓ ଅନ୍ୟ ଅତିଥି ବଣ୍ଟନ କରିଥିଲେ। ଏଥି ସହିତ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆୟୋଜିତ ଝୋଟି, ରଙ୍ଗୋଲି, ଚିତ୍ରାଙ୍କନ, ବିତର୍କ, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏନଏସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories