MEllora 950×100

ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କର ମହାସ୍ନାନ ଓ ଗଜାନନ ବେଶ

ଆଠଗଡ଼: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଠଗଡ଼ର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କର ମହାସ୍ନାନ ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଯୋଗୁଁ ମହାମାରୀ ଯୋଗୁଁ ଗତ ୨ବର୍ଷ ଧରି ବିନା ଭକ୍ତରେ ମହାସ୍ନାନ ଓ ଗଜାନନ ବେଶ ହୋଇଥିବାବେଳେ ଚଳିତବର୍ଷ ପରିସ୍ଥିତି ସୁଧୁରି ଥିବାରୁ ବହୁ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ବଡପଣ୍ଡା ଶରତ କୁମାର ପଣ୍ଡା ଓ ଶୁଶାନ୍ତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ସେବାୟତଙ୍କ ସହଯୋଗରେ ଶ୍ରୀ ଜୀଉଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପନ୍ନ କରିଥିଲେ। ପ୍ରତ୍ୟୁଷରେ ଦ୍ୱାରପିଠା, ମଙ୍ଗଳଆଳତୀ, ରୋଷହୋମ, ଚକାଛଡା, ତଡପଲାଗି, ବିଜୟଆଳତି ପରେ ଶ୍ରୀ ଜୀଉଙ୍କୁ ସେବାୟତମାନେ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପରେ ବିଜେ କରାଇଥିଲେ।

ସ୍ନାନ ମଣ୍ଡପରେ ବରୁଣ ପୂଜା, ସ୍ୱସ୍ତିବାଚନ, ସଂକଳ୍ପ, ଗୁରୁପୂଜା, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଦନ୍ତଘର୍ଷଣ, ନିମ୍ବସ୍ନାନ ଓ ୧୦୮ କଳସରେ ମହାସ୍ନାନ ନୀତି ସଂପନ୍ନ କରାଯାଇଥିଲା। ତଦ୍‍ପରେ ବାଳଭୋଗ ଓ ଆଳତୀ ସହିତ ଶ୍ରୀ ଜୀଉଙ୍କୁ ହାତୀବେଶରେ ସଜ୍ଜିତ କରାଯାଇଥିଲା। ପରେ ପରେ ଶଙ୍କୁଡିଭୋଗ ଓ ଆଳତୀ କରାଯିବା ସହ ଅପରାହ୍ନରେ ଗୋଟି ପହଣ୍ଡିରେ ଶ୍ରୀ ଜଗନ୍ନାଥଙ୍କୁ ଅଣସର ଘରେ ବିଜେ କରାଯିବା ସଙ୍ଗେ ସଙ୍ଗେ ପଟ୍ଟିଦିଅଁ କରାଯାଇ ସନ୍ଧ୍ୟା ଆଳତୀ ହୋଇଥିଲା। ଦେବୋତ୍ତର ସୁପର ଭାଇଜର ଭବାନୀ ଶଙ୍କର ପଣ୍ଡାଙ୍କ ସମେତ ଅନ୍ୟମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.