ରଥ ନିର୍ମାଣ ପାଇଁ କାଠ ଯୋଗାଇଲା ବନବିଭାଗ
ଆଠଗଡ: ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ରଥ ନିର୍ମାଣ ପାଇଁ ଆଠଗଡ ବନଖଣ୍ଡ ପକ୍ଷରୁ ଆବଶ୍ୟକୀୟ କାଠ ଯୋଗାଇ ଦିଆଯାଇଛି। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅନୁରୋଧକ୍ରମେ ଅଟ୍ଟାଳି ଜଗନ୍ନାଥଙ୍କ ରଥ ନବିକରଣ ପାଇଁ ମୋଟ ୭୫୯ଘନଫୁଟର କାଠ ବନବିଭାଗ ଯୋଗାଇ ଦେଇଛନ୍ତି। ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ବନ ସଂରକ୍ଷକ ଓ ନରସିଂହପୁର ପୂର୍ବ ବନାଞ୍ଚଳ ଅଧିକାରୀ ବିଭୂରଞ୍ଜନ ରାୟ ଆବଶ୍ୟକତା ଅନୁଯାୟୀ ୫୮୯ଘନଫୁଟର ଶାଳ ଲଗ୍ ଓ ୭୦ଘନଫୁଟର ଅସନ କାଠ ଯୋଗାଇ ଦେଇଛନ୍ତି। ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ ମୁଖ୍ୟ ମହାରଣା ସେବକ ଆନନ୍ଦ ମହାରଣା ନରସିଂହପୁର ପୂର୍ବ ବନାଞ୍ଚଳରୁ ଏହି କାଠ ସଂଗ୍ରହ କରି ଆଣିବା ପରେ ତାକୁ ଚିରଟ କରାଯାଇଥିଲା। ଗତ ୩ ତାରିଖ ଅକ୍ଷୟତୃତୀୟା ଅବସରରେ ରଥ ନିର୍ମାଣ ଅନୁକୁଳ ହୋଇଥିଲେ ମଧ୍ୟ ବାସ୍ତବରେ କାଠ ଚିରଟ ହୋଇ ଆସିବା ପରେ ଆଜିଠାରୁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି।
Comments are closed.