ଆଠଗଡରୁ ହରିଣ ଉଦ୍ଧାର
ଆଠଗଡ: ଆଠଗଡ ସହରର କନ୍ତୋଲ ଅଞ୍ଚଳରେ ଜନବସତିକୁ ଚାଲିଆସିଥିବା ଏକ ୨ବର୍ଷ ବୟସ୍କ ଅଣ୍ଡିରା ହରିଣକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡା ଯାଇଥିବା ଜଣାପଡିଛି। କନ୍ତୋଲ ହନୁମାନ ମନ୍ଦିର ନିକଟ ସୁବାସ ତ୍ରିପାଠୀଙ୍କ ଘରେ ହରିଣ ଛୁଆଟି ପଶି ଯାଇଥିବା ଖବର ପାଇ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ବେହେରା ବନପାଳ କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ଅନ୍ୟ ବନ କର୍ମଚାରୀଙ୍କୁ ତତ୍କ୍ଷଣାତ ସେଠାକୁ ପଠାଇଥିଲେ। ହରିଣଟିକୁ ବନପାଳ ଶ୍ରୀ ସ୍ୱାଇଁ ଓ ବନବିଭାଗ ସ୍କାର୍ଡ କର୍ମଚାରୀ ଏକ ଜାଲ ସାହାଯ୍ୟରେ ଧରିବା ପରେ ପ୍ରାଣୀ ଚିକିତ୍ସାଳୟରେ ତାର ସ୍ୱାସ୍ଥ୍ୟପରୀକ୍ଷା କରାଇଥିଲେ। ହରିଣଟି ସଂପୂର୍ଣ୍ଣ ସୁସ୍ଥ ଥିବା ଜାଣିବାପରେ ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଓ ବନକର୍ମଚାରୀ ତାକୁ ନେଇ ନିକଟସ୍ଥ ବୌଦା-ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି। କନ୍ତୋଲଠାରୁ ମାତ୍ର ୩ କିମି ଦୂରରେ ଥିବା ସୁକାସନ କିମ୍ବା ବୌଦା-ବନଖଣ୍ଡି ସଂରକ୍ଷିତ ଜଙ୍ଗଲରୁ ହରିଣଟି ଚାଷଜମି ମଧ୍ୟ ଦେଇ ଜନବସତି ଅଞ୍ଚଳକୁ ପଳାଇ ଆସିଥିବା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି।
Comments are closed.