ଆଠଗଡରେ ଅଭିନବ କାର୍ଯ୍ୟକ୍ରମ ‘ଶିକ୍ଷକ ପର୍ବ’, ଶିକ୍ଷକଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ
ଆଠଗଡ: ଫୋରମ ଅଫ ଏକାଡେମିକ୍ସ ଦ୍ୱାରା ଆଠଗଡରେ ‘ଶିକ୍ଷକ ପର୍ବ’ ଭଳି ଏକ ଅଭିନବ କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ ଓ ତିଗିରିଆ ବ୍ଲକ ସମେତ ନିର୍ବାଚନ ମଣ୍ଡଳୀର ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ୬ଟି ପଞ୍ଚାୟତର ୧ହଜାରରୁ ଉର୍ଦ୍ଧ ଶିକ୍ଷକ ଯୋଗଦାନ କରିଥିଲେ। ଫୋରମ ଅଫ ଏକାଡେମିକ୍ସର ସଭାପତି ଡ. ଦାମୋଦର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ଗୁଣାତ୍ମକ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀଙ୍କୁ ଜଣେ ଜଣେ ଉତ୍ତମ ନାଗରିକ ଭାବେ ଗଢିତୋଳିବା ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ। ଗାନ୍ଧୀଙ୍କ ଆଦର୍ଶ, ବିଚାରଧାରା ଓ ପ୍ରଦର୍ଶିତ ମାର୍ଗରେ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ଲାଗି ଶିକ୍ଷକମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଘୃଣା, ବିଦ୍ୱେଶ, ହିଂସାଭଳି ଆଚରଣକୁ ପରିହାର କରି ଗାନ୍ଧୀଙ୍କ ଅହିଂସା ନୀତିକୁ ଆପଣାଇ ଦେଶରେ ଭାତୃଭାବ ସୃଷ୍ଟି କରିବା ଲାଗି ଆମର ଭବିଷ୍ୟତ ନାଗରିକ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହ୍ବାନ ଦେଇଥିଲେ।
ଏହି ଅବସରରେ ଗାନ୍ଧୀଙ୍କ ଜୀବନୀ, ନୀତି, ଆଦର୍ଶ ଓ ବିଚାରଧାରା ଉପରେ ପର୍ଯ୍ୟବେସିତ ୫ହଜାର ପୁସ୍ତକ ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ ପାଇଁ ସିଆରସିସିମାନଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଏକାଡେମିକ୍ସର ସଭାପତି ଡ.ମହାପାତ୍ର ଶିକ୍ଷାର ଏବେ ବୈପ୍ଳବିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ସ୍ୱାଧୀନତା ଦେବା ଓ ସମାଲୋଚନାର ସୁଯୋଗଦେବା ସହିତ ବସ୍ତାନି ବୋଝ କମାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଆଠଗଡ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଓ ତିଗିରିଆ ବ୍ଲକ ଶିକ୍ଷାଧିକାରୀ ପ୍ରିୟରଞ୍ଜନ ହୋତା ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଏକାଡେମିକ୍ସର ସଂପାଦକ ଡଃ ଶଶିଭୂଷଣ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକମାନଙ୍କ ମଧ୍ୟରୁ ଆଠଗଡ ବ୍ଲକର ଅମର ମହାରଣା, ପର୍ଶୁରାମ ବେହେରା, ତିଗିରିଆ ବ୍ଲକର ବିଦ୍ୟାଧର ସାମଲ ଓ ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉଦ୍ବୋଧନ ଦେଇ ଶିକ୍ଷକମାନଙ୍କ ପାଇଁ ଏପରି ଏକ ଅଭିନବ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହିତ ନୂତନ ପେନସନଭୁକ୍ତ ଶିକ୍ଷକମାନଙ୍କ ପାଇଁ ପୁରାତନ ପେନସନ ଯୋଜନା ଲାଗୁ କରିବାକୁ ଶିକ୍ଷକମାନେ ମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ଆଠଗଡ ଅଞ୍ଚଳର ବାହାରେ ପାଠପଢି ମାଟ୍ରିକ ଓ କଲେଜସ୍ତରୀୟ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିଥିବା ୪ଜଣ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଲ୍ୟାପଟପ ପ୍ରଦାନ କରିଥିଲେ। ଏଥିସହିତ ଆଠଗଡ ବ୍ଲକର ୧୬ଜଣ, ତିଗିରିଆ ବ୍ଲକର ୭ଜଣ ଏବଂ ଟାଙ୍ଗିଚୌଦ୍ୱାର ବ୍ଲକର ୫ଜଣଙ୍କୁ ମିଶାଇ ମୋଟ ୨୯ଜଣ ସାଧନକେନ୍ଦ୍ର ସଂଯୋଜକଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏକାଡେମିକ୍ସର ସଂଯୋଜକ ଲଳିତମୋହନ ନାୟକ ଓ ଶିକ୍ଷକ ପ୍ରତିନିଧି ନୀଳମଣି ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଂଯୋଜକ ଡଃ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.