ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ଯୋଗଦେଲେ ୧୨୨୪ ଦିବ୍ୟାଙ୍ଗ
ଆଠଗଡ: ଆଠଗଡ ବ୍ଲକ ପ୍ରଶାସନ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ଧରି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇପାରୁନଥିବାରୁ ଚଳିତ ଶିବିରରେ ବହୁସଂଖ୍ୟାରେ ଦିବ୍ୟାଙ୍ଗ ବ୍ୟକ୍ତିବିଶେଷ ଏହି ଶିବିରରେ ଯୋଗ ଦେଇଥିବା ଜଣାପଡିଛି। ମୋଟ ୧୨୨୪ଜଣ ଦିବ୍ୟାଙ୍ଗ ବ୍ୟକ୍ତି ଅନଲାଇନ ପଞ୍ଜିକରଣ କରି ଏହି ଶିବିରରେ ଯୋଗଦେଇଥିବା ବେଳେ ସେମାନଙ୍କର କଟକ ବଡ ଡାକ୍ତରଖାନା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଥିବା ଡାକ୍ତରମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।
ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶିବିରକୁ ଆଠଗଡ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଓ ମନ୍ତ୍ରୀଙ୍କର ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଅବିନାଶ ରାୟ, ଡାକ୍ତର ପ୍ରିୟଙ୍କା ସାହୁ, ଗଳା, ନାସା ଓ କର୍ଣ୍ଣ ବିଭାଗର ଡାକ୍ତର କ୍ଷିତିଶ ରଞ୍ଜନ ଦାସ, ଚକ୍ଷୁ ବିଭାଗର ଡାକ୍ତର ଅନିତା ମିଶ୍ର, ମାନସିକ ରୋଗ ଚିକିତ୍ସକ ଡାକ୍ତର ସୁଜାତା ସାହୁ, ଶ୍ରବଣ ବିଶେଷଜ୍ଞ ଡାକ୍ତର କେ.ସି. ପଣ୍ଡା ଓ ଡାକ୍ତର ଗଣେଶ ରାମ ପ୍ରମୁଖ ଶିବିରରେ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଉପଯୁକ୍ତ ସହାୟତା ଯୋଗାଇବାରେ ସହଯୋଗ କରିଥିଲେ।
ପଞ୍ଜିକୃତ ଦିବ୍ୟାଙ୍ଗଙ୍କ ମଧ୍ୟରୁ ବସ୍ପାସ୍ ପାଇଁ ୩୨ଜଣ ଓ ଡିଆରଆଇ ଋଣ ପାଇଁ ୮ଜଣ ଆବେଦନ କରିଥିଲେ। ସେହିପରି ଆୟ ପ୍ରମାଣପତ୍ର ନିମନ୍ତେ ୫ଜଣ ଆବେଦନ କରିଥିଲେ। ଏଥି ସହିତ କୃତିମ ଶାରୀରିକ ଯନ୍ତ୍ର ସହାୟତା ନିମିତ୍ତ ୪୭ଜଣଙ୍କୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୧୫ଜଣଙ୍କୁ ସହାୟତା ଦେବା ପାଇଁ ମନୋନୀତ କରାଯାଇଥିଲା। ମୋଟ ୧୨୨୪ଜଣ ପଞ୍ଜିକୃତ ଦିବ୍ୟାଙ୍ଗଙ୍କ ମଧ୍ୟରୁ ଅସ୍ଥି ଜନିତ ସମସ୍ୟା ପାଇଁ ୫୬୮ଜଣ, ମାନସିକ ଅନଗ୍ରସର ୩୧୭ଜଣ, ଦୃଷ୍ଟିବାଧିତ ୧୮୦ଜଣ, ଶ୍ରବଣବାଧିତ ୧୦୬ଜଣ ଓ ଗଳା, ନାସା, କର୍ଣ୍ଣଜନିତ ସମସ୍ୟା ଥିବା ୫୩ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଉପେନ୍ଦ୍ର କୁମାର ଜେନାଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଏହି ଶିବିରରେ ଯୋଗ ଦେଇଥିଲେ। ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀଙ୍କ ସମେତ ବ୍ଲକ ଓ ଏନଏସି କାର୍ଯ୍ୟାଳୟର ବହୁ କର୍ମଚାରୀ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Comments are closed.